ଭାଇଚାରା ଓ ଅସ୍ମିତାର ମହାପର୍ବ ୫ମ ଜାତୀୟ ଗ୍ରାମୀଣ ମହୋତ୍ସବ

  • କବି ବିଷ୍ଣୁପଦ ସେଠୀ, ବନ ପ୍ରଶାସକ ଦେବୀଦତ ବିଶ୍ୱାଳ ଓ ଡ. ସଂଘମିତ୍ରା ପତିଙ୍କୁ ବିଶ୍ୱମୁକ୍ତି ରାଷ୍ଟ୍ରୀୟ ସମ୍ମାନ ପ୍ରଦାନ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଭାରତୀୟ ଭାଷା, ସାହିତ୍ୟ ଓ ସାଂସ୍କୃତିର ପ୍ରମୁଖ ଅନୁଷ୍ଠାନ ‘ବିଶ୍ୱମୁକ୍ତି’ ଓ ପୁରାତନ ଛାତ୍ର ପରିଷଦ ଦ୍ୱାରା ଆୟୋଜିତ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡିଶା ସରକାର ଦ୍ୱାରା ପ୍ରାୟୋଜିତ ଭାଇଚାରା ଓ ଅସ୍ମିତାର ମହାପର୍ବ ୫ମ ଜାତୀୟ ଗ୍ରାମୀଣ ଉତ୍ସବର ୨ୟ ସନ୍ଧ୍ୟାରେ କେ.ପି.ପି. ଉଚ୍ଚ ବିଦ୍ୟାଳୟ ମୁନିନ୍ଦା, ଡେଲାଙ୍ଗ ପରିସରରେ ମୁଖ୍ୟ ଅତିଥି ସାଂସଦ ତଥା ଶିକ୍ଷାବିତ୍‌ ଡ. ଅଚ୍ୟୁତ ସାମନ୍ତ ଯୋଗଦେଇ ଜାତୀୟ ସଂସ୍ଥା ପାୱାରଗ୍ରୀଡ଼ ଦ୍ୱାରା ନିର୍ମିତ ଗ୍ରାମାଚଂଳରେ ହେରିଟେଜ୍‌ ହଲ୍‌କୁ ଉଦ୍‌ଘାଟନ କରିବା ସହ ବିଦ୍ୟାଳୟର ପ୍ରତିଷ୍ଠାତା, ଶଶାଙ୍କ ଚୂଡାମଣି କ୍ରୀଡ଼ା କକ୍ଷକୁ ଲୋକାର୍ପିତ କରିଥିଲେ । ବିଶ୍ୱମୁକ୍ତି ରାଷ୍ଟ୍ରୀୟ ସାହିତ୍ୟ ସମ୍ମାନରେ ବିଷ୍ଣୁପଦ ସେଠୀ, ଆଇଏଫଏସ୍‌, ଶ୍ରେଷ୍ଠ ପ୍ରଶାସକ ସେବା ପାଇଁ ଡେଲାଙ୍ଗ ମାଟିର ଗର୍ବ, ବନମୁଖ୍ୟ ଦେବୀଦତ ବିଶ୍ୱାଳ, କ୍ରୀଡ଼ା ସଂଗଠନ ଭାବରେ ଖୋ ଖୋ ଓଡ଼ିଶାର ସମ୍ପାଦକ ପ୍ରଦ୍ୟୁମ୍ନ ମିଶ୍ର, ଉସୁ ପ୍ରଶିକ୍ଷକ ନଟବର ସେଠୀ, ସ୍ୱାସ୍ଥ୍ୟ ସେବା ପାଇଁ ଡ. ସଂଘମିତ୍ରା ପତି, ନିର୍ଦ୍ଦେଶିକା ଆରଏମ୍‌ଆରସିଙ୍କୁ ସମ୍ମାନିତ କରିବା ଅବସରରେ ତାଙ୍କ ବକ୍ତବ୍ୟରେ ଶିକ୍ଷା ହିଁ ସମାଜ ଗଠନର ମୂଳମନ୍ତ୍ର ବୋଲି ପ୍ରକାଶ କରିଥିଲେ । କବି ବିଷ୍ଣୁପଦ ସେଠୀ ଡେଲାଙ୍ଗ ଅଂଚଳର ଗୌରବ ଗାଥାକୁ ସ୍ମରଣ କରିଥିବା ବେଳେ ଓଡ଼ିଶା ବନବାହିନୀ ମୁଖ୍ୟ ଦେବୀଦତ ବିଶ୍ୱାଳ, ଆଇଏଫଏସ୍‌ ସମ୍ମାନର ଉତ୍ତତ୍ତରରେ ବେରବୋଇର ଗାନ୍ଧୀଙ୍କ ରହଣି ଓ ତାଙ୍କ ଦର୍ଶନର ପ୍ରଭାବ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଅନୁଷ୍ଠାନ ସମ୍ପାଦକ ଅଧ୍ୟାପକ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ବିଦ୍ୟାଳୟର ସଭାପତି ସୁଶ୍ରୀ ସନ୍ଧ୍ୟାବତୀ ପ୍ରଧାନଙ୍କ ଅଧ୍ୟକ୍ଷତାରେ ପାୱାରଗ୍ରୀଡ଼ର କାର୍ଯ୍ୟପାଳ ନିର୍ଦ୍ଦେଶକ ୟୁଗେଶ ଦୀକ୍ଷିତଙ୍କୁ ସମ୍ମାନିତ କରାଯାଇଥିଲା । ସିନେ ଶିଳ୍ପୀ ଗୁଡୁ ଓ ଅର୍ପିତାଙ୍କ ସହ ରାଜ୍ୟ ସଂସ୍କୃତି ବିଭାଗର କଳାକାର ତଥା ବିଦ୍ୟାଳୟର ଛାତ୍ରଛାତ୍ରୀ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ କରିଥିଲେ । ୧୯୩୮ ମସିହାରେ ଡେଲାଙ୍ଗରେ ଅବସ୍ଥାନ କରିଥିବା ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ସହ ତାଙ୍କ ନାତି ଅରୁଣ ଗାନ୍ଧୀ ଓ ସ୍ଥାନୀୟ ବ୍ଲକର ପଂଚାୟତ ପ୍ରତିନିଧି ଟୁଲୁ ରାଉତରାୟଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଗତ କରାଯାଇ ନିରବ ପ୍ରାର୍ଥନା କରାଯାଇଥିଲା । ବିଶ୍ୱମୁକ୍ତି କାର୍ଯ୍ୟ ନିର୍ବାହୀ ଶ୍ରୀମତୀ ସବିତା ଦାସ ଧନ୍ୟବାଦ ପ୍ରଦାନ କରିଥିଲେ ।

