pakka

ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ତରଫରୁ ନୂଆଁଖାଇ ଭେଟଘାଟ

ପାଟଣାଗଡ଼, (ଗୋରେଖନାଥ ବରିହା) : ବେଲପଡା ବ୍ଲକ ଅନ୍ତର୍ଗତ କପାଣି ବସ ଷ୍ଟେସନ ଠାରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ଆହ୍ୱାନ କ୍ରମେ ବେଲପଡା ବ୍ଲକ ଆନୁକୂଲ୍ୟରେ ନୂଆଁଖାଇ ଭେଟଘାଟ ଅନୁଷ୍ଠିତ ହୋଇଯାଇଛି । କପାଣି ସ୍ଥାନୀୟ ପ୍ରାଥମିକ ବିଦ୍ୟାଳୟ ପ୍ରାଙ୍ଗଣରୁ ଦେବାଦେବୀ ପୂଜାର୍ଚ୍ଚନା ପରେ ସଶସ୍ତ୍ର ଆଦିବାସୀ ମାନେ ଡକା ବାଦ୍ୟ ତାଳେ ତାଳେ ନାଚି ନାଚି ହଜାର ସଂଖ୍ୟାରେ ଆଦିବାସୀ ମାନେ ଗାଁ ପରିକ୍ରମା କରି ସଭାସ୍ଥଳକୁ ପହଞ୍ଚିଥିଲେ । ସଭାରେ ଡମ୍ବରୁ ଧରୁଆଙ୍କ ସଭାସଞ୍ଚାଳନରେ ବେଲପଡା ବ୍ଲକ ସଭାପତି ବସନ୍ତ ମାଝୀଙ୍କ ସଭାପତିତ୍ୱରେ ଉପସ୍ଥିତ ନିମନ୍ତ୍ରିତ ଅତିଥିଙ୍କୁ ମଞ୍ଚରେ ମଞ୍ଚାସୀନ ପରେ ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ସଭାରେ ନୂଆଁଖାଇ ପାଳନ ସହ ଆଦିବାସୀ ମାନଙ୍କର ନୂଆଁଖାଇ ସହ ଥିବା ଗୂଢ ରହସ୍ୟ ତଥା କଳା, ସଂସ୍କୃତି, ପରମ୍ପରା, ଐତିହ୍ୟ, ଭାସ୍କର୍ଯ୍ୟ ,ଲୁକ୍କାୟିତ ପ୍ରତିଭାକୁ ପୁନର୍ଜିବିତ କରି ଯୁଗ ଯୁଗ ବଞ୍ଚେଇବା ପାଇଁ ଆଲୋଚନା ହୋଇଥିଲା । ଆଦିବାସୀ ମାନେ ପରମ୍ପରା ନାଁରେ ମଦ ନିଶାରେ ନିଜକୁ ନବୁଡ଼େଇ ମୁଖ୍ୟ ସ୍ରୋତରେ ସାମିଲ ହୋଇ ଶିକ୍ଷା, ଚାକିରୀ, ରାଜନୀତି, ବ୍ୟବସାୟ ଓ ଅନେକ ସଫଳ ମାର୍ଗରେ ନିଜକୁ ନିୟୋଜିତ କରି ସଫଳତା ହାସଲ କରିଥିବା ଜନସାଧାରଣଙ୍କ ସହ ତାଳ ଦେବାକୁ ବକ୍ତା ମାନେ ବକ୍ତବ୍ୟ ପ୍ରଦାନ କରିଥିଲେ । ଆଗାମୀ ପଞ୍ଚାୟତ ନିର୍ବାଚନକୁ ଆଖି ଆଗରେ ରଖି ଜିଲ୍ଲାର ଯେକୌଣସି ଜାଗାରେ ଯଦି ଅଣସଂରକ୍ଷୀତ ଥିବା ଆସନରେ ଆଦିବାସୀ ଲୋକଙ୍କୁ ପୂର୍ଣ ସମର୍ଥନ କରି ଜିତେଇବା ପାଇଁ ନିଷ୍ପତ୍ତି ନେଇଥିଲେ ଓ ଜନଜାତି ମାନଙ୍କ ପାଇଁ ଥିବା ଆସନରେ ନିର୍ବାଚନ ନକରି ନିର୍ଦ୍ୱନ୍ଦରେ ଚୟନ କରାଯିବାକୁ ଆହ୍ୱାନ ଦେଇଥିଲେ ଅତିଥି ଗଣ । ଆଜିର ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ପଶ୍ଚିମ ଓଡିଶା ଆଦିବାସୀ କଲ୍ୟାଣ ମହାସଂଘର ମହା ସଚିବ ନିରଞ୍ଜନ ବିଶି, ମୁଖ୍ୟ ବକ୍ତା ଭାବରେ ଆୟୋଜକ ପୁରୁଷୋତ୍ତମ ଧରୁଆ ଏବଂ ସମ୍ମାନିତ ଅତିଥି ଭାବରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ଉପସଭାପତି ଶ୍ୟାମ ସୁନ୍ଦର ଭୋଇ ଯୋଗ ଦେଇଥିବା ବେଳେ ଅନ୍ୟତମ ଅତିଥି ଭାବରେ ସତ୍ୟନାରାୟଣ ଭୋଇ, ବନଳତା ମାଝୀ, ମାହେଶ୍ୱରୀ ମାଝୀ, ଖେଳନ୍ତି ସମରଥ, ଅଷ୍ଟରତ୍ନ ବରିହା, ଅଚ୍ୟୁତ ଧରୁଆ, ହେମେନ୍ଦ୍ର ହାଁସଦା, ପଦ୍ମନ ପଧାନୀ, ନିତ୍ୟା ମାଝୀ, ପ୍ରଫୁଲ୍ଲ ତୁମୁନିଆ, ଟଂକଧର ଧରୁଆ, ଦଶରଥ ଛତ୍ରିଆ, ବିପ୍ର ବିଶି, ନାରାୟଣ କିଷାନ, ଗିରିରାଜ ଭୋଇ, ସାରଥୀ ବାଗ, ରାଜକିଶୋର ଛତ୍ରୀଆ ,ଡମ୍ବରୁ ଧରୁଆ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

four × three =