pakka

ବିଭିନ୍ନ ପ୍ରକଳ୍ପକୁ ନେଇ ଜିଲ୍ଲା ପ୍ରଶାସନ ସହ ଆଲୋଚନା କଲେ ନରସିଂହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ସାର୍କିଟ ହାଉସ ଠାରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ବଲାଙ୍ଗିର ନିର୍ବାଚନ ମଣ୍ଡଳୀର ନିର୍ମାଣାଧିନ ତଥା ନିର୍ମାଣ ହେବାକୁ ଥିବା ବିଭିନ୍ନ ପ୍ରକଳ୍ପ ଉପରେ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା ଏବଂ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି । ବିଶେଷ କରି ନିର୍ମାଣାଧିନ ପ୍ରକଳ୍ପ ଗୁଡିକ ଠିକ୍‌ ସମୟରେ ସମ୍ପୂର୍ଣ୍ଣ ହେବା ତଥା ଆଗକୁ ଆରମ୍ଭ ହେବାକୁ ଥିବା ପ୍ରକଳ୍ପଗୁଡିକ ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ଯେମିତି ଠିକ୍‌ ସମୟସୀମା ଉପରେ ଶେଷ ହେବ ସେହି ଉପରେ ଆଲୋଚନା ହେବା ସହ ବିସ୍ଥାପନ ଓ କ୍ଷତିପୁରଣକୁ ନେଇ ଲୋକଙ୍କ ଅଭିଯୋଗ ଉପରେ କଣ ସବୁ ପଦକ୍ଷେପ ନିଆଯାଇଛି ସେ ସବୁ ଉପରେ ମାନ୍ୟବର ବିଧାୟକ ଉପସ୍ଥିତ ଥିବା ଅତିରିକ୍ତ ଜିଲ୍ଲାପାଳ ତଥା ପ୍ରକଳ୍ପ ନିର୍ଦ୍ଦେଶକ ମହେନ୍ଦ୍ର ମହାପାତ୍ରଙ୍କୁ ପଚାରି ବୁଝିଥିଲେ । ବିସ୍ଥାପନ ଥଇଥାନ ଏବଂ ପୁର୍ନବାସ ପାଇଁ ଦିଆଯାଇଥିବା ବିଭିନ୍ନ କଲୋନୀରେ ଲୋକଙ୍କର ମୌଳିକ ସୁବିଧା ଯଥା ପିଇବା ପାଣି, ବିଜୁଳି ଏବଂ ରାସ୍ତାଘାଟର ସୁବିଧା କିପରି ଅଛି ସେ ସବୁର ରିପୋର୍ଟ ମାଗିଥିଲେ । ଲକ୍ଷ୍ମୀଯୋର ପ୍ରକଳ୍ପ କାମ ତଥା ସେଠାରେ ବିସ୍ଥାପିତ ହେବାକୁ ଥିବା ଲୋକଙ୍କ ପାଇଁ ବଛା ଯାଇଥିବା ନୂତନ ଅଂଚଳରେ ଜମି ଓ ଘର ଦେବାର ବ୍ୟବସ୍ଥା କେତେ ଦୂର ଯାଇଛି ସେ ଉପରେ ଆଲୋଚନା ହୋଇଥିଲା । ଏହି ଆଲୋଚନା ବେଳେ ନିର୍ମାଣାଧିନ ପୃଥ୍ୱୀରାଜ ହାଇସ୍କୁଲ ପଡିଆରେ ବ୍ୟାଡମିଣ୍ଟନ ଇନ୍‌ଡୋର ଷ୍ଟାଡିୟମର କାମକୁ ଶତପ୍ରତିଶତ ସମ୍ପୂର୍ଣ୍ଣ କରିସାରିଲା ପରେ ହିଁ ତାର ହନ୍ତାନ୍ତର ପ୍ରକ୍ରିୟା ଆରମ୍ଭ ହେବ ବୋଲି ନିଷ୍ପତ୍ତି ହୋଇଥିଲା । ପୌରାଂଚଳରେ ରାସ୍ତା, ଡ୍ରେନ, ବିଜୁଳି ସମସ୍ୟାକୁ ନେଇ ଆଲୋଚନା ବେଳେ ୱାର୍ଡ ନଂ.୩ ଏବଂ ୱାର୍ଡ ନଂ.