
- ବିସ୍ଥାପିତ ହେବାକୁଥିବା ପରିବାର ପାଇଁ ଆର୍ଏସ୍ପିର ପ୍ରସ୍ତାବିତ ଥଇଥାନ ପ୍ୟାକେଜ ଘୋଷଣା
ରାଉରକେଲା, (ସସ୍ମିତା ପ୍ରଧାନ) : ବାର୍ଷିକ ୪.୫ ମିଲିଅନ ଟନ ଉତ୍ପାଦନ କ୍ଷମତାକୁ ବୃଦ୍ଧି କରି ବାର୍ଷିକ ପ୍ରାୟ ୧୦ ମିଲିଅନ ଟନ ଷ୍ଟିଲ ଉତ୍ପାଦନର ଲକ୍ଷ ନେଇ ବର୍ତ୍ତମାନ ରାଉରକେଲା ଇସ୍ପାତ କାରଖାନା କର୍ତ୍ତୃପକ୍ଷ ଟାଙ୍ଗରପାଲ୍ଲୀ ଥାନା ଅଞ୍ଚଳରେ ଥିବା କେତେକ ବସ୍ତିକୁ ଉଚ୍ଛେଦ କରିବା ପାଇଁ କରିଥିବା ଯୋଜନାକୁ ବିସ୍ଥାପିତ ହେବାକୁ ଥିବା ପରିବାର ସଦସ୍ୟ ମାନଙ୍କ ପକ୍ଷରୁ ତୀବ୍ର ବିରୋଧ କରାଯାଉଛି । ବିସ୍ଥାପିତଙ୍କ କହିବା କଥା ଆମକୁ ଉଚିତ ଥଇଥାନ ନକରାଇ ଉଚ୍ଛେଦ କରିବା ବେଆଇନ । ଗ୍ରାମବାସୀଙ୍କ ଏହି ଅଭିଯୋଗ କ୍ରମେ ରଘୁନାଥପଲ୍ଲୀ ବିଧାୟକ ତଥା ସୁନ୍ଦରଗଡ ଜିଲ୍ଲା ଯୋଜନା ବୋର୍ଡ଼ର ଅଧ୍ୟକ୍ଷ ଦୁର୍ଗା ଚରଣ ତନ୍ତୀଙ୍କ ହସ୍ତକ୍ଷେପ ଫଳରେ ଆଜି ରାଉରକେଲା ଇସ୍ପାତ କାରଖାନା କର୍ତ୍ତୃପକ୍ଷ ଏବଂ ଜିଲ୍ଲା ପ୍ରଶାସନର ଅଧିକାରୀଙ୍କ ଉପସ୍ଥିତିରେ ଗ୍ରାମବାସୀଙ୍କୁ ନେଇ ରାଉରକେଲା ହାଉସ ପରିସରରେ ଏକ ତ୍ରିପାକ୍ଷିକ ବୈଠକ ବସିଥିଲା । ବୈଠକରେ ଉପସ୍ଥିତ ଥିବା ରାଉରକେଲା ଇସ୍ପାତ କାରଖାନାର ଇଡି(ଏଚ୍ଆର୍) ତରୁଣ ମିଶ୍ର ବିସ୍ଥାପିତ ହେବାକୁ ଥିବା ପରିବାର ପାଇଁ ସମ୍ପ୍ରତି ରହୁଥିବା ଘର ବାବଦରେ ୧ଲକ୍ଷ ଟଙ୍କା, ନୂତନ ଗୃହ ନିର୍ମାଣ ବାବଦରେ୩, ୧୨,୪୬୫ ଟଙ୍କା, ଏକକାଳୀନ ସ୍ଥାନାନ୍ତର ଭତ୍ତା ୧,୦୪,୧୫୫ ଟଙ୍କା ଏହିପରି ମୋଟ ୫,୧୬,୬୨୦ ଟଙ୍କାର ଏକ ପ୍ରସ୍ତାବିତ କ୍ଷତିପୂରଣ ପ୍ୟାକେଜ ଘୋଷଣା କରିଥିଲେ । ଏହା ସହିତ ବିସ୍ଥାପିତ ପରିବାରଙ୍କୁ ନିକଟରେ ଥିବା ଦେଓଗାଁ ଅଞ୍ଚଳରେ ଖାଲିଥିବା ଜମିରେ ଆବଶ୍ୟକ ଭିତ୍ତିଭୂମିର ବିକାଶ କରିବା ପରେ ଯାଇ ପ୍ରତ୍ୟେକ ପରିବାରକୁ ୬୫୦ବର୍ଗ ଫୁଟର ଏକ ପ୍ଲଟ ମଧ୍ୟ ଯୋଗାଇଦେବା ସହିତ ବିସ୍ଥାପିତ ପରିବାରର ଜଣଙ୍କୁ ଆଉଟସୋର୍ସିଙ୍ଗ ବ୍ୟବସ୍ଥା ମାଧ୍ୟମରେ କାରଖାନାରେ ନିଯୁକ୍ତି ପ୍ରଦାନ କରାଇବାର ପ୍ରୟାସ କରିବା ସମେତ ସେମାନଙ୍କୁ ତଥା ସେମାନଙ୍କର ପରିବାର