jayashree

ସରକାରୀ ଯୋଜନା ଅପହଞ୍ଚ : ଦିବ୍ୟାଙ୍ଗ ଯୁବକଙ୍କୁ ମିଳିନି ଟ୍ରାଇ ସାଇକେଲ

ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : କେନ୍ଦ୍ର ଓ ରାଜ୍ୟ ସରକାର ଦିବ୍ୟାଙ୍ଗ ଲୋକମାନଙ୍କ ପାଇଁ ବିଭିନ୍ନ ସରକାରୀ ଯୋଜନା କରୁଥିବା ନେଇ ଡିଣ୍ଡିମ ପିଟୁ ଥିବା ବେଳେ ଏଠାରେ ତାହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ଜଣେ ଦିବ୍ୟାଙ୍ଗ ଯୁବକ ସରକାରଙ୍କ ବିଭିନ୍ନ ସୁବିଧା ସୁଯୋଗରୁ ବଞ୍ଚିତ ହେଉଥିବା ନେଇ ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କପିଲାଭଟା ଗାଁରେ ଦେଖିବାକୁ ମିଳିଛି । କପିଲାଭଟା ଗାଁର ଦେବାନନ୍ଦ ଛତ୍ରୀଆଙ୍କ ପୁଅ କିଷାନ କ୍ଷତ୍ରିୟ (୩୮) ହେଲେ ଆଜି ପର୍ଯ୍ୟନ୍ତ ଟ୍ରାଇ ସାଇକେଲ ଟିଏ ସରକାରଙ୍କ ପକ୍ଷରୁ ସେ ପାଇ ନଥିବା ଯୋଗୁଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଗରିବ ପରିବାର ହୋଇଥିବା ବେଳେ ଗାଡି ଭଡା କରି ବଙ୍ଗୋମୁଣ୍ଡାରେ ହୋଇଥିବା ଭିନ୍ନକ୍ଷମ ସାମର୍ଥ୍ୟ ଶିବିରରେ ଆବେଦନ କରିଥିଲେ ମଧ୍ୟ ପ୍ରଶାସନିକ ଅଧିକାରୀମାନଙ୍କୁ ହାରି ଗୁହାରି କରିଥିଲେ ମଧ୍ୟ କେହି ଧ୍ୟାନ ଦେଉନାହାନ୍ତି । ୫୦ ପ୍ରତିଶତ ଦିବ୍ୟାଙ୍ଗ ସାର୍ଟିଫିକେଟ ଥିଲେ ମଧ୍ୟ କୌଣସି ପ୍ରକାର ସୁବିଧା ସୁଯୋଗ ପାଇ ପାରୁନାହାନ୍ତି । ପରିଶ୍ରାଗାର ହେଉ କି ଶୌଚାଳୟ କରିବା ପାଇଁ ନାହିଁ ନଥିବା ଅସୁବିଧା ଭୋଗ କରୁଛନ୍ତି । ଦିବ୍ୟାଙ୍ଗର ବିଭିନ୍ନ ସମସ୍ୟାକୁ ନେଇ ୱାର୍ଡ ମେମ୍ବରଙ୍କ ଠାରୁ ସରପଞ୍ଚ ଠାରେ ଆକୁଳ ନିବେଦନ କରିଥିଲେ ମଧ୍ୟ କେହି ଧ୍ୟାନ ଦେଉନଥିବାରୁ ସେ ଏବେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏ ସମ୍ପର୍କରେ ବଙ୍ଗୋମୁଣ୍ଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ନିତୁଶ୍ରୀ ମେହେରଙ୍କୁ ଯୋଗାଯୋଗ କରିବାରୁ, ତଦନ୍ତ କରି ସରକାରଙ୍କ ବିଭିନ୍ନ ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି କହିଛନ୍ତି । ତୁରନ୍ତ ଜିଲ୍ଲା ଓ ବ୍ଲକ ପ୍ରଶାସନ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।

Leave A Reply

Your email address will not be published.