csstore

ଏନ୍‌ସିସି ଦ୍ୱାରା ଆଜାଦୀ କା ବିଜୟ ମହୋତ୍ସବ : ବୀର ଶହୀଦଙ୍କୁ ସମ୍ମାନ

ଭୁବନେଶ୍ୱର, (କେ.ସତ୍ୟନାରାୟଣ ରେଡ୍ଡୀ) : ଭାରତ ସରକାରଙ୍କ ଆହ୍ୱାନକ୍ରମେ ତଥା ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ (ଏନ୍‌ସିସି) ମହାନିର୍ଦ୍ଦେଶାଳୟ ନୂଆଦିଲ୍ଲୀଙ୍କ ନିର୍ଦେଶରେ ସ୍ୱାଧୀନତାର ୭୫ ବର୍ଷ ପୁରଣ ଅବସରରେ ଆଜାଦୀ କା ବିଜୟ ମହୋତ୍ସବ ଓ ଏନ୍‌ସିସି ବିଜୟ ଶୃଙ୍ଖଳା ଅନ୍ତର୍ଗତ କାର୍ଯ୍ୟକ୍ରମ ଉପଲକ୍ଷେ ଷଷ୍ଠ ଓଡ଼ିଶା ଏନ୍‌ସିସି ବାଟାଲିୟନ ପୁରୀ ଆନୁକୂଲ୍ୟରେ ୧୯୭୧ ଭାରତ ପାକିସ୍ତାନ ଯୁଦ୍ଧରେ ଶହୀଦ ହୋଇଥିବା ବୀର ଯବାନମାନଙ୍କ ପରିବାରକୁ ସମ୍ମାନିତ କରିବା ଉପଲକ୍ଷେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏନ୍‌ସିସି ବିଜୟ ଶୃଙ୍ଖଳା ଅନ୍ତର୍ଗତ ଏହି କାର୍ଯ୍ୟକ୍ରମରେ ସାରା ଭାରତରେ ୧୯୭୧ ଯୁଦ୍ଧରେ ସହିଦ ହୋଇଥିବା ୭୫ ଜଣ ବୀରଙ୍କ ପରିବାରକୁ ୭୫ ଟା ସ୍ଥାନରେ ସମ୍ମାନିତ କରାଯିବାର କାର୍ଯ୍ୟକ୍ରମ ଅଛି ଯାହା ମଧ୍ୟରେ ପୁରୀ ଅନ୍ୟତମ । ଏହି ଯୁଦ୍ଧରେ ଶହୀଦ ହୋଇଥିବା ଓଡିଶାର ଦୁଇ ବୀର ସହିଦ ଫ୍ଲାଇଙ୍ଗ ଅଫିସର ପ୍ରକାଶ ସାହୁ ଏବଂ ଗାର୍ଡ କାଶୀନାଥ ସାହୁଙ୍କ ପରିବାରର ନିକଟ ସମ୍ପର୍କୀୟଙ୍କୁ ସମଗ୍ର ଦେଶରେ ଯୋଜନା ହୋଇଥିବା ଏନ୍‌ସିସି ବିଜୟ ଶୃଙ୍ଖଳା କାର୍ଯ୍ୟକ୍ରମର ଏକ ଅଂଶ ଭାବରେ ପୁରୀର ଷଷ୍ଠ ଓଡ଼ିଶା ଏନ୍‌ସିସି ବାଟାଲିଅନରେ ଉତ୍ତରୀୟ, ପତ୍ନୀ ଶ୍ରୀମତୀ ପ୍ରଶାନ୍ତି ସାହୁ ଓ ସହିଦ ଫ୍ଲାଇଙ୍ଗ ଅଫିସର ପ୍ରକାଶ ସାହୁଙ୍କ ଭାଇ ଶ୍ରୀ ପ୍ରଭାତ ସାହୁ ସମ୍ମାନ ଗ୍ରହଣ କରିଥିଲେ । ଏଥିରେ ଉଭୟେ ନିଜର ବିଗତ ଦିନର ଅନୁଭୂତି, ତ୍ୟାଗ ତଥା ସଂଘର୍ଷ ର କାହାଣୀ ପ୍ରକାଶ କରିଥିଲେ ଯାହା ସମସ୍ତଙ୍କର ହୃଦୟ ସ୍ପର୍ଶୀ ହୋଇଥିଲା । ବୀର ସହିଦଙ୍କ ତ୍ୟାଗ, ବୀରତ୍ୱ ଓ ବଳିଦାନକୁ ସମସ୍ତେ ସ୍ମରଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ସହ ସେମାନଙ୍କ ପରିବାରର ତ୍ୟାଗ ଓ ଧୌର୍ଯ୍ୟକୁ ପ୍ରଶଂସା ଓ ସମ୍ମାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଷଷ୍ଠ ଓଡ଼ିଶା ସମର ଶିକ୍ଷାର୍ଥୀ ବାହିନୀର ଭାରପ୍ରାପ୍ତ କମାଣ୍ଡିଂ ଅଫିସର କର୍ଣ୍ଣେଲ ପ୍ରସୂନ କୁମାର ପଣ୍ଡା ସଭାପତିତ୍ୱ କରିଥିବା ବେଳେ ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ ଅତିଥି ଭାବେ ଯୋଗଦେଇଥିଲେ । ଏହି ଅବସରରେ ଏନ୍‌ସିସି ମହାନିର୍ଦ୍ଦେଶାଳୟ ନୂଆଦିଲ୍ଲୀ ଦିଲ୍ଲୀଙ୍କ ଦ୍ଵାରା ପରିଚାଳିତ ସର୍ବ ଭାରତୀୟ ଏନ୍‌ସିସିର “ସି” ସାର୍ଟିଫିକେଟ ପରୀକ୍ଷାରେ ବିଗତ (୨୦୨୦-୨୧) ବର୍ଷ ସର୍ବମୋଟ ୫୦୩ ମାର୍କ ରଖିବା ସହ ଓଡିଶାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଏହି ଏନ୍‌ସିସି ବାଟାଲିଅନର ତଥା ସାମନ୍ତ ଚନ୍ଦ୍ରଶେଖର ସ୍ଵୟଂଶାସିତ ମହାବିଦ୍ୟାଳୟର ଏନ୍‌ସିସି କ୍ୟାଡେଟ ରୋଜି ମହାପାତ୍ରଙ୍କୁ ଟ୍ରଫି ସହ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧନା କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ସାମନ୍ତ ଚନ୍ଦ୍ରଶେଖର ସ୍ଵୟଂଶାସିତ ମହାବିଦ୍ୟାଳୟର ଏନ୍‌ସିସି ଅଧିକାରୀ ଡ଼ଃ ସଞ୍ଜୟ କୁମାର ସୁନ୍ଦରାୟ, ଏସ୍‌ଏମ୍‌ଏସ୍‌ ମହାବିଦ୍ୟାଳୟର ଡ଼ଃ ଶୁଭେନ୍ଦୁ ମିଶ୍ର, ଦୟାବିହାର ମହାବିଦ୍ୟାଳୟର ଡ଼ଃ ପ୍ରତାପ ହରିଚନ୍ଦନ ପରିଚାଳନା କରିଥିଲେ । ଏଥିରେ ଶତାଧିକ ଏନସିସି କ୍ୟାଡେଟ ମାନଙ୍କ ସହ ଏନ୍‌ସିସି ଅଫିସର ସମସ୍ତ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.