ସଦସ୍ୟ ମାନଙ୍କୁ ଇଏସ୍ଆଇ ବ୍ୟବସ୍ଥା ମାଧ୍ୟମରେ ସ୍ୱାସ୍ଥ୍ୟ ଚିକିତ୍ସା ସେବା ମଧ୍ୟ ଯୋଗାଇ ଦେବା ପାଇଁ ବ୍ୟବସ୍ଥା କରାଯିବ ବୋଲି ରାଉରକେଲା ଇସ୍ପାତ କାରଖାନାର ଇ ଡ଼ି ତରୁଣ ମିଶ୍ର ଘୋଷଣା କରିଥିଲେ । ଏହି ବୈଠକରେ ଉପସ୍ଥିତ ଥିବା ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଦିନା ଦସ୍ତାଗୀର ସହର ଏବଂ ସହରବାସୀଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ରାଉରକେଲା ଇସ୍ପାତ କାରଖାନାର ସମ୍ପ୍ରସାରଣ ନିତ୍ୟାନ୍ତ ଆବଶ୍ୟକ, ତେଣୁ ଏଭଳି ଏକ ମହତ କାର୍ଯ୍ୟରେ ସମସ୍ତେ ସହଯୋଗ କରିବା ପାଇଁ ଉପସ୍ଥିତ ପ୍ରଭାବିତ ପରିବାରକୁ ଅତିରିକ୍ତ ଜିଲ୍ଲାପାଳ ଦିନା ଦସ୍ତାଗୀର ଆହ୍ୱାନ ଦେଇଥିଲେ । ବୈଠକରେ ଉପସ୍ଥିତ ରଘୁନାଥପଲ୍ଲୀ ବିଧାୟକ ତଥା ସୁନ୍ଦରଗଡ ଜିଲ୍ଲା ଯୋଜନା ବୋର୍ଡ଼ର ଅଧ୍ୟକ୍ଷ ଦୁର୍ଗା ଚରଣ ତନ୍ତୀ ନିଜ ବକ୍ତବ୍ୟରେ ବିକାଶ ଏକ ନିରନ୍ତର ପ୍ରକ୍ରିୟା ଏହା ପୂର୍ବରୁ ଚାଲିଆସୁଛି ଆଗକୁ ଏହା ଚାଲୁ ରହିବ ଏଥିରେ ତିଳେମାତ୍ର ସନ୍ଦେହ ନାହିଁ । ତେବେ ବିକାଶ ପ୍ରକ୍ରିୟାରେ ଅଞ୍ଚଳରେ ବିସ୍ଥାପିତ ପରିବାରଙ୍କ ଉଚିତ ଥଇଥାନ ମଧ୍ୟ ଆବଶ୍ୟକ ଯାହାକି ଏଭଳି ଆଲୋଚନା ମାଧ୍ୟମରେ ହିଁ ସମ୍ଭବ ହୋଇପାରିବ ବୋଲି ବିଧାୟକ ଦୁର୍ଗା ଚରଣ ତନ୍ତୀ ଆଶା ପ୍ରକାଶ କରିଥିଲେ । ଅପରପଟେ ବୈଠକରେ ଉପସ୍ଥିତ ଥିବା ବିସ୍ଥାପିତ ହେବାକୁ ଥିବା ପରିବାର ସଦସ୍ୟଙ୍କ ମଧ୍ୟରୁ କେତେକ କୌଣସି ପ୍ରକାରର ନିଷ୍ପତ୍ତି ନେବା ପାଇଁ ଆଉ ୪/୫ ଦିନର ସମୟ ଦେବା ପାଇଁ କହିଥିବା ବେଳେ ଆଉ କେତେକ ପ୍ରସ୍ତାବିତ କ୍ଷତିପୂରଣ ପ୍ୟାକେଜ କ୍ରିୟାନ୍ଵୟନର ଗ୍ୟାରେଣ୍ଟି ଦେବା ପାଇଁ ମଧ୍ୟ ପ୍ରସ୍ତାବ ଦେଇଥିଲେ । ଏହି ବୈଠକରେ ରାଉରକେଲା ଇସ୍ପାତ କାରଖାନାର ସହର ସେବା ବିଭାଗର ସିଜିଏମ୍ ଡ଼ି ଜି କସନେକର, ଟାଉନ ଇଂଜିନିୟରିଂ ବିଭାଗର ସିଜିଏମ ବି କେ ଯୋଜୋ, ଏ ଏସ ପି ଆର କେ ମିଶ୍ର, ଡ଼ିଏସପି ମନୋରଞ୍ଜନ ପ୍ରଧାନଙ୍କ ସମେତ ବହୁ ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ ।