pakka

ସାଂସଦ ସୁରେଶ ପୂଜାରୀ ଓ କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ପ୍ରଦୀପ ପୁରୋହିତଙ୍କ ମରୁଡ଼ି ଅଞ୍ଚଳ ଗସ୍ତ : ଶତାଧିକ ବିଜେଡି କର୍ମୀଙ୍କ ଯୋଗଦାନ

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ସାଂସଦ ସୁରେଶ ପୂଜାରୀ ଓ ବିଜେପି କୃଷକ ମୋର୍ଚ୍ଚାର ରାଜ୍ୟ ସଭାପତି ତଥା ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ପଦ୍ମପୁର ମରୁଡ଼ି ଅଞ୍ଚଳ ଗସ୍ତ ସହ ବିଜେପିର ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି । ଗତକାଲି ସାଂସଦ ଶ୍ରୀ ପୂଜାରୀ ଓ ଶ୍ରୀ ପୁରୋହିତ ପାଇକମାଲ ବ୍ଲକ ଅନ୍ତର୍ଗତ ପାଇକମାଲ, ଭେଙ୍ଗରାଜପୁର, ପଲସଦା ଆଦି ଗ୍ରାମ ପଞ୍ଚାୟତ ଗୁଡିକର ମରୁଡ଼ି ପ୍ରଭାବିତ ଅଞ୍ଚଳ ଗସ୍ତ କରିବା ଅବସରରେ ମାଝିପାଲି, ରସମୁଣ୍ତା, ଗଉରଜୁରି, ପଲସଦା ଆଦି ଗ୍ରାମ ଗୁଡିକର ଚାଷ ଜମି ତଦାରଖ କରିଥିଲେ । ଗଉରଜୁରୀ ଗ୍ରାମରେ ଏବଂ ପଲସଦା ଗ୍ରାମରେ ଶହ ଶହ ସଂଖ୍ୟାରେ ଚାଷୀ ଉପସ୍ଥିତ ରହି ଧାନ କ୍ଷେତ ମାନ ଦେଖାଇବା ସହ ସ୍ୱଳ୍ପ ବୃଷ୍ଟି ଯୋଗୁଁ ବନ୍ଧ, କଣ୍ଟାରେ ମଧ୍ୟ ଟୋପାଏ ପାଣି ନଥିବା ଦେଖାଇ ଥିଲେ । ପଲସଦା ପଲ୍ଲୀମୁଣ୍ତାରେ ଦୀର୍ଘ ଦିନ ଧରି ଏକ ନଳକୂପ ଅଚଳ ଥିବା ବେଳେ ବ୍ଲକ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଅନୁରୋଧ କଲେ ମଧ୍ୟ କେହି ଶୁଣୁ ନଥିବା ମହିଳା ମାନେ ସାଂସଦଙ୍କ ଠାରେ ଅଭିଯୋଗ କରିଥିଲେ । ପଲସଦା ଗ୍ରାମରେ ଥିବା ଏକ ମାତ୍ର ବନ୍ଧରେ ଗ୍ରା.ପ. ତରଫରୁ ଏକ ଡିପ୍ ବୋରୱେଲ ଖୋଲାଯାଇ ଥିବା ବେଳେ ତାହା ମଧ୍ୟ ସଂପୂର୍ଣ୍ଣ ହୋଇ ନଥିବା ଗ୍ରାମବାସୀ ମାନେ ଅଭିଯୋଗ କରିଥିଲେ । ପଲସଦା ଠାରେ କୃଷକ ସଙ୍ଗଠନର ସଦସ୍ୟ ମାନେ ସାଂସଦଙ୍କୁ ଓ ପୂର୍ବତନ ବିଧାୟକଙ୍କୁ ସ୍ୱାଗତ କରିବା ସହ ତୁମରିପାଣି ଅଙ୍ଗନଦୀରୁ ଯଦି ଏକ ଡାଇଭରସନ ପାଇଁ ଚେକ୍‌ ଡେମ୍‌ କରାଯାଆନ୍ତା ତେବେ ପଲସଦା ଗ୍ରାମ ପଞ୍ଚାୟତ ସମେତ ମରୁଡ଼ି ପ୍ରପୀଡିତ ବାଦିକଟା, କେର୍ମେଲାବାହାଲ, ଭେଙ୍ଗରାଜପୁର ପାଖପାଖି ୭ଟି ଗ୍ରା.ପ.ର ଜମିର ପାଣି ମାଡି ପାରିବ ବୋଲି ଚାଷୀ ମାନେ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ଅପରାହ୍ନ ୨ ଘଣ୍ଟା ସମୟରେ ସର୍ଗିବାହଲ ମଣ୍ତଳ କାର୍ୟ୍ୟକର୍ତ୍ତା ମାନଙ୍କ ଏକ ସମାବେଶ ମଣ୍ତଳ ସଭାପତି ନିରାକାର ବରିହାଙ୍କ ସଭାପତିତ୍ୱରେ ବରିହାପାଲି କ୍ରିକେଟ ପଡିଆରେ ଅନୁଷ୍ଠିତ ହୋଇଥିଲା । ଏଥିରେ ସାଂସଦ ସୁରେଶ ପୂଜାରୀ ମୁଖ୍ୟ ଅତିଥି, ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ମୁଖ୍ୟ ବକ୍ତା, ଆଦିବାସୀ ମୋର୍ଚ୍ଚାର ରାଜ୍ୟ ସାଧାରଣ ସମ୍ପାଦକ ଗୋବର୍ଦ୍ଧନ ଭୋଇ, ଯୁବମୋର୍ଚ୍ଚା ରାଜ୍ୟ ସଂପାଦକ ପ୍ରୀତେଶ ବହିଦାର, ଜିଲ୍ଲା ସାଧାରଣ ସଂପାଦକ ସରୋଜ ପାଣିଗ୍ରାହୀ, ସରପଞ୍ଚ ସତ୍ୟବାନ ପ୍ରଧାନଙ୍କ ସମେତ ଅନେକ ବିଜେପିର ଅନେକ ବରିଷ୍ଠ ନେତୃ ମଣ୍ତଳୀ ଯୋଗ ଦେଇଥିଲେ । ପଦ୍ମପୁର ଡାକ ବଙ୍ଗଳା ଠାରେ ବିଜେପିରେ ଏକ ମିଶ୍ରଣ ପର୍ବରେ ଯୁବ ସମାଜସେବୀ ଜୟକୃଷ୍ଣ ପାତ୍ର, ଯୁବନେତା ଯାଦବ ସମାଜ ସଭାପତି ଟିକେଲାଲ ବାଗ, ପଙ୍କିଜ ସେଠ, ପିତ ପାଣ୍ତେ, ଫକିର ସାହା, ହେମସାଗର କାଳସେ, ମହେଶ ପାଣ୍ତେ, ଶୁଶାନ୍ତ ବଗର୍ତ୍ତି, ପ୍ରକାଶ ବେହେରା, ରମେଶ ଭୋଇ, ପ୍ରତାପ ମାଝୀ, ଦିଲ୍ଲୀପ ଲୁହାର ଆଦି ବିଜେଡି, କଂଗ୍ରେସ ଦଳ ଛାଡି ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଥିଲେ । ସାଂସଦ ଶ୍ରୀ ପୂଜାରୀଙ୍କ ସମେତ ସମସ୍ତ ନେତୃ ମଣ୍ତଳୀ ଫୁଲତୋଡା ଦେଇ ସମସ୍ତଙ୍କୁ ବିଜେପିରେ ସାମିଲ କରାଇଥିଲେ ।

Leave A Reply

Your email address will not be published.

4 × two =