
ବଲାଙ୍ଗିର, (କେପିଏନ୍ଏସ୍) : ଫରେଷ୍ଟର ବ୍ୟାସଦେବ ସାହୁଙ୍କ ମୃତ୍ୟୁକୁ ନେଇ ଏବେ ବଢୁଛି ସସ୍ପେନସ୍ । କାରଣ ଖୋଜୁଛି ବଲାଙ୍ଗିର ପୋଲିସ । ଗତକାଲି ବଲାଙ୍ଗିର ରେଞ୍ଜ ଅଫିସ ପଛପଟେ ଥିବା ଷ୍ଟାଫ କ୍ୱାର୍ଟର ଭିତରୁ ଫରେଷ୍ଟର ବ୍ୟାସଦେବ ସାହୁଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଥିଲା । ତେବେ କଣ ଥାଇପାରେ ମୂଳ, କାରଣ କାହିଁକି ଏଭଳି କଲେ ବ୍ୟାସଦେବ, ଆତ୍ମହତ୍ୟାର ମୂଳ କାରଣ ସେନେଇ ଫରେଷ୍ଟର ବ୍ୟାସଦେବଙ୍କ ପରିବାର ଲୋକଙ୍କ ସହ ଆଲୋଚନା ପରେ ବିଭିନ୍ନ ଦିଗକୁ ନେଇ ତଦନ୍ତ କରୁଛି ବଲାଙ୍ଗିର ପୋଲିସ ବୋଲି ଆଜି ଗଣ ମାଧ୍ୟମ ସମ୍ମୁଖରେ ମୁଁହ ଖୋଲିଛନ୍ତି ସଦର ଏସଡିପିଓ ସରୋଜ ଉପାଧ୍ୟାୟ । ସୂଚନା ଅନୁସାରେ, ଗତକାଲି ଛୁଟି ଦିନ ଥିବା ବେଳେ ଘର ଭିତରୁ ଫରେଷ୍ଟର ବ୍ୟାସଦେବ ସାହୁ (୫୯)ବାହାରି ନଥିଲେ । ଅପରାହ୍ନରେ ଅନ୍ୟ ଏକ ଷ୍ଟାଫ ଯାଇଥିବା ବେଳେ ଭିତରୁ କବାଟ ବନ୍ଦଥିବା ଦେଖିଥିଲେ । ବାରମ୍ବାର ଡାକିବା ପରେ ମଧ୍ୟ ଶୁଣିନଥିଲେ । ପରେ ବଲାଙ୍ଗିର ଲକ୍ଷ୍ମୀଯୋର୍ ପୋଲିସ ଓ ସାଇଣ୍ଟଫିକ୍ ଟିମ୍ ପହଞ୍ଚିବା ପରେ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଥିଲା । ବଲାଙ୍ଗିର ଶବ ବ୍ୟବଚ୍ଛେଦ କେନ୍ଦ୍ରରେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପୋଲିସ ତଦନ୍ତକୁ ଆହୁରି ମଜବୁତ କରିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି । ତେବେ ସ୍ୱାଧୀନତା ଦିବସରେ ବେଷ୍ଟ ଫରେଷ୍ଟର ପୁରସ୍କାର ପାଇଥିବା ଜଣେ କାହିଁକି ଆତ୍ମହତ୍ୟା କରିଥାଏ। ସେନେଇ ସମସ୍ତଙ୍କ ମନରେ ପ୍ରଶ୍ନ ଉଠୁଥିବା ବେଳେ କଣ ରହିଛି ମୁଖ୍ୟ କାରଣ, ପୋଲିସ ତଦନ୍ତ କରିବାକୁ ଦାବି ହେଉଛି । ଅନ୍ୟପଟେ ବ୍ୟାସଦେବଙ୍କ ଭାଇ ଅଫିସିଆଲି ଚାପ ପାଇଁ ସେ ଏଭଳି ନିଷ୍ପତ୍ତି ନେଇ ଥାଇପାରନ୍ତି ବୋଲି କହିଛନ୍ତି । ଅଭିଯୋଗକୁ ଖଣ୍ଡନ କରି ବଲାଙ୍ଗିର ବନ ଅଧିକାରୀ ବ୍ୟାସଦେବ ଜଣେ ଭଲ ଫରେଷ୍ଟର ଥିଲେ, ତାଙ୍କ ନା ରେ ସେମିତି କିଛି ତ ଆଗରୁ ନ ଥିଲା କିନ୍ତୁ ଗୋଟିଏ ନୋଟିସ ଆସିଥିଲା, ଯାହାର ସମାଧାନ ହୋଇସାରିଥିଲା । ତେବେ ପୋଲିସ ମୂଳ କାରଣ ଖୋଜିବା ସହ ଘଟଣାର ତଦନ୍ତ କରୁ ବୋଲି ବନ ଅଧିକାରୀ କହିଛନ୍ତି ।