
ରାଉରକେଲା, (ସସ୍ମିତା ପ୍ରଧାନ) : ଶ୍ରୀ ଶ୍ରୀ ରବିଶଙ୍କର ବିଦ୍ୟାମନ୍ଦିର ପରିଚାଳିତ ସେକ୍ଟର ୨୦ ସ୍ଥିତ ଇସ୍ପାତ ଇଂଲିଶ ମାଧ୍ୟମିକ ବିଦ୍ୟାଳୟ ଠାରେ ଶୈକ୍ଷିକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ନିର୍ଦ୍ଦେଶକ ଡ. ଗିରିଜା ଶଙ୍କର ଦାସଙ୍କ ଅଧ୍ୟକ୍ଷତା ଓ ଶିକ୍ଷୟିତ୍ରୀ ଅମ୍ରିତା ନିଲମଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମହାମହିମ ରାଷ୍ଟ୍ରପତିଙ୍କ ଉପଦେଷ୍ଟା ଡ଼. ବିଜୟଲକ୍ଷ୍ମୀ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହ ଭାବ ବିନିମୟ କରିଥିଲେ । ମୁଖ୍ୟଅତିଥି ଡ଼. ମହାନ୍ତି ଗୁରୁଦେବ ଶ୍ରୀ ଶ୍ରୀ ରବିଶଙ୍କରଙ୍କ ବାଣୀ, ଜୀବନ ଜିଇବାର କଳା, ଶିକ୍ଷକ କିପରି ସୃଷ୍ଟିର ନିର୍ମାଣ ଓ ପ୍ରଳୟର ସୂତ୍ରଧର, ସଚେତନତା ଉପରେ ଗୁରୁତ୍ୱାରୋପ, ପ୍ରଥମେ ଶିକ୍ଷକ ଶିଖିଲେ ପରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ, ଖାଦ୍ୟ, ନିଦ୍ରା, ଧ୍ୟାନ ଓ ଶ୍ଵାସ ଉପରେ କିପରି ନିୟନ୍ତ୍ରଣ, ଯୁକ୍ତି, ସଂଗୀତ ଓ ଯୋଗାଭ୍ୟାସ ଉପରେ ସୁନ୍ଦର ବକ୍ତବ୍ୟ ରଖିଥିଲେ । ବିଦ୍ୟାଳୟର ଅଧ୍ୟକ୍ଷା ଡ. ଖୁସବୁ ଜ୍ୟୋତି, ପ୍ରାକ୍ତନ ଅଧ୍ୟକ୍ଷ ବନମାଳୀ କର, ସ୍ଥିରତା ଦେଇ ପ୍ରମୁଖ ମଞ୍ଚାସୀନ ଥିଲେ । ଶେଷରେ ଅଧ୍ୟକ୍ଷତା କରୁଥିବା ଡ. ଦାସ ଏଭଳି କର୍ମଶାଳାର ଆବଶ୍ୟକତା ଓ ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିବା ସହ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ବରିଷ୍ଠ ଅଧିକାରୀ ଯଶବିନ୍ଦର କୌରଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ ।