pakka

ନବଜ୍ୟୋତି ସାହିତ୍ୟ ସଂସଦର ପୁସ୍ତକ ଉନ୍ମୋଚନ ଓ ସମ୍ବର୍ଦ୍ଧନା ସଭା

bbehera

ରାଉରକେଲା, (ସସ୍ମିତା ପ୍ରଧାନ) : ନବଜ୍ୟୋତି ସାହିତ୍ୟ ସଂସଦ ତରଫରୁ ସେକ୍ଟର ୨୦ସ୍ଥିତ କଳିଙ୍ଗ କଳା ପରିଷଦଠାରେ ପୁସ୍ତକ ଉନ୍ମୋଚନ ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । କବି କୁଞ୍ଜବିହାରୀ ରାଉତଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆର୍‌ଏସ୍‌ପିର ପ୍ରାକ୍ତନ ମହାପ୍ରବନ୍ଧକ ନାରାୟଣ ପତି ମୁଖ୍ୟ ଅତିଥି ଓ ଶିକ୍ଷାବିତ୍ ପ୍ରଶାନ୍ତ କୁମାର ପତି ମୁଖ୍ୟବକ୍ତା ରୂପେ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଗୀତିକବି ସମାଜର ସଭାପତି ତାରିଣୀ ଚରଣ ସାହୁ, କଳିଙ୍ଗ କଳା ପରିଷଦ ଉପସଭାପତି ଡ. ଶକ୍ତିପ୍ରସାଦ ସାମନ୍ତରାୟ, ଇସ୍ପାତ ସାହିତ୍ୟ ସଂସଦର ସାଧାରଣ ସଂପାଦକ ନୃସିଂହ ଚରଣ ବିଶ୍ବାଳ, ବରିଷ୍ଠ ସାମ୍ବାଦିକ ଜ୍ଞାନ ରଂଜନ ମିଶ୍ର, କବି ରଘୁବର ଧଳ, ଆର୍‌ଏସ୍‌ପିର ବରିଷ୍ଠ ଅଧିକାରୀ ବାବୁଲା ନାହାକ ଓ ବିଜୟ ସେନାପତି, ନିଖିଳ ଓଡିଶା ବାଣାୟତ ଓଡିଆ ସମାଜର ସଭାପତି ବାବାମଣି ପରିଡା ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ଅତିଥିମାନେ କବି ଅଭିରାମ ପ୍ରଧାନଙ୍କ ପୁସ୍ତକ ‘କବିତା ନବଜ୍ୟୋତି’ ଓ ସୁଲେଖିକା ସଚଳା ପତିଙ୍କ ପୁସ୍ତକ ‘ପ୍ରେରଣା ପ୍ରେରକର’କୁ ଉନ୍ମୋଚନ କରିଥିଲେ । କବି ଶ୍ରୀ ପ୍ରଧାନ ଓ ଶ୍ରୀମତୀ ପଣ୍ଡା ନିଜନିଜର ପୁସ୍ତକ ସଂପର୍କରେ ଲେଖକୀୟ ଅଭିମତ ରଖିଥିଲେ । ମୁଖ୍ୟ ଅତିଥି ଶ୍ରୀ ପତି ଲେଖକ ଦ୍ୱୟଙ୍କୁ ସାଧୁବାଦ ଦେବା ସହ ଓଡିଆ ଭାଷା ଓ ବ୍ୟାପୃତି ସଂପର୍କରେ ମତ ରଖିଥିଲେ । ମୁଖ୍ୟ ବକ୍ତା ଶିକ୍ଷାବିତ୍ ଶ୍ରୀ ପତି ପୁସ୍ତକ ଦ୍ୱୟର ସମୀକ୍ଷା କରିଥିଲେ । ସେ ନବଜ୍ୟୋତିର ଅର୍ଥ, ନାମର ସାର୍ଥକତା ତଥା କବିଙ୍କ ଭାବନା ଓ ଚେତନାରେ ଜଗନ୍ନାଥ କିପରି ଆପ୍ଳୁତ କରିଛନ୍ତି ସେ ସଂପର୍କରେ ଆଲୋଚନା କରିଥିଲେ । ହୃଦୟରୁ ସ୍ୱତଃପ୍ରବୃତ ଭାବେ କବିତାଧାରା କିପରି ପାଠକୀୟ ଆଦୃତି ଲାଭ କରେ ସେ କଥା ମଧ୍ୟ କହିଥିଲେ । ସେହିପରି ସମଗ୍ର ଗୀତା, ମହାଭାରତ, ରାମାୟଣର ସାରମର୍ମ ପ୍ରେରଣା ପ୍ରେରକର ପୁସ୍ତକରେ ପର୍ଯ୍ୟବେଶିତ ହୋଇଛି । ପ୍ରେରକ ସ୍ବୟଂ ଭଗବାନ କିପରି ବ୍ୟକ୍ତି ଭିତରେ ନାରାୟଣ ଚେତନାକୁ ପ୍ରକାଶିତ କରିଛନ୍ତି ସେ ସଂପର୍କରେ ମନ୍ତବ୍ୟ ରଖିଥିଲେ । ସମ୍ମାନିତ ଅତିଥିଗଣ ଭାଷା, ସାହିତ୍ୟ ଓ ସଂସ୍କୃତି ସଂପର୍କରେ ଆଲୋଚନା କରି ଅଧିକରୁ ଅଧିକ ଓଡିଆ ଭାଷାର ବ୍ୟାପକତା ସଂପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ ସାହିତ୍ୟ, ସାମ୍ବାଦିକତା, ନାଟ୍ୟକ୍ଷେତ୍ର ଓ ସମାଜସେବା ପାଇଁ ଇଂ ଜଳଧର ପ୍ରଧାନ, କୁଞ୍ଜବିହାରୀ ରାଉତ, ପ୍ରଦୀପ କୁମାର ପଣ୍ଡା ଓ ରାଜେନ୍ଦ୍ର ପ୍ରସାଦ ପଣ୍ଡାଙ୍କୁ ଉତ୍ତରୀୟ, ମାନପତ୍ର ଓ ପୁଷ୍ପଗୁଛ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ପରିଷଦର ଅନ୍ୟତମ ସଦସ୍ୟ ଭାସ୍କର ପୁହାଣ ଅଭିରାମ ପ୍ରଧାନଙ୍କ କବିତାରୁ ସଂଗୀତ ରୂପ ଦେଇ ଗାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ସୁମନ ଦତ୍ତ, ଅଶୋକ ଜେନା, ସୁଶାନ୍ତ କୁମାର ପଲେଇ, ଲମ୍ବୋଦର ପ୍ରଧାନ, ଶାନ୍ତିଲତା ପ୍ରଧାନ, ଅନିତା ପଲେଇ, ନମିତା ପ୍ରଧାନ ଓ ଅନ୍ୟମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.

20 + eight =