ଅମାନବୀୟ ଘଟଣା : ୪ ମାସ ହେଲା ଗୋଟାଏ ପରିବାରକୁ ନିଆଁ ପାଣି ବାସନ୍ଦ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ତେଲେନପାଲି ପଂଚାୟତର ଜମୁନାପାଲି ଗାଁରେ ଏକ ଅମାନବୀୟ ଘଟଣା ଜଣାପଡ଼ିଛି । ଗୋଟାଏ ପରିବାରକୁ ଗତ ୪ ମାସ ହେଲା ନିଆଁ ପାଣି ବାସନ୍ଦ କରାଯାଇଥିବା ନେଇ ଅଭିଯୋଗ ହୋଇଛି । ପୀଡିତ ପରିବାର ଜିଲ୍ଲାପାଳ ଓ ଏସପିଙ୍କ ସମେତ ଅନ୍ୟାନ୍ୟ ଅଧିକାରୀଙ୍କୁ ଲିଖିତ ଭାବେ ଜଣାଇଥିଲେ ମଧ୍ୟ ନ୍ୟାୟ ମିଳି ନଥିବା ପୀଡିତ ପରିବାର ତରଫରୁ ସ୍ଥାନୀୟ ସାଂବାଦିକ ଭବନ ଠାରେ ଆୟୋଜିତ ହୋଇଥିବା ଏକ ସାଂବାଦିକ ସମ୍ମିଳନୀରେ ଅଭିଯୋଗ କରାଯାଇଛି ।
ସାଂବାଦିକ ସମ୍ମିଳନୀରେ ଦିଆ ଯାଇଥିବା ସୂଚନା ଅନୁଯାୟୀ , ଜମୁନାପାଲିର ଦିଲିପ କୁଅଁରଙ୍କ ପତ୍ନୀ ମହିମା ମହାନନ୍ଦ ୨୦୦୬ ମସିହାରୁ ଆଶାକର୍ମୀ ଭାବେ କାମ କରି ଆସୁଛନ୍ତି । ତେବେ ଗତ ଜୁଲାଇ ମାସରୁ ଖପ୍ରାଖୋଲ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ଓ ନର୍ସମାନେ ତାଙ୍କୁ ତାଙ୍କର କାର୍ୟ୍ୟ ସମ୍ପାଦନ କରିବା ପାଇଁ ମନା କରି ଦେଇଥିବା ସେ ଅଭିଯୋଗ କରିଛନ୍ତି । ଅପର ପକ୍ଷରେ ଜମୁନାପାଲି ଗାଁର ଲିଙ୍ଗରାଜ ନିଆଲଙ୍କ ନେତୃତ୍ୱରେ କିଛି ଖଳ ପ୍ରକୃତିର ବ୍ୟକ୍ତି ଗ୍ରାମବାସୀଙ୍କୁ ମତାଇ ଏକ କଙ୍ଗାରୁ କୋର୍ଟ କରି ମହିମାଙ୍କ ପରିବାରବର୍ଗକୁ ଗାଁରୁ ନିଆଁ ପାଣି ବାସନ୍ଦ କରି ଦେଇଛନ୍ତି । ସମ୍ପୃକ୍ତ ପରିବାରଙ୍କ ସହିତ କିଏ କଥା ହେଲେ କିମ୍ବା ତାଙ୍କ ସ୍ୱାସ୍ଥ୍ୟସେବା ଗ୍ରହଣ କଲେ ୨୦ ହଜାର ଟଙ୍କା ଜରିମାନା ଦେବାକୁ ଧମକ ଦିଆଯାଇଛି । ମହିମାଙ୍କ କହିବା ଅନୁଯାୟୀ ସରକାରଙ୍କ ପ୍ରୋତ୍ସାହନ ରାଶିରେ ସେ ଏକ ପାଇଖାନା ନିର୍ମାଣ କରିଥିଲେ । ଏହି ପାଇଖାନା ନିର୍ମାଣ କରିବା ପରେ ଲିଙ୍ଗରାଜ ତାଙ୍କ ପାଖକୁ ଆସି ଲାଂଚ ମାଗିଥିଲେ । ସେ ଲାଂଚ ନଦେବାରୁ ତାଙ୍କ ପ୍ରତି ରାଗ ରଖିଥିଲେ । ଇତି ମଧ୍ୟରେ ଗାଁର ଜଣେ ଗର୍ଭବତୀ ମହିଳାଙ୍କ ମୃତ୍ୟୁ ହୋଇଥିଲା । ସମ୍ପୃକ୍ତା ମହିଳା ଜଣଙ୍କ ସିକ୍‌ଲିନ୍‌ ତଥା ଅନ୍ୟ ରୋଗରେ ପୀଡିତ ଥିଲେ । ଡାକ୍ତର ମନା କରିବା ସତ୍ତେ୍ୱ ତା‌ଙ୍କ ଚତୁର୍ଥ ଥର ପାଇଁ ଗର୍ଭପତି ହୋଇଥିଲେ । ତେବେ ଆଶାକର୍ମୀଙ୍କ ଅବହେଳା ଯୋଗୁଁ ସମ୍ପୃକ୍ତ ଗର୍ଭବତୀ ମହିଳାଙ୍କ ମୃତ୍ୟୁ ହେଲା ବୋଲି ଲିଙ୍ଗରାଜ ଗାଁ ଲୋକଙ୍କୁ ମତାଇ ଦେଇଥିଲେ । ଲିଙ୍ଗରାଜ ଜଣେ ପ୍ରଭାବଶାଳୀ ବ୍ୟକ୍ତି ହୋଇଥିବାରୁ ଗାଁ ଲୋକଙ୍କୁ ନିଜ ସପକ୍ଷରେ ନେବା ସହିତ ପୋଲିସ ଓ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ଚାପ ପକାଇଥିଲେ । ଫଳରେ ଗତ ଜୁନ ମାସରୁ ମହିମାଙ୍କୁ ତାଙ୍କ କାମ କରିବା ପାଇଁ ବାଧା ଦିଆ ଯାଇଥିବା ସେ ଅଭିଯୋଗ କରିଛନ୍ତି । ସ୍ଥାନୀୟ ଥାନା ଅଧିକାରୀ, ଜିଲ୍ଲାପାଳ ଓ ଏସପିଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ଆଜି ମହିମା ସାଂବାଦିକ ସମ୍ମିଳନୀ ଜରିଆରେ ନିଜ ପକ୍ଷ ରଖିଛନ୍ତି । ଏହା ସହିତ ତାଙ୍କ ଜୀବନ ପ୍ରତି ବିପଦ ଥିବା ମଧ୍ୟ ସେ କହିଛନ୍ତି ।

Leave A Reply

Your email address will not be published.