ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ଏନ୍ଏସି ସୀମା ନିର୍ଦ୍ଧାରଣ ତଥା ୱାର୍ଡ ସଂରକ୍ଷଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବାର ୫ ମାସ ପରେ ଅଧ୍ୟକ୍ଷ ପଦ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି । ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ପ୍ରକାଶିତ ତାଲିକା ଅନୁଯାୟୀ ନବ ଗଠିତ ଲୋଇସିଂହା ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ ପଦବୀ ଅନୁସୂଚିତ ଜାତି ପାଇଁ ସଂରକ୍ଷିତ ରହିଛି । ଏହି ଏନ୍ଏସିର ପ୍ରଥମ ଅଧ୍ୟକ୍ଷ ଭାବେ ଅଞ୍ଚଳବାସୀ ଜଣେ ଅନୁସୂଚିତ ଜାତି ବର୍ଗର ବ୍ୟକ୍ତିଙ୍କୁ ଦେଖିବାକୁ ପାଇବେ । ସୂଚନା ମତେ, ଲୋଇସିଂହା ଏବଂ ବୁର୍ଡା ପଞ୍ଚାୟତ ତଥା ହୀରାପୁର ପଂଚାୟତର ପନେସରା, ସାରସମୁଣ୍ଡା ଓ ସେମେଲମୁଣ୍ଡା ଗ୍ରାମକୁ ନେଇ ନୂତନ ଏନ୍ଏସି ଗଠିତ ହୋଇଛି । ୨୦୧୧ ଜନଗଣନା ଅନୁଯାୟୀ ପ୍ରସ୍ତାବିତ ଏହି ଏନ୍ଏସିର ମୋଟ ଜନସଂଖ୍ୟା ୧୪,୩୮୧ ଥିବାବେଳେ ଭୋଟର ସଂଖ୍ୟା ୧୧,୩୧୪ । ଏଥିପାଇଁ ୧୪ଟି ୱାର୍ଡର ପରିକଳ୍ପନା କରାଯାଇଛି । ତନ୍ମଧ୍ୟରୁ ୫ ଟି ଆସନ ସଂରକ୍ଷିତ, ୪ଟି ଆସନ ମହିଳା ଓ ୫ଟି ଆସନ ଅଣ ସଂରକ୍ଷିତ ରହିଛି । ଏନ୍ଏସି ଅଧ୍ୟକ୍ଷ ପଦବୀ ସଂରକ୍ଷଣ ନେଇ କୌଣସି ଆପତ୍ତି ଅଭିଯୋଗ ଥିଲେ ଜୁଲାଇ ମାସ ଶେଷ ସୁଦ୍ଧା ଲିଖିତ ଅଭିଯୋଗ କରିପାରିବେ ବୋଲି ବିଜ୍ଞପ୍ତିରେ ଦର୍ଶାଯାଇଛି ।
