ଆଜି ମହାନ୍‌ ଐତିହ୍ୟ ପରମ୍ପରାର ପର୍ବ କାର୍ତ୍ତିକ ପୂର୍ଣ୍ଣିମା

ବଲାଙ୍ଗିର, (କେପିଏନ୍‌ଏସ୍‌) : ମହାନ୍‌ ଐତିହ୍ୟ ଓ ପରମ୍ପରାର ପର୍ବ କାର୍ତ୍ତିକ ପୂର୍ଣ୍ଣିମା ଆଜି । ଏହାକୁ ରାସ ପୂର୍ଣ୍ଣିମା ବୋଲି ମଧ୍ୟ କୁହାଯାଇଥାଏ । ପୁରାଣ କଥା ଅନୁସାରେ ଏହି ଦିବସରେ ରାଧାକୃଷ୍ଣଙ୍କ ନୃତ୍ୟୋତ୍ସବ ଗୋପୀମାନଙ୍କ ଗହଣରେ ଅନୁଷ୍ଠିତ ହୋଇଥିଲା । ଗୋପୀମାନେ ରାଧାକୃଷ୍ଣଙ୍କ ସାନ୍ନିଧ୍ୟ ପାଇ ଧନ୍ୟ ହୋଇଥିଲେ । ଷୋହଳ ସହସ୍ର ଗୋପନାରୀଙ୍କ ପରମ ପ୍ରେମିକ ଶ୍ରୀକୃଷ୍ଣଙ୍କ ଆଶୀର୍ବାଦ ପ୍ରାପ୍ତିର ଦିବସ ଆଜି ।

ତେବେ ଆମର ସମୃଦ୍ଧ ପରମ୍ପରା ଅନୁସାରେ ମଧ୍ୟ ଏହି ପର୍ବ ବିଶେଷ ଗୁରୁତ୍ୱ ବହନ କରେ । ନୌବାଣିଜ୍ୟ ଦୃଷ୍ଟିକୋଣରୁ ଏହି ଦିବସର ବୈଶିଷ୍ଟ୍ୟ ବିଶେଷ ଭାବରେ ରହିଛି । ବୋଇତ ବନ୍ଦାଣ ଉତ୍ସବ ସାରା ଓଡ଼ିଶାରେ ଘରେ ଘରେ ପାଳିତ ହେଉଥିବାର ଅନୁମିତ ହୁଏ । ଏହି ଦିବସକୁ ଚିରକୁମାର କାର୍ତ୍ତିକେୟଙ୍କ ପୂଜନୋତ୍ସବ ଭାବରେ ମଧ୍ୟ ବଡ଼ ଧୁମ୍‌ଧାମ୍‌ରେ ପାଳନ କରାଯାଏ ।

ତେବେ ଚଳିତ ବର୍ଷ କରୋନା କଟକଣାକୁ ଦୃଷ୍ଟିରେ ରଖି ଶ୍ରଦ୍ଧାଳୁମାନେ ନଦୀ କି ପୋଖରୀମାନଙ୍କରେ ବିଶେଷ ଭାବରେ ଭିଡ଼ କରି ନଥିବା ବେଳେ ମନ୍ଦିରମାନଙ୍କୁ ମଧ୍ୟ ବିଶେଷ ଭିଡ଼ ପରିଲକ୍ଷିତ ହୋଇନାହିଁ । କିନ୍ତୁ ପରମ୍ପରା ଓ ଐତିହ୍ୟକୁ ସମ୍ମାନ ଦେଇ ସାରା ରାଜ୍ୟରେ ଘରେ ଘରେ ଏହି ଦିବସ ପାଳିତ ହେଉଛି ।

Leave A Reply

Your email address will not be published.