csstore

ଲାଞ୍ଚ ମାମଲାରେ ପାଇକମାଲ ଏସ୍‌ଡିସିସି ବ୍ୟାଙ୍କର ପୂର୍ବତନ ଶାଖା ପରିଚାଳକ ଦୋଷୀ ସାବ୍ୟସ୍ତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଦୁର୍ନୀତି ବିରୋଧୀ ଅଭିଯାନରେ ଓଡ଼ିଶା ଭିଜିଲାନ୍ସକୁ ଆଉ ଏକ ସଫଳତା ମିଳିଛି । ପାଇକମାଲ ସ୍ଥିତ ଏସ୍‌ଡିସିସି ବ୍ୟାଙ୍କର ପୂର୍ବତନ ଶାଖା ପରିଚାଳକ ରଘୁମଣି ସାହୁ ଏକ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ବୁଧବାର ବରଗଡ଼ ଭିଜିଲାନ୍ସ ସ୍ୱତନ୍ତ୍ର ନ୍ୟାୟାଳୟ ତାଙ୍କୁ ୩ ବର୍ଷ ସଶ୍ରମ କାରାଦଣ୍ଡ ସହ ୨୦ ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ଶୁଣାଇଛନ୍ତି । ସୂଚନା ଅନୁଯାୟୀ, ୨୦୧୫ ମସିହାରେ ରଘୁମଣି ସାହୁ ପାଇକମାଲ ଶାଖାରେ ଶାଖା ପରିଚାଳକ ଭାବେ କାର୍ଯ୍ୟରତ ଥିବା ସମୟରେ ଜାମସେଠ ସେବା ସମବାୟ ସମିତିର ଜଣେ ସଦସ୍ୟଙ୍କ ନାମରେ ମିଡିୟମ ଟର୍ମ ନନ୍-ଆଗ୍ରିକଲଚରାଲ (ଏମ୍‌ଟିଏନ୍‌ଏଲ୍‌) ଦୋକାନ ଋଣ ମଞ୍ଜୁର କରିବା ପାଇଁ ୮ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ । ଅଭିଯୋଗକାରୀ ଏନେଇ ଭିଜିଲାନ୍ସର ଦ୍ୱାରସ୍ଥ ହେବା ପରେ ଯୋଜନାବଦ୍ଧ ଭାବେ ଫାନ୍ଦ ପତାଯାଇଥିଲା । ୧୫ ନଭେମ୍ବର ୨୦୧୫ରେ ଲାଞ୍ଚ ଟଙ୍କା ଗ୍ରହଣ କରୁଥିବା ସମୟରେ ସେ ଭିଜିଲାନ୍ସ ଟିମ୍‌ ହାତରେ ଧରାପଡ଼ିଥିଲେ । ଘଟଣା ପରେ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ତାଙ୍କ ବିରୋଧରେ ଦୁର୍ନୀତି ନିବାରଣ ଆଇନ, ୧୯୮୮ର ଧାରା ୭ ଏବଂ ଧାରା ୧୩(୧)(ଡି) ସହ ୧୩(୨) ଅନୁଯାୟୀ ମାମଲା ରୁଜୁ କରାଯାଇଥିଲା । ତଦନ୍ତ ଶେଷ ହେବା ପରେ ଭିଜିଲାନ୍ସ ପକ୍ଷରୁ ନ୍ୟାୟାଳୟରେ ଚାର୍ଜସିଟ୍ ଦାଖଲ କରାଯାଇଥିଲା । ମାମଲାର ବିଚାର ପରେ ବରଗଡ଼ ଭିଜିଲାନ୍ସ ସ୍ୱତନ୍ତ୍ର ନ୍ୟାୟାଳୟ ରଘୁମଣି ସାହୁଙ୍କୁ ଦୋଷୀ ସାବ୍ୟସ୍ତ କରି ୩ ବର୍ଷ ସଶ୍ରମ କାରାଦଣ୍ଡ ଏବଂ ୨୦ ହଜାର ଟଙ୍କା ଜରିମାନା ଦଣ୍ଡ ଦେଇଛନ୍ତି । ଜରିମାନା ଅନାଦାୟ କ୍ଷେତ୍ରରେ ଅତିରିକ୍ତ କାରାଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ଜଣାପଡ଼ିଛି । ରଘୁମଣି ସାହୁ ବର୍ତ୍ତମାନ ଅବସରପ୍ରାପ୍ତ ହୋଇଥିବା ବେଳେ, ତାଙ୍କ ଦୋଷସିଦ୍ଧି ପରେ ପେନସନ ସୁବିଧା ବନ୍ଦ କରିବା ଲାଗି ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ନିକଟରେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ଓଡ଼ିଶା ଭିଜିଲାନ୍ସ ସୂଚନା ଦେଇଛି ।ଏହି ରାୟକୁ ଦୁର୍ନୀତି ବିରୋଧୀ ଲଢ଼େଇରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ଦେଖାଯାଉଛି । ସରକାରୀ ଓ ଆର୍ଥିକ ଅନୁଷ୍ଠାନରେ ଦୁର୍ନୀତିରେ ଲିପ୍ତ ଅଧିକାରୀଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଜାରି ରହିବ ବୋଲି ଭିଜିଲାନ୍ସ ପକ୍ଷରୁ ପୁନର୍ବାର ସ୍ପଷ୍ଟ କରାଯାଇଛି ।

jayashree
Leave A Reply

Your email address will not be published.