ସାମାଜିକ ଉତ୍ଥାନରେ ମହିଳାଙ୍କ ସହାଭାଗିତା ଜରୁରୀ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର -୧୬ ଅନ୍ତର୍ଗତ ସ୍ଥାନୀୟ ପାର୍କ ସନିକଟ୍‌ ପଡିଆରେ ଏକ ବିଶାଳ ମହିଳା ସମାବେଶ ଅନୁଷ୍ଠିତ ହୋଇଯାଇଛି । ରଘୁନାଥପାଲ୍ଲୀ ପ୍ରାକ୍ତନ ବିଧାୟକ ପାର୍ଥୀ ପ୍ରଶାନ୍ତ ସେଠୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଜନନୀ ସମ୍ପର୍କ ଅଭିଯାନ କାର୍ଯ୍ୟକ୍ରମରେ ଶ୍ରୀ ସେଠୀ ଯୋଗଦେଇ ଏଭଳି ସମାବେଶର ଆବଶ୍ୟକତା ଏବଂ ଗୁରୁତ୍ୱ ସମ୍ପର୍କରେ ନିଜ ଅଭିବ୍ୟକ୍ତି ପ୍ରକାଶ କରିଥିଲେ । ସେ କହିଥିଲେ ପରିବର୍ତ୍ତିତ ପରିସ୍ଥିତିରେ ସରକାର ଅନେକ ଲୋକାଭିମୁଖୀ ଯୋଜନା ପ୍ରଚଳନ କରିଛନ୍ତି । ଏଥିରେ ମହିଳାମାନଙ୍କ ଭୂମିକା ଏବଂ ସାମାଜିକ ଉତ୍ଥାନରେ ସହାଭାଗିତା ଅତ୍ୟନ୍ତ ଜରୁରୀ । ନିଜ ନିଜ ଅଂଚଳରେ ସରକାରୀ ଯୋଜନା କିଭଳି କାର୍ଯ୍ୟକାରୀ ହେଉଛି ଏବଂ ଏଥିରେ ଅନ୍ୟ କିଛି ବାଧକ ଅଛି କି ବୋଲି ସେ ଜାଣିବାକୁ ଆଗ୍ରହ ପ୍ରକାଶ କରିଥିଲେ । ସହରର ଅନେକ ବସ୍ତି ବାସିନ୍ଦା ସମସ୍ତଙ୍କ ଭଳି ସରକାରୀ ଯୋଜନାର ସୁଫଳ ପାଇବା ଆବଶ୍ୟକ ଏବଂ ସମ୍ପୃକ୍ତ ବସ୍ତିର ମଧ୍ୟ ଅନୁରୂପ ବିକାଶ ଜରୁରୀ । ଏଣୁ ଯେଉଁ ମା’ ଭଉଣୀ କୌଣସି ଯୋଜନାରୁ ବଞ୍ଚିତ ଥିଲେ ତାଙ୍କୁ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ କରାଯିବ ବୋଲି ପ୍ରଶାନ୍ତ ପ୍ରତିଶୃତି ପ୍ରଦାନ କରିଥିଲେ । ଯୋଜନା ସେତେବେଳେ ସଫଳ ହେବ ଯେତେବେଳେ ସମାଜର ପ୍ରତ୍ୟକ ବର୍ଗ ଏହାର ସୁଫଳ ପାଇବେ । ଏଥିରେ ଉପସ୍ଥିତ ପାଞ୍ଚଶହରୁ ଉର୍ଦ୍ଧ୍ବ ମହିଳାଙ୍କୁ ଆହ୍ୱାନ ଦେଇ ସେ କହିଲେ ନିଜ ସମସ୍ୟା ସହ ନିଜ ବସ୍ତି ତଥା ଅଂଚଳର ସର୍ବାଙ୍ଗୀନ ବିକାଶ ନେଇ ଆଗକୁ ଆସନ୍ତୁ ଏବଂ ଏହାର ଭାଗିଦାର ହୁଅନ୍ତୁ । ପ୍ରତ୍ୟେକ ପରିସ୍ଥିତିରେ ପ୍ରଶାନ୍ତ ପ୍ରଶାସନିକ ଅଧିକାରୀଙ୍କ ସହାୟତାରେ ସମସ୍ୟାର ସମାଧାନ ପାଇଁ ପ୍ରସ୍ତୁତ । ଆନ୍ତରିକତା ଏବଂ ସହଯୋଗ ସଫଳର ମୂଳ ଉତ୍ସ ବୋଲି କହି ଶ୍ରୀ ସେଠୀ ଉପସ୍ଥିତ ମହିଳାଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ । ଏହି ସମାବେଶରେ ସଂଯୁକ୍ତା ମହାନ୍ତି, ଲକ୍ଷ୍ମୀ ପ୍ରିୟା ରାୟ, ସଞ୍ଜୁଲତା ସାମଲ, ଲକ୍ଷ୍ମୀପ୍ରିୟା ସାହୁ, ପାର୍ବତୀ ମଣ୍ଡଳ, ସବିତା ଝା, ବାସନ୍ତୀ ଖଡିଆ ସନ୍ଧ୍ୟା ବେହେରା, ରାଧା ଭୂମିଜ, ଅମିତା ସିଂ, ଫୁଲଜେନସିଆ ସୋରେନ ଏବଂ ସୁନିତା ସିଂ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

16 − 9 =