
ବଲାଙ୍ଗିର, (କେପିଏନ୍ଏସ୍) : କେନ୍ଦ୍ର ସରକାରଙ୍କ ସଂସ୍କୃତି ବିଭାଗ ତରଫରୁ ବଲାଙ୍ଗିର ମାଟିର ଦୁଇ ଜଣ ବରିଷ୍ଠ କଳାକାର ଡ. ଅର୍ଜୁନ ମୁଗ୍ରୀ ଏବଂ ଲୋକନାଥ ସିଂ ବରିଷ୍ଠ ସଂସ୍କୃତି ଗବେଷକ ଭାବରେ ମନୋନୀତ ହୋଇଛନ୍ତି । ସେହିପରି ସୁମିତ୍ର ଭୋଇ ଓ କଳ୍ପନା ଭ୍ୟାସ କନିଷ୍ଠ ସଂସ୍କୃତି ଗବେଷକ ଭାବରେ ମନୋନୀତ ହୋଇଛନ୍ତି । ସର୍ବ ଭାରତୀୟ ସ୍ତରରେ ୨୦୦ ଜଣ କଳାକାରଙ୍କୁ ଚୟନ କରାଯାଇଥିବା ଚିଠା ପ୍ରକାଶ ପାଇଛି । ଯେଉଁଥିରେ ବଲାଙ୍ଗିର ଦୁଇ ଜଣ କଳାକାର ଦୀର୍ଘ ଦିନରୁ କଳା ପ୍ରତି ସମର୍ଥିତ ଏବଂ କଳା ଜଗତରେ ନିଜକୁ ଜଡିତ କରି ରଖିଥିବା ଦକ୍ଷତା ଆଧାରରେ ବରିଷ୍ଠ ସଂସ୍କୃତି ଗବେଷକ ଭାବରେ ମନୋନୀତ ହୋଇଛନ୍ତି ଏବଂ କନିଷ୍ଠ ବିଭାଗରେ ଦୁଇ କଳାକାର ଲୋକନୃତ୍ୟରେ ପାରଦର୍ଶିତା କରିଥିବାରୁ ତାଙ୍କୁ ମଧ୍ୟରେ କନିଷ୍ଠ ସଂସ୍କୃତି ଗବେଷକ ଭାବରେ ମନୋନୀତ କରାଯାଇଛି । ତେଣୁ ବଲାଙ୍ଗିରର କଳାକାର ମହଲ ତଥା କଳା ପ୍ରେମୀମାନଙ୍କ ଠାରୁ ଶୁଭେଚ୍ଛାର ସୁଅ ଛୁଟୁଛି ।