
- ଗାଁକୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ
- ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି – ନରସିଂହ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ନୂଆଁଖାଇ ଆମ ଅଂଚଳର ଗଣପର୍ବ ପାଇଁ ଆମେ ଗର୍ବିତ । କାରଣ ଏହି କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ପାଳନ ପାଇଁ ପରିବାରର ଯିଏ ଯେତେ ଦୂରରେ ଥିଲେ ମଧ୍ୟ ନିଜ ଘରକୁ ଫେରି ନବାନ୍ନ ଖାଇଥାନ୍ତି । ସ୍ୱାମୀ ସ୍ତ୍ରୀ, ଭାଇ ଭଉଣୀ, କାକା ଖୁଡି, ଅଜା ଆଇ, ଏପରି କି ଦୂର ସମ୍ପର୍କୀୟମାନେ ମଧ୍ୟ ଗୋଟିଏ ଜାଗାରେ ଏହି ପର୍ବ ପାଳନ କରିଥାନ୍ତି । ତେଣୁ ନୂଆଁଖାଇ ହିଁ ଆମ ଭିତରେ ଥିବା ଦୂରତାକୁ ଦୂର କରି ଆମ ଭିତରେ ଭାଇଚାରା ଓ ଏକତାକୁ ସୁଦୃଢ କରୁଛି ବୋଲି ପବିତ୍ର ନୂଆଁଖାଇରେ ନିଜ ପରିବାର ସହ ନବାହ୍ନ ଭକ୍ଷଣ ପରେ ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ର ନିଜ ଗାଁ ଛତାମଖନାକୁ ଯାଇ ନିଜର ଆତ୍ମୟ ସ୍ୱଜନ, ବନ୍ଧୁବାନ୍ଧବ ଓ ଗାଁ ଲୋକଙ୍କୁ ଭେଟିବା ଅବସରରେ ନିଜ ପ୍ରତିକ୍ରିୟାରେ କହିଛନ୍ତି । ସେ ଏହା ମଧ୍ୟ କହିଛନ୍ତି ଯେ, ଯଦିଓ ଏ ବର୍ଷ ଲୋକେ ବହୁତ ହର୍ଷଉଲ୍ଲାସ ସହ ନୂଆଁଖାଇ ପାଳନ କରୁଛନ୍ତି କିନ୍ତୁ ଗାଁରେ ଚାଷୀଙ୍କୁ ଦେଖିଲେ କାହିଁକି କେଜାଣି ତାଙ୍କ ମନରେ ଖୁସି ନ ଥିବା ଭଳି ଜଣାପଡୁଛି । କୃଷିଭିତ୍ତିକ ଏହି ପର୍ବରେ ଚାଷୀ ମନରେ ଯଦି ହର୍ଷ ଉଲ୍ଲାସ ନ ରହିବ ତେବେ ଏହା ସମାଜ, ରାଜ୍ୟ ତଥା ଦେଶ ପାଇଁ କେବେ ବି ମଙ୍ଗଳମୟ ହେବ ନାହିଁ ବୋଲି ଲୋକଙ୍କ ସହ ଜୁହାର ଭେଟ ଅବସରରେ ଶ୍ରୀ ମିଶ୍ର ଏହା କହିଛନ୍ତି । ଏ ଅବସରରେ ସେ ବଲାଙ୍ଗିର ତଥା ସାରା ରାଜ୍ୟବାସୀଙ୍କୁ ପବିତ୍ର ନୂଆଁଖାଇର ଶୁଭେଚ୍ଛା ଜଣାଇବା ସହ ଏ ବର୍ଷ କେବଳ ପଶ୍ଚିମାଂଚଳ ନୁହେଁ ସାରା ରାଜ୍ୟବାସୀ ଙ୍କ ପାଇଁ ସୁଖ ସମୃଦ୍ଧି, ଭାଇଚାରା ଓ ଏକତାର ବର୍ଷ ହେଉ । ତା ସହ ଆମ ଚାଷୀ ସେ କରିଥିବା ଅମଳର ଯେପରି ସଠିକ୍ ମୂଲ୍ୟ ପାଇବ ସେ ଦିଗରେ ପ୍ରଶାସନ ତଥା ରାଜ୍ୟ ସରକାର ସହୃଦୟତାର ସହ କାମ କରୁ ବୋଲି ଶ୍ରୀ ମିଶ୍ର କାମନା କରିଛନ୍ତି । ଏହି ଜୁହାର ଭେଟ ସମୟରେ ଶ୍ରୀ ମିଶ୍ରଙ୍କ ସହ କଂଗ୍ରେସ ନେତା ଶୁଭ୍ରାଂଶୁ ଶେଖର ପଣ୍ଡା, ସଚ୍ଚିଦାନନ୍ଦ ମିଶ୍ର, ଶ୍ରୀହରି ମିଶ୍ର, ରାଜକିଶୋର ମିଶ୍ର, ଭଗି ହରପାଲ, ଗୋବର୍ଦ୍ଧନ ସେଠ, ବୁରୋଖାଇ ସିକା, ଉପ କଲେତଙ୍କ ସମେତ ଅନେକ ଗ୍ରାମବାସୀ ଉପସ୍ଥିତ ଥିଲେ ।

