jayashree

ଭୋଟର ତାଲିକାକୁ ସ୍ୱଚ୍ଛ ଓ ତ୍ରୁଟିମୁକ୍ତ ସଂଘନ ସଂଶୋଧନ କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭୋଟର ତାଲିକାକୁ ଅଧିକ ସୁଦୃଢ଼, ସ୍ୱଚ୍ଛ ଓ ତ୍ରୁଟିମୁକ୍ତ କରିବା ଉଦ୍ଦେଶ୍ୟରେ ଭାରତୀୟ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାନୁସାରେ ଚାଲିଥିବା ସଂଘନ ସଂଶୋଧନ କାର୍ଯ୍ୟକ୍ରମ ଅଧୀନରେ ବଲାଙ୍ଗିର ଜିଲ୍ଲାରେ ତଥ୍ୟ ସଂଗ୍ରହ ପ୍ରକ୍ରିୟା ସୁଚାରୁ ଭାବେ ଆଗେଇ ଚାଲିଛି । ଏହି ପରିପ୍ରେକ୍ଷୀରେ ଉପମୁଖ୍ୟମନ୍ତ୍ରୀ ତଥା କୃଷି, କୃଷକ ସଶକ୍ତିକରଣ ଓ ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କୁ ପରିଗଣନା ଫର୍ମ ପ୍ରଦାନ କରାଯାଇଛି । ପାଟଣାଗଡ଼ ଉପଜିଲ୍ଲାପାଳ-ତଥା-ନିର୍ବାଚକ ପଞ୍ଜୀକରଣ ଅଧିକାରୀ ସୁନୀଲ କୁମାର ମେହେର ଓ ଡେପୁଟି କଲେକ୍ଟର-ତଥା-ସହକାରୀ ନିର୍ବାଚକ ପଞ୍ଜୀକରଣ ଅଧିକାରୀ (ପାଟଣାଗଡ, ବିଜ୍ଞାପିତ ଅଞ୍ଚଳ ପରିଷଦ) ମାନ୍ସଫିଲ କେରକେଟାଙ୍କ ଉପସ୍ଥିତିରେ ଉପମୁଖ୍ୟମନ୍ତ୍ରୀ ଫର୍ମ ଗ୍ରହଣ କରିଥିଲେ । ସେହିପରି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଡଃ. ମୁକେଶ ମହାଲିଙ୍ଗଙ୍କୁ ତାଙ୍କ ବାସଭବନରେ ପରିଗଣନା ଫର୍ମ ପ୍ରଦାନ କରାଯାଇଥିଲା । ମନ୍ତ୍ରୀ ନିଜର ସଠିକ ତଥ୍ୟ ପ୍ରଦାନ କରି ଫର୍ମ ପୂରଣ କରିଛନ୍ତି । ଅତିରିକ୍ତ ଜିଲ୍ଲାପାଳ-ତଥା-ନିର୍ବାଚକ ପଞ୍ଜୀକରଣ ଅଧିକାରୀ, ଡଃ. ବିଜୟାନନ୍ଦ ସେଠୀଙ୍କ ନେତୃତ୍ୱରେ ଏହି କାର୍ଯ୍ୟ ସମ୍ପାଦିତ ହୋଇଥିଲା । ଏଥିରେ ଲୋଇସିଂହା ଗୋଷ୍ଠୀ ଉନ୍ନୟନ ଅଧିକାରୀ-ତଥା-ସହକାରୀ ନିର୍ବାଚକ ପଞ୍ଜୀକରଣ ଅଧିକାରୀ ଅକ୍ଷୟ ପାଣି ଉଡୁ, ଆଗଲପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ-ତଥା-ସହକାରୀ ନିର୍ବାଚକ ପଞ୍ଜୀକରଣ ଅଧିକାରୀ କୁଲଦୀପ ମହାନ୍ତି, ଡେପୁଟି କଲେକ୍ଟର (ନିର୍ବାଚନ) ସୂର୍ଯ୍ୟକାନ୍ତ ପରିଡା ଏବଂ ବିଏଲଓ କୁନ୍ତୀ ପୁରୋହିତ ଉପସ୍ଥିତ ଥିଲେ । ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଘରେ ଘରେ ପହଞ୍ଚି ଉକ୍ତ ଫର୍ମ ବଣ୍ଟନ ସହ ତଥ୍ୟ ସଂଗ୍ରହ କାର୍ଯ୍ୟ ଚାଲିଛି । ଏହି କାର୍ଯ୍ୟକ୍ରମରେ ସଠିକ ଓ ନିର୍ଭୁଲ ତଥ୍ୟ ସଂଗ୍ରହ ଦ୍ୱାରା ଭୋଟର ତାଲିକାର ଗୁଣାତ୍ମକ ଉନ୍ନତି ସହ ପ୍ରଶାସନିକ ଯୋଜନା ପ୍ରସ୍ତୁତି ଏବଂ ବିକାଶମୂଳକ କାର୍ଯ୍ୟକ୍ରମର ଫଳପ୍ରଦ ରୂପାୟଣରେ ସହାୟତା ମିଳିବ । ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟମନ୍ତ୍ରୀ, ବିଏଲ୍ଓମାନଙ୍କୁ ସଠିକ ତଥ୍ୟ ପ୍ରଦାନ କରି ସଂଶୋଧନ ପ୍ରକ୍ରିୟାରେ ସହଯୋଗ କରିବାକୁ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଜିଲ୍ଲାରେ ଏପର୍ଯ୍ୟନ୍ତ ୯୮.୦୧ ପ୍ରତିଶତ ଭୋଟରଙ୍କୁ ପରିଗଣନା ଫର୍ମ ବଣ୍ଟନ କରାଯାଇସାରିଛି ।

Leave A Reply

Your email address will not be published.