pakka

ଟୁକୁନିଙ୍କ ବକ୍ତବ୍ୟ ଠିକ୍ କେନ୍ଦ୍ରାପଡାର ଝିଅ ଭଳି : କେଏମ୍‌ଏମ୍

bbehera
  • ଟୁକୁନିଙ୍କୁ ଆଲୋଚନା ପାଇଁ ୧୫ ଦିନର ମହଲତ ଦେଲା କୋଶଲ ସେନା

ବଲାଙ୍ଗିର, (ଦେବାଶିଷ ମିଶ୍ର) : କୋଶଲ ମହାବନ୍ଦକୁ ନେଇ ମନ୍ତ୍ରୀ ଟୁକୁନୀ ସାହୁ ଯେଉଁ ବକ୍ତବ୍ୟ ରଖିଛନ୍ତି, ତାହା ଠିକ୍‌ କେନ୍ଦ୍ରାପଡାର ଝିଅ ଭଳି ହୋଇଛି । ସେ ଯଦି ଟିଟିଲାଗଡର ବୋହୂ ଭାବେ ମତବ୍ୟକ୍ତ କରିଥାନ୍ତେ ତାହା ନିଶ୍ଚୟ ଭିନ୍ନ ହୋଇଥାନ୍ତା । ମନ୍ତ୍ରୀ ଟୁକୁନୀ ସମାଧାନ ପାଇଁ ଯେଉଁ ଆଲୋଚନାର ଆଳ ଦେଖାଇଥିଲେ, ସେହି ଆଲୋଚନା ପାଇଁ କୋଶଲ ସେନା ତାଙ୍କୁ ୧୫ ଦିନର ମହଲତ ଦେଉଛି । ୧୫ ଦିନ ଭିତରେ ସେ ନିଜେ ସ୍ଥାନ ଓ ସମୟ ନିରୁପଣ କରି ଆମକୁ ଜଣାଇଲେ, କୋଶଲ ସେନା ଓ କୋଶଲ ମୁକ୍ତି ମୋର୍ଚ୍ଚା ସେଠାକୁ ପହଞ୍ଚି ମା’ ମାଟି ସ୍ୱାର୍ଥରେ ଆଲୋଚନା କରିବାକୁ ପ୍ରସ୍ତୁତ ବୋଲି ଆଜି ସ୍ଥାନୀୟ ସାମ୍ବାଦିକ ଭବନଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କୋଶଲ ସେନା ଓ କୋଶଲ ମୁକ୍ତି ମୋର୍ଚ୍ଚାର ମିଳିତ ମଂଚ ମନ୍ତ୍ରୀ ଟୁକୁନି ସାହୁଙ୍କୁ ଆହ୍ୱାନ କରିଛି । ମିଳିତ ମଂଚ ଆହୁରି କହିଛି ଯେ, ଯଦି ମନ୍ତ୍ରୀ ଟୁକୁନୀ ନିଜ କଥା ମୁତାବକ ୧୫ ଦିନ ଭିତରେ ଆଲୋଚନା ପାଇଁ ଆମକୁ ନିମନ୍ତ୍ରଣ ନ କରନ୍ତି, ତେବେ ମିଳିତ ମଂଚ ଅଂଚଳର ହଜାର ହଜାର ଲୋକଙ୍କ ହାତ ଲେଖା ଚିଠି ନେଇ ମନ୍ତ୍ରୀଙ୍କ ବାସଭବନରେ ପ୍ରଦାନ କରିବ । ସେହିପରି ଝାରସୁଗୁଡାଠାରେ ମହାବନ୍ଦର ପିକେଟିଂ ସମୟରେ କୋଶଲ ସଂଗ୍ରାମୀଙ୍କୁ ପୋଲିସ ଗିରଫ କରିବା ଘଟଣାକୁ ତିବ୍ର ନିନ୍ଦା କରିବା ସହ ଆଗାମୀ ଦିନରେ ଏହାର ଜୋରଦାର ଉତ୍ତର ଦିଆଯିବ ବୋଲି ଚେତାଇ ଦେଇଛି । ଏହି ଅବସରରେ ମିଳିତ ମଂଚ ମହାବନ୍ଦକୁ ସଫଳ କରିଥିବା ଜନସାଧାରଣ, କୋଶଲବାଦୀ ସଂଗଠନ ଓ ବିଭିନ୍ନ ଅନୁଷ୍ଠାନ ଗୁଡିକୁ ତାଙ୍କର ସହେଯାଗ ପାଇଁ କୃତଜ୍ଞତା ଜ୍ଞାପନ କରିବା ସହ ଆଗାମୀ ଦିନରେ ସଂଗଠନକୁ ଆହୁରି ସଂଗଠିତ କରାଯିବ ବୋଲି ପ୍ରକାଶ କରିଛି । ଏହି ସମ୍ମିଳନୀରେ ମିଳିତ ମଂଚ ପକ୍ଷରୁ ସିପୁନ ଖମାରି, ଗଣେଶ ସାହୁ ଓ କୌସ୍ତୁଭ ସାହୁ ମଞ୍ଚାସୀନ ଥିଲେ ।

Leave A Reply

Your email address will not be published.

one × four =