
ବଲାଙ୍ଗିର, (କେପିଏନ୍ଏସ୍) : ସାମ୍ପ୍ରତିକ ସମାଜରେ ଘଟୁଥିବା ବିଭିନ୍ନ ଘଟଣା, ଯାହା ସମ୍ବେଦନଶୀଳ ମଣିଷକୁ ଆହୁରି ସମ୍ବେଦନଶୀଳ କରେ, ସେପରି ଗଳ୍ପ ପାଠକକୁ ବେଶୀ ଆକୃଷ୍ଟ କରେ । ମନୋଜ ପୂଜାରୀଙ୍କ ଗଳ୍ପ ସେପରି ସମ୍ବେଦନଶୀଳ ଭାବର ଉପସ୍ଥାପନା ବୋଲି କହିଛନ୍ତି କଥାଶିଳ୍ପୀ ଡାକ୍ତର ମଞ୍ଜୁବାଳା ପଣ୍ଡା । ରାଜୀବ ଲୋଚନ ଆଚାର୍ଯ୍ୟଙ୍କ ସଂଯୋଜନାରେ ସଂସ୍କୃତି ଭବନ ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ କଥାଶିଳ୍ପୀ ଡାକ୍ତର ମଞ୍ଜୁବାଳା ପଣ୍ଡା, ସେଞ୍ଚୁରିଆନର ଅଧ୍ୟାପିକା ନମିତା ସ୍ମୃତି ମିଶ୍ର, କୁନି ଝିଅ ଗୁଞ୍ଜନ ମଂଚାସୀନ ଥିଲେ । ଗାଳ୍ପିକ ସ୍ୱର୍ଗତ ମନୋଜ କୁମାର ପଣ୍ଡା, ସଦାନନ୍ଦ ତ୍ରିପାଠୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ସଭା ଆରମ୍ଭ କରାଯାଇଥିଲା । ପ୍ରକୃତି ଓ ପରିବେଶ ପାଇଁ କଦଳୀ ପତ୍ରରେ ବନ୍ଧା ହୋଇଥିବା ଗଳ୍ପ ସଂକଳନ ବାଘ ଭୟକୁ ଲୋକାର୍ପଣ କରିଥିଲେ ଅତିଥିମାନେ । ଲୋକାର୍ପିତ ଗଳ୍ପ ସଂକଳନରୁ ଗଳ୍ପ ପଢିଥିଲେ ଭାରତୀ ବାଗ ଓ ରାଜୀବ ଲୋଚନ ଆଚାର୍ଯ୍ୟ । ଗାଳ୍ପିକ ମନୋଜ କୁମାର ପୂଜାରୀ ନିଜ ଗଳ୍ପର ବିଭିନ୍ନଦିଗ ସମ୍ପର୍କରେ ଆଲୋଚନା କରିଥିଲେ । ସସ୍ମିତା ନେପାକ ଧନ୍ୟବାଦ ଅର୍ପଣ କରିଥିଲେ ।