jayashree

ଲଗାଣ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ

ସିନାପାଲି, (କେପିଏନ୍‌ଏସ୍‌) : ଲଗାଣ ବର୍ଷାରେ ସିନାପାଲି ଅଞ୍ଚଳରେ ଜନଜୀବନ ଏକପ୍ରକାର ଅସ୍ତବ୍ୟସ୍ତ ହୋଇପଡ଼ିଛି । ଦୀର୍ଘ ସମୟ ଧରି ଲାଗିରହିଥିବା ବର୍ଷା ଯୋଗୁଁ ଅଞ୍ଚଳର ଉଦନ୍ତୀ ନଦୀରେ ପ୍ରବଳ ବନ୍ୟା ଦେଖାଦେଇଛି । ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ, ଗତ ୪ରୁ ୫ ବର୍ଷ ମଧ୍ୟରେ ଏଭଳି ବଡ଼ ଧରଣର ନଈବଢ଼ି ଦେଖିବାକୁ ମିଳିନଥିଲା । ନଦୀର ଜଳସ୍ତର ବୃଦ୍ଧି ପାଇବା ସହ ଅଞ୍ଚଳବାସୀଙ୍କ ମଧ୍ୟରେ ଆଶଙ୍କା ବଢ଼ିଛି । ଲଗାଣ ବର୍ଷାର ସିଧାସଳଖ ପ୍ରଭାବ ଏବେ ଚାଷ ଉପରେ ପଡ଼ିବା ଆରମ୍ଭ କରିଛି । ବିଭିନ୍ନ ଅଞ୍ଚଳରେ ଚାଷଜମିରେ ବର୍ଷା ଜଳ ଜମି ରହିଥିବାରୁ ଶହ ଶହ ଏକର ଧାନ ଫସଲ କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହିଛି । ଚାଷଜମିରୁ ପାଣି ନିଷ୍କାସନ ନହେଲେ ଆଗାମୀ ଦିନରେ ଫସଲରେ ବ୍ୟାପକ କ୍ଷୟକ୍ଷତି ହୋଇପାରେ ବୋଲି ଚାଷୀମାନେ ଚିନ୍ତା ପ୍ରକାଶ କରିଛନ୍ତି । ଅନ୍ୟପକ୍ଷରେ, ଲଗାଣ ବର୍ଷା ଯୋଗୁଁ ସିନାପାଲି ଅଞ୍ଚଳର ଦୋକାନ ବଜାର ମଧ୍ୟ ପ୍ରାୟତଃ ଠପ୍ ହୋଇଯାଇଥିଲା । ରାସ୍ତାଘାଟରେ ଲୋକଙ୍କ ଚଳପ୍ରଚଳ କମିଯାଇଥିବା ବେଳେ ବର୍ଷା ଯୋଗୁଁ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇଥିଲା । ଅଞ୍ଚଳର ବିଭିନ୍ନ ସ୍ଥାନରେ ଗଛ ଉପୁଡ଼ି ରାସ୍ତା ଉପରେ ପଡ଼ିବାରୁ କିଛି ସମୟ ପାଇଁ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା । ସେହିପରି କେତେକ ସ୍ଥାନରେ ପୋଲ ଉପରେ ବର୍ଷାଜଳ ଉଛୁଳି ବହିବାରୁ ଯାତାୟାତ ଏକପ୍ରକାର ଠପ୍ ହୋଇଯାଇଥିଲା । ସିନାପାଲି-ଖଡ଼ିଆଳ ମୁଖ୍ୟ ରାସ୍ତାର ବରଗାଁ-ଗଣ୍ଡାବାହାଲି ମଧ୍ୟରେ ନିର୍ମିତ ନୂତନ ପୋଲ ଉପରେ ଆଣ୍ଠୁଏ ପାଣି ବହିବାରୁ କିଛି ସମୟ ପାଇଁ ରାସ୍ତାରେ ଯାତାୟାତ ବନ୍ଦ ହୋଇଯାଇଥିଲା । ଫଳରେ ଉଭୟ ପାର୍ଶ୍ୱରେ ଯାନବାହନ ଅଟକି ରହିଥିବା ଦେଖାଯାଇଥିଲା । ସେହିପରି ସିନାପାଲି ମୁଖ୍ୟ ରାସ୍ତାର ବ୍ଲକ ଛକ ନିକଟରେ ଏକ ଗଛ ରାସ୍ତା ଉପରେ ପଡ଼ିଯିବାରୁ କିଛି ସମୟ ଧରି ଯାତାୟାତ ବାଧାପ୍ରାପ୍ତ ହୋଇଥିଲା । ଖବର ପାଇ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଗଛ କାଟି ରାସ୍ତା ସଫା କରିବା ପରେ ଯାତାୟାତ ସ୍ୱାଭାବିକ ହୋଇଥିଲା । ଏପଟେ ଦୀର୍ଘ ବର୍ଷ ପରେ ଉଦନ୍ତୀ ନଦୀରେ ଏଭଳି ପ୍ରବଳ ବନ୍ୟା ଦେଖାଦେଇଥିବାରୁ ନଦୀର ଦୃଶ୍ୟ ଦେଖିବାକୁ ଲୋକଙ୍କ ମଧ୍ୟରେ ଉତ୍ସୁକତା ମଧ୍ୟ ବଢ଼ିଥିଲା । ଯୁଗେନପଦର ସେତୁ ଓ ବରଗାଁ-ଧୋବାସେତୁ ନିକଟରେ ନଦୀବଢ଼ି ଦେଖିବାକୁ ଲୋକଙ୍କ ଭିଡ଼ ଜମିଥିଲା । ଅନେକ ଲୋକ ନଦୀର ପ୍ରବଳ ସ୍ରୋତକୁ ମୋବାଇଲ୍‌ରେ କଏଦ କରିବା ସହ ସେଲ୍ଫି ନେଉଥିବା ମଧ୍ୟ ଦେଖିବାକୁ ମିଳିଥିଲା । ତେବେ ପ୍ରବଳ ବନ୍ୟା ସମୟରେ ନଦୀ ଓ ପୋଲ ନିକଟକୁ ଯାଇ ସେଲ୍ଫି ନେବା ଅତ୍ୟନ୍ତ ବିପଜ୍ଜନକ ହୋଇଥିବାରୁ ଏଥିରୁ ନିବୃତ୍ତ ରହିବାକୁ ସଚେତନ ଲୋକେ ପରାମର୍ଶ ଦେଇଛନ୍ତି । ଲଗାଣ ବର୍ଷା ଓ ନଦୀବଢ଼ିର ପରିସ୍ଥିତି ଉପରେ ପ୍ରଶାସନ ନଜର ରଖିବା ସହ ଚାଷଜମିର କ୍ଷୟକ୍ଷତି ଆକଳନ କରି ଚାଷୀଙ୍କୁ ଆବଶ୍ୟକ ସହାୟତା ଯୋଗାଇଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।

Leave A Reply

Your email address will not be published.