ପାଟଣାଗଡ଼, (ଗୋରେଖନାଥ ବରିହା) : ମାଉସୀ ଘରେ ୯ ଦିନ ରହିବା ପରେ ଶ୍ରୀମନ୍ଦିରକୁ ବାହୁଡିଲେ ମହାପ୍ରଭୁ । ଏହି ଅବସରରେ ପାଟଣାଗଡ଼ରେ ଭକ୍ତ ସହ ଭଗବାନଙ୍କ ମିଳନର ଦୃଶ୍ୟ ଅତି ମନୋରମ ଥିଲା । ପାଟଣାଗଡ଼ ରାମଜୀ ଛକ ସ୍ଥିତ ମାଉସୀ ମନ୍ଦିର ୯ ଦିନ ଧରି ଦଶ ଅବତାର ରୁପେ ଭଗବାନ ଭକ୍ତମାନଙ୍କୁ ଦର୍ଶନ ଦେଇଥିଲେ । ଏହି ଅବସରରେ ପ୍ରତ୍ୟେକ ସନ୍ଧ୍ୟାରେ ଭଜନ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା, ପ୍ରତ୍ୟେକ ସନ୍ଧ୍ୟାରେ ଅବତାର ଦର୍ଶନ କରିବା ସହ ଭଜନ କାର୍ଯ୍ୟକ୍ରମ ଦେଖିବାକୁ ପ୍ରବଳ ଭକ୍ତ ସମାଗମ ପରିଲକ୍ଷିତ ହୋଇଥିଲା । ଆଜି ବାହୁଡି ଯାତ୍ରାରେ ଜାତି, ବର୍ଣ୍ଣ ଓ ଧର୍ମ ନିର୍ବିଶେଷରେ ସମସ୍ତେ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରାକୁ ଆସି ବଳରାମ, ଜଗନ୍ନାଥ, ସୁଭଦ୍ରା ଜୀଉ ପ୍ରବଳ ଉତ୍ସାହ ଉଦ୍ଦିପନା ଭକ୍ତି ଭାବ ସହ ଶ୍ରଦ୍ଧାଳୁମାନେ ରଥାରୁଢ଼ ତିନି ଠାକୁର ରଥ ଦୌଡି ଟାଣୁଥିବା ଦେଖିବାକୁ ମିଳିଥିଲା । ଘଣ୍ଟଘଣ୍ଟାର ଶବ୍ଦରେ ପାଟଣାଗଡ଼ ସହର ଗଗନ ପବନ ପ୍ରକମ୍ପିତ ହେଉଥିଲା । କମ୍ପି ଉଠିଥିଲା ପାଟଣାଗଡ଼ ସହର । ଘଣ୍ଟ, ଶଙ୍ଖ, ମହିଳା ସଂକୀର୍ତ୍ତନ ଦଳ ମୃଦଙ୍ଗ ତାଳ, ବାଜାର ତାଳେ ତାଳେ ନାଚୁଥିଲେ ଭକ୍ତ । ସମସ୍ତ ସେବାୟତ, ପୁରୋହିତ, ଦୈତାପତି, ପାଟଣାଗଡ଼ ବିଭିନ୍ନ ସଂଗଠନ କର୍ମକର୍ତ୍ତା ସହଯୋଗ କରିଥିବା ବେଳେ ପାଟଣାଗଡ଼ ପ୍ରଶାସନ ତଥା ଦେବତ୍ତୋର ପକ୍ଷରୁ ଉପଜିଲ୍ଲାପାଳ ଡ. ବିଜୟାନନ୍ଦ ସେଠୀ, ଶାନ୍ତି ସୁରକ୍ଷା ରକ୍ଷା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଏସ୍ଡିପିଓ ଜ୍ୟୋର୍ତିମୟ ଭୁକ୍ତା, ଥାନା ଅଧିକାରୀ ଅନନ୍ତ ପ୍ରଧାନଙ୍କ ସହରର ବିଭିନ୍ନ ସ୍ଥାନରେ ପୋଲିସ ମୁତୟନ ଥିଲେ । ସ୍ୱେଚ୍ଛାସେବୀ, ଡ୍ରାଇଭର ମହାସଂଘ, ଅଗ୍ନିଶମ ବାହିନୀ, ସ୍ୱାସ୍ଥ୍ୟ ବିଭାଗ, ବ୍ଲକ ପ୍ରସାଶନ ଓ ମନ୍ଦିର କମିଟି ତଥା ଗଣମାଧ୍ୟମ ପ୍ରତିନିଧିଙ୍କ ସହଯୋଗରେ ବାହୁଡ଼ା ଯାତ୍ରା ସୁଚାରୁ ରୂପେ ପରିଚାଳିତ ହୋଇଥିବା ବେଳେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିଲା ।
Next Post