ରାଜ୍ୟ ମୁଖ୍ୟନିର୍ବାଚନ ଅଧିକାରୀ ତଥା ଅବକାରୀ ପ୍ରମୁଖ ସଚିବଙ୍କ ଗଞ୍ଜାମ ଗସ୍ତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଓଡିଶା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ତଥା ଅବକାରୀ ବିଭାଗର ପ୍ରମୁଖ ସଚିବ ସୁନୀଲ କୁମାର ଲୋହନୀ ଗତକାଲି ଗଞ୍ଜାମ ଗସ୍ତରେ ଆସିଥିଲେ । ଗଞ୍ଜାମ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଲୋହନୀ ଅଧ୍ୟକ୍ଷତା କରି ନିର୍ବାଚନ ଓ ଅବକାରୀ ବିଭାଗର ସମୀକ୍ଷା କରିଛନ୍ତି । ୧୮ ବର୍ଷ ବୟସରୁ ୨୦ ବର୍ଷ ମଧ୍ୟରେ ଥିବା ନୂତନ ଭୋଟର ତଥା ସାବାଳକ ସଂଖ୍ୟା ପ୍ରତିଶତକୁ ବୃଦ୍ଧି କରିବା ପାଇଁ ପରାମର୍ଶ ଦେଇଛନ୍ତି । ୨୦୨୨ ଜାନୁଆରୀରେ ଯେଉଁମାନେ ୧୮ ବର୍ଷରେ ପାଦ ଦେବାକୁ ଯାଉଛନ୍ତି, ସେମାନଙ୍କୁ ଚିହ୍ନଟ କରି ଭୋଟର ତାଲିକାରେ ଅନ୍ତର୍ଭୁକ୍ତ କରିବା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ ନିର୍ଦ୍ଦେଶ ଦେଇଛନ୍ତି । ଆଗକୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଏବଂ ପୌର ନିର୍ବାଚନ ରହିଛି । ଏଭଳିକି ଯୁବପିଢ଼ୀ ଭୋଟରମାନଙ୍କୁ ସେମାନଙ୍କ ମତଦାନ କରିବା ପାଇଁ ସୁଯୋଗ ରହିଛି । ବର୍ତ୍ତମାନ ଭୋଟର ତାଲିକା ସଂଶୋଧନ କରାଯିବା, ବାଦ୍ ଓ ସଂଯୋଗ କାର୍ଯ୍ୟ ଅନ୍‌ଲାଇନ୍ ମାଧ୍ୟମରେ ଚାଲୁ ରହିଛି । ଏହି କାର୍ଯ୍ୟ ଚାଲୁ ରହିଥିବା ବେଳେ ନୂତନ ଭୋଟର ପ୍ରତିଶତ ସଂଖ୍ୟା କମ୍ ରହିଛି । ଏଣୁ ନୂତନ ଭୋଟର ସଂଖ୍ୟା ପ୍ରତିଶତ ବୃଦ୍ଧି କରିବା ଦିଗରେ ଅଧିକାରୀମାନେ ପଦକ୍ଷେପ ନେବାକୁ କୁହାଯାଇଛି । ଏଥିପାଇଁ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ବ୍ୟାପକ ସଚେତନତା କରିବା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି । ଏହାସହ ଅବକାରୀ ବିଭାଗର ପ୍ରମୁଖ ସଚିବ ଦାୟିତ୍ୱରେ ଥିବା ନେଇ ବ୍ରହ୍ମପୁର ଓ ଗଞ୍ଜାମ ଅବକାରୀ ଜିଲ୍ଲାର ବିଭିନ୍ନ ବିଷୟକୁ ନେଇ ସମୀକ୍ଷା କରିଛନ୍ତି । ବେଆଇନ ମଦ କାରବାର, ଅପମିଶ୍ରିତ ମଦ ଏବଂ ଗଞ୍ଜେଇ ଚାଲଣ ଉପରେ ଘନଘନ ଚଢ଼ାଉ ଜାରୀ ରଖିବାକୁ ଅବକାରୀ ପ୍ରମୁଖ ସଚିବ ନିର୍ଦ୍ଦେଶ ଦେଇଥିଲେ । ବୈଠକରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ, ଅତିରିକ୍ତ ଜିଲ୍ଲାପାଳ ଲୀନା କୁମାରୀ ଖେସ୍‌, ବ୍ରହ୍ମପୁର ଉପଜିଲ୍ଲାପାଳ ୱ.କୀର୍ତ୍ତି ଭାଷନ୍‌, ଛତ୍ରପୁର ଉପଜିଲ୍ଲାପାଳ ନୀଳମାଧବ ଭୋଇ, ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର କୁମାର ମିଞ୍ଜ୍‌, ଗଞ୍ଜାମ ତହସିଲଦାର ଅରୁଣ କୁମାର ନାୟକ, ଗଞ୍ଜାମ ବିଡିଓ ବିଶ୍ୱଜିତ୍ ରାୟ, ଛତ୍ରପୁର ବିଡିଓ ସାରଦା ପ୍ରସନ୍ନ ପଣ୍ଡା, ଆସିଷ୍ଟାଣ୍ଟ କଲେକ୍ଟର ବିକ୍ରମ କୁମାର ଦୋରା, ଗଞ୍ଜାମ ଅବକାରୀ ଅଧୀକ୍ଷକ ରାଜେନ୍ଦ୍ର କୁମାର ଭୋତ୍ରା, ବ୍ରହ୍ମପୁର ଅବକାରୀ ଅଧୀକ୍ଷକ ରାଜେନ୍ଦ୍ର କୁମାର ନାଇକ, ଗଞ୍ଜାମ ଅବକାରୀ ଉପଅଧୀକ୍ଷକ ଅଭିମନ୍ୟୁ ବେହେରାଙ୍କ ସମେତ ଅନ୍ୟପ୍ରମୁଖ ପଦାଧିକାରୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.