ବିକାଶ ପରିଷଦର ପାଣ୍ଠି ବିଜୁ ଜନତା ଦଳର ଦଳୀୟ ପାଣ୍ଠି ଭାବେ ବ୍ୟବହୃତ ହେଉଛି : ପ୍ରଦୀପ ପୁରୋହିତ

ବରଗଡ଼, (ନିରୋଜ କୁମାର ପାଣୀ) : ଜନମତ ଓ ଜନ ଆନ୍ଦୋଳନକୁ ସ୍ୱୀକାର କରି ଓଡିଶାର ତତ୍କାଳୀନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକ ପଶ୍ଚିମ ଓଡିଶାର ସାମଗ୍ରିକ ବିକାଶ ପାଇଁ ପଶ୍ଚିମ ଓଡିଶା ବିକାଶ ପରିଷଦ ଗଠନ କରିଥିଲେ । ବିଜୁ ଜନତା ଦଳର ସରକାର ରାଜ୍ୟରେ ନେତୃତ୍ୱ ନେବା ପରେ ଗତ ୨୦ବର୍ଷ ଧରି ପଶ୍ଚିମ ଓଡିଶା ବିକାଶ ପରିଷଦ ପାଣ୍ଠିକୁ ନିଜର ଦଳୀୟ ପାଣ୍ଠି ଭାବେ ବ୍ୟବହାର କରି ରାଜ୍ୟ ରାଜକୋଷର କୋଟି କୋଟି ଟଙ୍କା କେବଳ ବରବାଦ୍ କରିଛି ବୋଲି ପୂର୍ବତନ ବିଧାୟକ ତଥା ବିଜେପି କୃଷକ ମୋର୍ଚ୍ଚାର ରାଜ୍ୟ ସଭାପତି ପ୍ରଦୀପ ପୁରୋହିତ ମତବ୍ୟକ୍ତ କରିଛନ୍ତି । ସିଏଜି.ର ଅଡିଟ୍ ରିପୋର୍ଟ ଆସିବା ପରେ ବିଜୁ ଜନତା ଦଳର ସରକାର ବିକାଶ ପରିଷଦର ଅର୍ଥକୁ କିଭଳି ବିନିଯୋଗ କରୁଥିଲେ ତାହା ଧରା ପଡିଯାଇଛି ବୋଲି ଶ୍ରୀ ପୁରୋହିତ ଉଲ୍ଲେଖ କରିଛନ୍ତି । ପଛୁଆ ଅଞ୍ଚଳର ବିକାଶ ପାଇଁ ଜଳସେଚନକୁ ଗୁରୁତ୍ୱ ଦେବା ପାଇଁ ଯଦିଓ ବିକାଶ ପରିଷଦରେ ସ୍ଥିର ହୋଇଥିଲା, ତାସତ୍ତେ୍ୱ ମାତ୍ର ୧୧ ଭାଗ ଅର୍ଥ ଜଳସେଚନ ପାଇଁ ବିନିଯୋଗ ହୋଇଛି ବୋଲି ସିଏଜି ତାଙ୍କର ଅଡିଟ୍ ରିପୋର୍ଟ ଉଲ୍ଲେଖ କରିଛନ୍ତି । ଘରୋଇ ଅନୁଷ୍ଠାନକୁ ବିକାଶ ପରିଷଦ ଅନୁଦାନ ଯୋଗାଇ ଦେବାର ନିୟମ ନଥିବା ବେଳେ ଗତ ୨୦ବର୍ଷ ଭିତରେ ବିଜୁ ଜନତା ଦଳ ସହ ସଂପର୍କ ଥିବା ଅନେକ ଘରୋଇ ଅନୁଷ୍ଠାନକୁ କୋଟି କୋଟି ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି ଓ ଏଥିରେ ବ୍ୟାପକ ମାତ୍ରାରେ କିକ୍ ବେଗ ହୋଇଥିବାର ଅନୁମାନ କରାଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି । ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଥିବାର ବ୍ୟକ୍ତିବିଶେଷଙ୍କୁ ବିଶେଷଜ୍ଞ ସଦସ୍ୟ ଭାବେ ରାଜ୍ୟ ସରକାର ମନୋନୀତ କରିବାର ନିୟମ ଥିବାବେଳେ ଗତ ୨୦ ବର୍ଷ ଭିତରେ ରାଜ୍ୟ ସରକାର ଜଣେ ବି ବିଶେଷଜ୍ଞ ବ୍ୟକ୍ତିଙ୍‌ଙ୍କୁ ବିକାଶ ପରିଷଦର ସଦସ୍ୟ ଭାବେ ମନୋନୀତ ନକରି ବିଜୁ ଜନତା ଦଳର କାର୍ୟ୍ୟକର୍ତ୍ତାମାନଙ୍କୁ ବିଶେଷଜ୍ଞ ସଦସ୍ୟ ଭାବେ ମନୋନୀତ କରିଛନ୍ତି । ପଶ୍ଚିମ ଓଡିଶା ବିକାଶ ପରିଷଦ ଦ୍ୱାରା ପଶ୍ଚିମ ଓଡିଶାର କୌଣସି ପ୍ରକାରର ଉନ୍ନତି ହେଉନଥିବା ବେଳେ ବିଜୁ ଜନତା ଦଳ ବିକାଶ ପରିଷଦର ଅର୍ଥ ଜରିଆରେ ନିଜର ଦଳୀୟ ସଂଗଠନ ତିଆରି କରୁଥିବା ଓ ଦଳୀୟ କର୍ମୀଙ୍କୁ ଠିକାଦାର କରାଇ ପଇସା ରୋଜଗାର କରିବାର ପନ୍ଥା ଅବଲମ୍ବନ କରାଯାଇଛି । ତେଣୁ ବାସ୍ତବରେ ନବୀନ ବାବୁଙ୍କ ସରକାର ଯଦି ପଶ୍ଚିମ ଓଡିଶାର ବିକାଶ ଚାହୁଁଛନ୍ତି, ତେବେ ଏହାକୁ ସରକାର ନିଜ ନିୟନ୍ତ୍ରଣ ରେ ନରଖି ସ୍ୱୟଂ ଶାସିତ ବିକାଶ ପରିଷଦ ଗଠନ କରି ବର୍ଷକୁ ୧ ହଜାର କୋଟି ଟଙ୍କାର ଅନୁଦାନ ଯୋଗାଇ ଦେବା ସହ ପଶ୍ଚିମ ଓଡିଶାର ଯେ କୌଣସି ସ୍ଥାନରେ ବିକାଶ ପରିଷଦର ମୁଖ୍ୟ କାର୍ୟ୍ୟାଳୟ ସ୍ଥାପନ ପାଇଁ ପୂର୍ବତନ ବିଧାୟକ ଶ୍ରୀ ପୁରୋହିତ ଓଡିଶା ସରକାରଙ୍କ ଠାରେ ଦାବୀ କରିଛନ୍ତି ।

Leave A Reply

Your email address will not be published.