ଉକ୍ତ ଗରିମାମୟ ଗ୍ରାମୀଣ ଉତ୍ସବକୁ ମେ’ ୨ ତାରିଖ ସନ୍ଧ୍ୟାରେ ବିଶିଷ୍ଟ କବି ତଥା ରାଜ୍ୟ ଯୋଜନା ବୋର୍ଡର ସଦସ୍ୟ ଡ. ପ୍ରସନ୍ନ ପାଟ୍ଟଶାଣୀ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଜାତୀୟ ମର୍ଡନ ଆର୍ଟ ଗ୍ୟାଲେରୀର ମହାନିର୍ଦ୍ଦେଶକ ବିଶିଷ୍ଟ ସ୍ଥପତି ଅଦୈତ ଗଡ଼ନାୟକ, କଣ୍ଠଶିଳ୍ପୀ ବିଚିତ୍ରାନନ୍ଦ ଦେଓ, ଏମଏସଏମଇ ସଂସ୍ଥାନର ଉପନିର୍ଦ୍ଦେଶକ ସଚ୍ଚିତାନନ୍ଦ ଦାସ, ଆଇଇଏସ୍‌, ପ୍ରଖ୍ୟାତ ସିନେ ତାରକା ବବି ମିଶ୍ର ଓ ପୁନମ ମିଶ୍ର ଯୋଗଦେଇ ଭାରତୀୟ ଗ୍ରାମ୍ୟ ସଂସ୍କୃତି କିଭଳି ସାମାଜିକ ବନ୍ଧନକୁ ସୁଦୃଢ଼ କରି ବିକାଶ ପଥରେ ଆଗେଇଥିଲା, ବକ୍ତବ୍ୟରେ ଉପସ୍ଥାପିତ କରିଥିଲେ । ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଓଡ଼ିଶା ସଂସ୍କୃତି ବିଭାଗର ସାଂସ୍କୃତିକ ଦଳ ଦ୍ୱାରା ବିଳମ୍ବିତ ରାତି ପର୍ଯ୍ୟନ୍ତ ମନୋରଂଜନ କାର୍ଯ୍ୟକ୍ରମକୁ ହଜାର ହଜାର ଦର୍ଶକ ଉପଭୋଗ କରିଥିଲେ । ଓଡ଼ିଶା ସୂଚନା ଓ ଲୋକ ସମ୍ପର୍କ ବିଭାଗ ଦ୍ୱାରା ଆୟୋଜିତ ଗାନ୍ଧୀ ଚିତ୍ର ପ୍ରଦର୍ଶନୀକୁ ଅତିଥିମାନେ ଉଦ୍‌ଘାଟନ କରିଥିବା ବେଳେ ସଭାକାର୍ଯ୍ୟକୁ ସୂର୍ଯ୍ୟନାରାୟଣ ଜେନା ପରିଚାଳନା କରିଥିଲେ । ଉଦ୍‌ଯାପନୀ ସନ୍ଧ୍ୟାରେ ଓଡ଼ିଶାର ସମବାୟ ନିବଂଧକ ଡ. ଉଦ୍ଧବ ଚରଣ ମାଝୀ, ଉପନିବଂଧକ ଶିବପ୍ରସାଦ ସ୍ୱାଇଁ ଓ ବିଖ୍ୟାତ ସମାଜସେବୀ ଭବାନୀ ଜଗଦେବ, ଡେ଼ଲାଙ୍ଗ ବ୍ଲକ୍‌ର ଅଧ୍ୟକ୍ଷା ଶ୍ରୀମତୀ ବାସନ୍ତୀ ସାହୁ ଓ ସ୍ଥାନୀୟ ସରପଂଚ ଶେଷଦେବ ବାରିକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଲୋକକଳା ଓ ଲୋକ ସଂସ୍କୃତି କେତେ ଗରିମାମୟ ଥିଲା ତାହା ତାଙ୍କ ବକ୍ତବ୍ୟରେ ଆଲୋକପାତ କରିବା ସହ କୃତି ଛାତ୍ରଛାତ୍ରୀ, ଖେଲୋ ଇଣ୍ଡିଆରେ ସ୍ୱର୍ଣ୍ଣ ଓ ରୌପ୍ୟ ପଦକପ୍ରାପ୍ତ ପ୍ରତିଭା ଓ ସ୍ୱାଧୀନତା ସଂଗ୍ରାମୀ ପରିବାରଙ୍କୁ ସମ୍ମାନୀତ କରିଥିଲେ । ଉଦ୍‌ଯାପନୀ ସନ୍ଧ୍ୟାକୁ ପୁରାତନ ଛାତ୍ର ପରିଷଦର ସଭାପତି ଅଧ୍ୟାପକ ତ୍ରିନାଥ ପରିଡ଼ା ପରିଚାଳନା କରିଥିବା ବେଳେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ହୃଷିକେଶ ବଳିୟାରସିଂହ ସଭାଧ୍ୟକ୍ଷ ଦାୟିତ୍ୱ ତୁଲାଇଥିଲେ । ଡେଲାଙ୍ଗ ଅଂଚଳରେ ଭାଇଚାରା ଓ ଓଡ଼ିଆ ଅସ୍ମିତାର ବିଶ୍ୱାୟନ ପାଇଁ ବିଶ୍ୱମୁକ୍ତିର ଏହି ପ୍ରୟାସକୁ ବୁଦ୍ଧିଜୀବୀମାନେ ସ୍ୱାଗତ କରିବା ସହ ତିନି ଦିନର ସୃଜନାତ୍ମକ କାର୍ଯ୍ୟକ୍ରମ ସ୍ମରଣୀୟ ବୋଲି ଜନସାଧାରଣରେ ମତ ପ୍ରକାଶ ପାଇଛି ।

Leave A Reply

Your email address will not be published.

seven + six =