mahavir

ଓଡ଼ିଆ ବିଭାଗ ପକ୍ଷରୁ ବିଦାୟ ସମ୍ବର୍ଦ୍ଧନା ସଭା ସ୍ମୃତିର ଝଙ୍କାର ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସ୍ଥାନୀୟ ଅଞ୍ଚଳ ମହା ବିଦ୍ୟାଳୟର ସ୍ନାତକ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ପକ୍ଷରୁ ଅନ୍ତିମ ବର୍ଷର ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ଭାବପୂର୍ଣ୍ଣ ବିଦାୟ ସମ୍ବର୍ଦ୍ଧନା ସଭା ‘ସ୍ମୃତିର ଝଙ୍କାର’ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଖଗେଶ୍ୱର ଦାଶଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶିକ୍ଷାୟତନିକ ଜୀବନର ସ୍ମୃତି ଓ ଭବିଷ୍ୟତର ଆହ୍ୱାନ ସମ୍ପର୍କରେ ଗଭୀର ଆଲୋଚନା କରାଯାଇଥିଲା । ବିଭାଗୀୟ ମୁଖ୍ୟ ପ୍ରାଧ୍ୟାପିକା ପୂର୍ଣ୍ଣିମା ଦୋରା ଅତିଥି ପରିଚୟ ପ୍ରଦାନ କରିବା ସହ ସଭାଟିକୁ ସୁଚାରୁ ରୂପେ ପରିଚାଳନା କରିଥିଲେ । ଏହି ଅବସରରେ ସମ୍ମାନିତ ଅତିଥି ଭାବେ ବିଭାଗର ଅଧ୍ୟାପକ ଜୟ କୁମାର ଭୁଏ, ନିର୍ମଳ କୁମ୍ଭାର, ଅଧ୍ୟାପିକା ରୀନା ଧର୍ମବିନାୟକ ଓ ସୁରେଶ୍ୱରୀ ପାଣ୍ଡେ ଯୋଗଦେଇ ବିଦାୟୀ ଛାତ୍ରଛାତ୍ରୀ ମାନଙ୍କୁ ସାହିତ୍ୟ ଓ ସଂସ୍କୃତିର ବାର୍ତ୍ତାବହ ହେବାକୁ ପରାମର୍ଶ ଦେଇଥିଲେ । ବିଦାୟ ଅବସାଦ ନୁହେଁ, ବରଂ ଏକ ନୂତନ ସମ୍ଭାବନାର ଆରମ୍ଭ ବୋଲି ଅତିଥିମାନେ ନିଜ ଅଭିଭାଷଣରେ ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ଛାତ୍ର ସରୋଜ, ସୁରେଶ ଏବଂ ଛାତ୍ରୀ କମଳିନୀ, ଶୃତି ଓ ଟ୍ୱିଙ୍କିଲ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ । ଶେଷ ବର୍ଷର ଛାତ୍ରଛାତ୍ରୀମାନେ ନିଜର ଅନୁଭୂତି ବାଣ୍ଟିବା ସମୟରେ ପରିବେଶ ବେଶ୍ ମର୍ମସ୍ପର୍ଶୀ ହୋଇଉଠିଥିଲା । ପୁଷ୍ପଗୁଚ୍ଛ ଓ ଉପହାର ପ୍ରଦାନ ପୂର୍ବକ ଅନୁଜ ଛାତ୍ରଛାତ୍ରୀମାନେ ବଡ଼ ଭାଇଭଉଣୀ ମାନଙ୍କୁ ବିଦାୟ ସମ୍ବର୍ଦ୍ଧନା ଜଣାଇଥିଲେ । ସମସ୍ତଙ୍କ ସହଯୋଗ ଓ ଶୃଙ୍ଖଳା ମଧ୍ୟରେ ଏହି ସ୍ମରଣୀୟ ସଭାଟି ସାଙ୍ଗ ହୋଇଥିଲା ।

Leave A Reply

Your email address will not be published.