pakka

ନିର୍ବାଚନ ସମୟରେ ଆଦିବାସୀଙ୍କୁ ଦମନ କରିବା ନିନ୍ଦନୀୟ : ନରସିଂହ

bbehera

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ପୁଇଁନ୍ତଲା ବ୍ଲକ ୧୭ନଂ ଜୋନରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର କଂଗ୍ରେସ ପ୍ରାର୍ଥୀ ଶୁଭ୍ରାଂଶୁ ଶେଖର ପଣ୍ଡାଙ୍କ ସହ ନିର୍ବାଚନ ପ୍ରଚାର କରିଥିବା ଜଣାପଡିଛି । ଶ୍ରୀ ମିଶ୍ର ପ୍ରଚାର ସମୟରେ କହିଛନ୍ତି ଯେ, ପ୍ରତ୍ୟେକ ନିର୍ବାଚନରେ ଉଭୟ କେନ୍ଦ୍ର ଓ ରାଜ୍ୟର ଶାସକ ଦଳ ଆପଣମାନଙ୍କ ଠାରୁ ବହୁ ମୂଲ୍ୟ ଭୋଟ ନେଉଛନ୍ତି । ମିଥ୍ୟା ପ୍ରତିଶୃତି ଦେଇ ନିର୍ବାଚନ ଜିତିଲା ପରେ ଲୋକଙ୍କୁ ଭୁଆଁ ବୁଲାଉଛନ୍ତି । କେଉଁ ଦଳକୁ ଭୋଟ ଦେଲେ ଆପଣଙ୍କ ଅଂଚଳ ପ୍ରକୃତରେ ବିକଶିତ ହେବ ସେଥିପ୍ରତି ଆପଣମାନେ ସଚେତନ ହୁଅନ୍ତୁ । ମୋର ଦୃଢ ବିଶ୍ୱାସ ଯେ, ଆପଣଙ୍କ ଏକତା ଓ ସଠିକ୍‌ ନିର୍ଣ୍ଣୟ ଆପଣଙ୍କ ଅଂଚଳକୁ ବିକଶିତ କରିବ । ତେଣୁ ସମସ୍ତେ ଏକତ୍ରିତ ହୋଇ ହାତ ଚିହ୍ନରେ ଭୋଟ ଦେଇ କଂଗ୍ରେସ ପ୍ରାର୍ଥୀଙ୍କୁ ନିର୍ବାଚିତ କଲେ ଅଂଚଳର ବିକାଶ ସୁନିଶ୍ଚିତ ହେବ ବୋଲି ଆଜି ପୁଇଁନ୍ତଲା ବ୍ଲକ ୧୭ନଂ ଜୋନର କଂଗ୍ରେସ ପ୍ରାର୍ଥୀ ଶୁଭ୍ରାଂଶୁ ଶେଖର ପଣ୍ଡାଙ୍କ ସହ ନିର୍ବାଚନୀ ପ୍ରଚାର ସମୟରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଲୋକଙ୍କୁ ନିବେଦନ କରିଛନ୍ତି । ଆଜି ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ବୁଣିସିଣ୍ଡଲି, ଜୁହ୍ନାପଦର, ଅଏଁଲାସାରୀ, ଛତାମଖନା ଓ ଲାଦେରବାହାଲ ଆଦି ଗ୍ରାମରେ ପ୍ରଚାର ସମୟରେ ଶ୍ରୀ ମିଶ୍ର ଆହୁରି କହିଛନ୍ତି ଯେ, ଜନତା ଭୋଟ ଦେବା ବେଳେ କାହାରି ଦ୍ୱାରା ପ୍ରଭାବିତ ହୁଅନ୍ତୁ ନାହିଁ । ସରକାରୀ ଦଳର ଗୁଣ୍ଡାମାନେ ଆପଣଙ୍କୁ ଭୟଭୀତ କରିବାର ଅପଚେଷ୍ଟା କରୁଥିବା ଖବର ଲଗାତାର ଭାବେ ଆସୁଛି । ବିଜେଡି ଦଳର ବରିଷ୍ଠ ଉପସଭାପତି ଯିଏକି ବଲାଙ୍ଗିରରୁ ଅନେକ ଥର ନିର୍ବାଚିତ ହୋଇ ବିଧାୟକ, ମନ୍ତ୍ରୀ ଓ ସାଂସଦ ହୋଇଛନ୍ତି, ତାଙ୍କ ଦଳର ନିର୍ବାଚନୀ ପ୍ରଚାର ପୂର୍ବରୁ ସେ ଅଂଚଳର ନିରିହ ଆଦିବାସୀମାନଙ୍କ ଉପରେ ପୋଲିସ ଲଗାଇ ଅଯଥା ମାନସିକ ନିର୍ଯ୍ୟାତନା ଦେଉଥିବା ଏବେ ସର୍ବ ସମ୍ମୁଖକୁ ଆସିଛି । ସେମିତି ବି ପ୍ରଥମରୁ ତାଙ୍କର ବିଜେଡି ସରକାର ଆଦିବାସୀଙ୍କ ନିର୍ବାଚନୀ ସଂରକ୍ଷଣ କାଟି ଆଦିବାସୀମାନଙ୍କୁ ତାଙ୍କର ସାମ୍ବିଧାନିକ ଅଧିକାରରୁ ବଞ୍ଚିତ କରିଛି । ପୁଣି ଏବେ ପୋଲିସ ଲଗାଇ ଗରିବ ଆଦିବାସୀଙ୍କୁ ହଇରାଣ କରିବା ଆରମ୍ଭ କରିଛି । ତେଣୁ ବନ୍ଧୁଗଣ ଏଇ ନିର୍ବାଚନରେ ଆଦିବାସୀ, ଓବିସି ଓ ସାଧାରଣ ବର୍ଗର ଲୋକେ ଏକବଦ୍ଧ ହୋଇ ଏହି ବିଜେଡି ବିଜେପି ସରକାରଙ୍କୁ ଉଚିତ ଜବାବ ଦିଅନ୍ତୁ । କଂଗ୍ରେସ ଦଳର ହାତ ଚିହ୍ନରେ ଭୋଟ ଦେଇ ନିଜ ଅଂଚଳର ବିକାଶ ସହ ଲୋକଙ୍କ ସାମ୍ବିଧାନିକ ଅଧିକାରକୁ ସୁରକ୍ଷିତ ରଖିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତୁ । ଆଜିର ଏହି ନିର୍ବାଚନୀ ସଭାରେ ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଉମାଶଙ୍କର ପଣ୍ଡା, ବ୍ଲକ ସଭାପତି ଉମାଶଙ୍କର ସାହୁ, ସାନନ୍ଦ ମିଶ୍ର, ବୁଲୁ ଦାନୀ, ଲୋପନ ମିଶ୍ର, ବିକି ପଣ୍ଡା ଓ ନାସିର ଖାନ ପ୍ରମୁଖ ଉପସ୍ଥିତ ଥିଲେ ।

jay balangir
Leave A Reply

Your email address will not be published.

17 − 13 =