ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ଶାରୀରିକ ଭିନ୍ନକ୍ଷମ କଲ୍ୟାଣ ମହାସଂଘ, ତରଫରୁ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ – ୨୦୨୪ ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ ହୋଇଯାଇଛି । ସକାଳ ୯ ଘଣ୍ଟା ସମୟରେ ଛତ୍ରପୁର ଅପର ବସଷ୍ଟାଣ୍ଡଠାରୁ ଆରମ୍ଭ କରି ସମ୍ପୂର୍ଣ୍ଣ ସହର ପରିକ୍ରମା କରି ବିଭିନ୍ନ ପ୍ରକାରର ଭିନ୍ନକ୍ଷମ ସଚେତନତା ସ୍ଲୋଗାନ ଦେଇ ଛତ୍ରପୁର ଏନ୍.ଏ.ସି. କଲ୍ୟାଣ ମଣ୍ଡପ ଠାରେ ପହଂଚିଥିଲେ । ଉକ୍ତ ରାଲିକୁ ଛତ୍ରପୁର ଚେୟାରମେନ ଶ୍ରୀମତୀ ଶର୍ମିଷ୍ଠା ପ୍ରଧାନ ଓ ଗଂଜାମ ଜିଲ୍ଲା ଶାରୀରିକ ଭିନ୍ନକ୍ଷମ କଲ୍ୟାଣ ମହାସଂଘର ସାଧାରଣ ସମ୍ପାଦକ ଡଃ. କେ. ଆନନ୍ଦ ରାଓ ପତକା ଦେଖାଇ ଶୁଭ ଉଦ୍ଘାଟନ କରିଥିଲେ । କଲ୍ୟାଣ ମଣ୍ଡପଠାରେ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ୨୦୨୪ ଉପଲକ୍ଷେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଗଂଜାମ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ୪୦୦ରୁ ଅଧିକ ଭିନ୍ନକ୍ଷମ ଲୋକମାନେ ଯୋଗଦାନ କରିଥିଲେ । ବିଶିଷ୍ଟ ସମାଜସେବୀ ତଥା ଗଂଜାମ ଜିଲ୍ଲା ଶାରୀରିକ ଭିନ୍ନକ୍ଷମ କଲ୍ୟାଣ ମହାସଂଘର ସାଧାରଣ ସମ୍ପାଦକ ଡଃ. କେ. ଆନନ୍ଦ ରାଓଙ୍କ ସଂଯୋଜନା ଓ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲା ମୁଖ୍ୟ ଚିକିସ୍ନାଧିକାରୀ ଡଃ. ବିଜୟ କୁମାର ପଣ୍ଡା ମୁଖ୍ୟ ଅତିଥିଭାବେ ଯୋଗ ଦେଇ ମହାସଂଘର ଏଭଳି କାର୍ଯ୍ୟକୁ ପ୍ରଶଂସା କରିବା ସହ ବିଶ୍ୱ ଭିନ୍ନକ୍ଷମ ଦିବସ ୨୦୨୪ ପାଳନର ଆବଶ୍ୟକତା ଉପରେ ଆଲୋକପାତ କରି ଭିନ୍ନକ୍ଷମ ଲୋକମାନେ କୌଣସି ଗୁଣରେ କମ ନୁହନ୍ତି, ଯଦି ସେମାନଙ୍କୁ ସମାନ ସୁବିଧା ସୁଯୋଗ ପ୍ରଦାନ କରାଯାଏ ତେବେ ସେମାନେ ମଧ୍ୟ ଭାରତର ଅର୍ଥନୀତିରେ ଅଂଶୀଦାର ହୋଇପାରିବେ ବୋଲି ମତବ୍ୟକ୍ତ କରିଥିଲେ । ମୁଖ୍ୟବକ୍ତା ଭାବେ ବୋଧଶକ୍ତି ମନସ୍ଥତ୍ତ୍ୱଜ୍ଞ ଓ ବୋଧଶକ୍ତି ବୈଜ୍ଞାନିକ ପ୍ରଫେସର ଡଃ. ବସନ୍ତ କୁମାର ଦାସ ଯୋଗଦେଇ ଭିନ୍ନକ୍ଷମମାନଙ୍କ ଶିକ୍ଷା, ପ୍ରଶିକ୍ଷଣ ଓ ନିଯୁକ୍ତି ଉପରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ । ଅନ୍ୟତମ ସମ୍ମାନନୀୟ ଅତିଥିଭାବେ ଭାରତୀୟ ତଟରକ୍ଷା ବାହିନୀ ଗୋପାଳପୁର ୟୁନିଟର ସେନାନାୟକ ବିକ୍ରମ ପଲ ଯୋଗଦେଇ ଭିନ୍ନକ୍ଷମମାନଙ୍କ ସଂଖ୍ୟା ଓ ବର୍ତ୍ତମାନର ସ୍ଥିତି ଉପରେ ଆଲୋକପାତ କରିଥିଲେ । ସମ୍ମାନନୀୟ ଅତିଥିଭାବେ ଓଡିଶା ରାଜ୍ୟ ଆଇନଜୀବୀ ପରିଷଦର ସଦସ୍ୟ ପୀତବାସ ପଣ୍ଡା ଯୋଗଦେଇ ଭିନ୍ନକ୍ଷମ ଲୋକମାନଙ୍କ ସମସ୍ୟା ଗୁଡିକର ସମାଧାନ ନିମନ୍ତେ ଏବଂ ସେମାନଙ୍କ ନିଯୁକ୍ତିରେ ଅଦାଲତର ଭୂମିକା ଓ ଆଇନଜୀବୀମାନଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ । ଅନ୍ୟତମ ସମ୍ମାନନୀୟ ଅତିଥି ଭାବେ ମହାନସଙ୍ଘର ପ୍ରତିଷ୍ଠାତା ସଦସ୍ୟ ସୁଶାନ୍ତ କୁମାର ସାବତ ଯୋଗଦେଇ ଗଂଜାମ ଜିଲ୍ଲା ଶାରୀରିକ ଭିନ୍ନକ୍ଷମ କଲ୍ୟାଣ ମହାସଂଘର ବିଭିର୍ଣ୍ଣ ସେବାମୂଳକ କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ୨୦୨୪ ମସିହାର ଅନ୍ତର୍ୟ୍ୟାତୀୟ ଭିନ୍ନକ୍ଷମ ଦିବସର ବିଷୟବସ୍ତୁ ଉପରେ ଆଲୋକପାତ କରିଥିଲେ । ଅନ୍ୟତମ ସମ୍ମାନନୀୟ ଅତିଥି ଭାବେ ଭୁବନେଶ୍ୱର ଆଇନ ମହାବିଦ୍ୟାଳୟର ସଭାପତି ବ୍ରହ୍ମାନନ୍ଦ ରାଉତ ଯୋଗଦେଇ ବିଶ୍ୱ ଭିନ୍ନକ୍ଷମ ଦିବସ ଓ ଭିନ୍ନକ୍ଷମତା ଉପରେ ଆଲୋକପାତ କରିଥିଲେ । ସ୍ୱତନ୍ତ୍ର ଅତିଥିଭାବେ ଯୋଗଦେଇଥିବା ରୋଟାରୀ କ୍ଳବର ଆସିଷ୍ଟାଣ୍ଟ ଗଭର୍ଣ୍ଣର ଶ୍ରୀମତୀ ବନ୍ଦିତା ସାହୁ ତ୍ରିପାଠୀ ଯୋଗଦେଇ ଭିନ୍ନକ୍ଷମ ଲୋକମାନଙ୍କୁ ଦଳମତ ନିର୍ବିଶେଷରେ ସମସ୍ତେ ସହଯୋଗ କରିବା ପାଇଁ ଆହ୍ୱାନ ଦେଇଥିଲେ । ପ୍ରାରମ୍ଭରେ ସମର୍ଥ ଆବାସିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସ୍ୱାଗତ ସଂଗୀତ ପରିବେକ୍ଷଣ କରିଥିବା ବେଳେ ଭିନ୍ନକ୍ଷମ କଳାକାର ସୁଦର୍ଶନ ପାଢ଼ୀ ଓ ଭୁବନେଶ୍ୱର ସ୍ଥିତ ଭିନ୍ନକ୍ଷମ କଳାକାର ହରିହର ଦେଓ ଓ ତାଙ୍କ ସହଯୋଗୀ କଳାକାରମାନେ ସାଂସ୍କୃତିକ ନୃତ୍ୟ ପରିବେଷଣ କରି ସମସ୍ତଙ୍କ ମନମୁଗ୍ଧ କରିଥିଲେ । ବିଶିଷ୍ଟ ଭିନ୍ନକ୍ଷମ ସମାଜସେବୀ ତଥା ଭିନ୍ନକ୍ଷମମାନଙ୍କ ପାଇଁ କାର୍ଯ୍ୟ କରୁଥିବା ବିଶିଷ୍ଟ ସମାଜସେବୀ ଶୁଶ୍ରୀ ଫାବେନା ପାଲକା ଓ ବିଶିଷ୍ଟ କ୍ରୀଡାବିତ ନରହରି ବେହେରାଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ଅଭିନନ୍ଦନୀକା ସହ ଉପଢୌକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ମାନୀତ କରାଯାଇଥିଲା । ଉପସ୍ଥିତ ସମସ୍ତ ଭିନ୍ନକ୍ଷମମାନଙ୍କୁ ଗୋଟିଏ ଗୋଟିଏ ପ୍ଲାସ୍ଟିକ ବାଲ୍ଟି, କମ୍ବଳ, ପ୍ଲାଷ୍ଟିକ ମଗ, ବ୍ରଶ, ଜିଭକୋରା, ପେଷ୍ଟ, ସାବୁନ ଓ ୧୧ ଟଙ୍କା ହିସାବରେ ମହାସଂଘ ତରଫରୁ ପ୍ରଦାନ କରାଯାଇଥିଲା । ଶେଷରେ ମହାସଂଘର ସାଧାରଣ ସମ୍ପାଦକ ଡଃ. କେ. ଆନନ୍ଦ ରାଓ ଧନ୍ୟବାଦ ଅର୍ପଣ କରିବା ପରେ ଉପସ୍ଥିତ ସମସ୍ତ ଭିନ୍ନକ୍ଷମ ଲୋକମାନଙ୍କୁ ସୁସ୍ୱାଦୁ ଭୋଜନରେ ଆପ୍ୟାୟିତ କରାଯାଇଥିଲା ।