୧୭ର ବିଜୁଳି ଓ ରାସ୍ତାକୁ ନେଇ ବିଧାୟକ ଶ୍ରୀ ମିଶ୍ର ଉଦ୍‌ବେଗ ପ୍ରକାଶ କରିବା ସହ ସେହି ଜାଗାରେ ପିଇବା ପାଣି ସମସ୍ୟାକୁ ଜନସ୍ୱାସ୍ଥ୍ୟ ବିଭାଗ ଅଣଦେଖା କରୁଛି ବୋଲି ବିଧାୟକ ଶ୍ରୀ ମିଶ୍ର କ୍ଷୋଭ ପ୍ରକାଶ କରିଥିଲେ । ଜିଲ୍ଲାପାଳ ଶ୍ରୀ ରାଣାଙ୍କ କିଛି ମାସ ପୂର୍ବରୁ ଏ ଅଂଚଳକୁ ଗସ୍ତ କରିଥିଲେ ଏବଂ ସେ ସମୟରେ ଥିବା ପିଇବା ପାଣି ସମସ୍ୟା ଆଜି ପର୍ଯ୍ୟନ୍ତ ପୁରଣ ହୋଇ ନ ଥିବାରୁ ଜନସ୍ୱାସ୍ଥ୍ୟ ବିଭାଗର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଇଂ. ପରିଡାଙ୍କୁ ଏହା ଉପରେ ୭ଦିନ ଭିତରେ ଏକ ରିପୋର୍ଟ ପ୍ରଦାନ କରିବା ସହ ଏହି ସମୟ ମଧ୍ୟରେ ସେଠାକାର ପିଇବା ପାଣି ସମସ୍ୟା ଦୂର କରିବା ପାଇଁ ନିର୍ଦ୍ଦେଶ ଦେଇ ଥିଲେ । ଗୋକୁଳଧାମ, ୱାର୍ଡ ନଂ.୩, ୧୭ର ବିଷ୍ଣୁମୁଣ୍ଡା ଓ ଗୋଠପଡା ରାସ୍ତା, ବିଜୁଳି ସମସ୍ୟା କେବେ ପୁରଣ ହେବ ଏବଂ ଜବରଦଖଲରେ ଥିବା ଟାଉନ ହାଇସ୍କୁଲ ଖେଳପଡିଆ ଏବଂ କଲେଜ ଛକ କଲ୍ୟାଣ ମଣ୍ଡପ ଅଂଚଳରୁ କେତେ ଦିନ ଭିତରେ ଜବରଦଖଲ ହଟା ଯିବ ତାର ସଠିକ୍‌ ଉତ୍ତର ଦିଅନ୍ତୁ ବୋଲି ବିଧାୟକ ଶ୍ରୀ ମିଶ୍ର ଉପସ୍ଥିତ ଥିବା ମ୍ୟୁନିସିପାଲିଟି କାର୍ଯ୍ୟନିର୍ବାହୀ ଅଧିକାରୀ ବିପିନ ଦିପଙ୍କୁ କହିଥିଲେ । ଆସନ୍ତା ୫ ଦିନ ଭିତରେ ଖେଳ ପଡିଆ ଓ କଲ୍ୟାଣ ମଣ୍ଡପର ଜବରଦଖଲ ହଟାଯିବ ଏବଂ ଅକ୍ଟୋବର ୧୫ ଭିତରେ ରାସ୍ତା ଓ ଡ୍ରେନ କାମ ଆରମ୍ଭ ହୋଇଯିବ ବୋଲି ପୌର ଅଧିକାରୀ ଶ୍ରୀ ଦୀପ ପ୍ରତିଶୃତି ଦେଇଥିଲେ । ଜନସ୍ୱାସ୍ଥ୍ୟ ବିଭାଗ ଲୋକଙ୍କ ସମସ୍ୟାକୁ ନେଇ ଅସମ୍ବେଦନଶୀଳ ହେଉଛି ବୋଲି ଆଲୋଚନାରେ ବିଧାୟକ ଶ୍ରୀ ମିଶ୍ର କ୍ଷୋଭ ପ୍ରକାଶ କରିବା ସହ ବାରମ୍ବାର ଅନୁରୋଧ ସତ୍ୱେ ରମାଇପଡାର ପିଇବା ପାଣି ସମସ୍ୟା ଦୂର ହୋଇପାରୁନାହିଁ ଏବଂ ବଲାଙ୍ଗିରରେ ନିର୍ମାଣ ହୋଇଥିବା ଅତି ସୁନ୍ଦର ରାସ୍ତାଗୁଡିକ ଜନସ୍ୱାସ୍ଥ୍ୟ ବିଭାଗ ଅକାରଣରେ ରାସ୍ତାକାଟି ନଷ୍ଟ କରୁଥିବାରୁ ଏହା ଉପରେ ଉପଜିଲ୍ଲାପାଳଙ୍କ ନେତୃତ୍ୱରେ ଏକ କମିଟି ନିର୍ମାଣ କରି ବିଭିନ୍ନ ବିଭାଗକୁ ଏ ବାବଦରେ ସୁଚନା ତଥା ରିପୋର୍ଟ ପ୍ରଦାନ କରିବାକୁ କୁହାଯାଇଥିଲା । ଏହା ସହ ଟେଙ୍କର ଯୋଗେ ପିଇବା ପାଣି ଯୋଗାଉଥିବାର ସବିଶେଷ ତଥ୍ୟକୁ ପ୍ରତ୍ୟେକ ଦିନ ଜନସାଧାରଣଙ୍କୁ ଜଣେଇ ଦେବା ପାଇଁ ନିଷ୍ପତ୍ତି ହୋଇଥିଲା । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଉପଜିଲ୍ଲାପାଳ ଲମ୍ବୋଦର ଧରୁଆ, ପୌର ଅଧିକାରୀ ବିପିନ କୁମାର ଦୀପ, ତହସିଲଦାର ମଗବାନ ବାଗ, ଜନସ୍ୱାସ୍ଥ୍ୟ ସହକାରୀ ଯନ୍ତ୍ରୀ ସୁବ୍ରତ ନାଏକ, କନିଷ୍ଠ ଯନ୍ତ୍ରୀ ବେହେରା, ମ୍ୟୁନିସିପାଲିଟିର ସମସ୍ତ କନିଷ୍ଠ ଯନ୍ତ୍ରୀ ତଥା ଅନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

2 × 1 =