ଜବରଦଖଲ ଉଚ୍ଛେଦ ବେଳେ ଉତ୍ତେଜନା

ପାପଡ଼ାହାଣ୍ଡି : ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକ ମୋକିଆ ଗ୍ରାମରେ ଜବରଦଖଲ ଉଚ୍ଛେଦବେଳେ ଶୁକ୍ରବାର ଉତ୍ତେଜନା ଦେଖାଦେଇଛି । ପଞ୍ଚାୟତ ଜାଗାରେ ଅବୈଧ ଷ୍ଟଲ୍‌ ନିର୍ମାଣ ଓ ନାଳ ଉପରେ ଦୋକାନ ଘରକୁ ପ୍ରଶାସନ ଭାଙ୍ଗିଦେଇଛି । ଦୀର୍ଘଦିନ ଧରି ଜବରଦଖଲ କରି ରଖିଥିବା ବ୍ୟକ୍ତିଙ୍କୁ ପ୍ରଶାସନ ତାଗିଦ କରି ଫେରିଛି ।

ସୂଚନା ମୁତାବକ ମୋକିଆ ମାର୍କେଟ ଛକ ନିକଟରେ ରାସ୍ତା କିସମ ଜାଗାରେ ଏକ ବେଆଇନ ଷ୍ଟଲ୍‌ ନିର୍ମାଣ କରାଯାଇଥିଲା । ଦଶମୁ ହରିଜନ ଏହି ଷ୍ଟଲ୍‌ କରି ଦୋକାନ ଚଳାଇଥିଲେ । ସେହିପରି କୁନି ନାୟକ ନାମକ ଜଣେ ମହିଳା ରାସ୍ତା ପାର୍ଶ୍ୱରେ ଥିବା ନାଳ ଉପରେ ଦୋକାନ ନିର୍ମାଣ କରିଥିଲେ। ଏ ନେଇ ସରପଞ୍ଚ ଜଗଜ୍ଜୀବନ ନାୟକ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ଜଣାଇଥିଲେ ।

ସେମାନେ ଏଭଳି ଦୋକାନ କରିବା ଦ୍ୱାରା ମାର୍କେଟ ଲୋକ ଏବଂ ବ୍ୟବସାୟୀଙ୍କୁ ସମସ୍ୟା ହେଉଥିବା ନେଇ ଅଭିଯୋଗ କରିଥିଲେ ସରପଞ୍ଚ । ଏହାପରେ ଜାଗା ଖାଲି କରିବା ନେଇ ତହସିଲ ପକ୍ଷରୁ ନୋଟିସ କରାଯାଇଥିଲା। କିନ୍ତୁ ଉଭୟ ଦୋକାନୀ ନୋଟିସକୁ ବେଖାତିର କରି ଚାଲିଥିଲେ । ଶୁକ୍ରବାର ତହସିଲଦାର ଯୋଗେଶ୍ୱର ଭୋଇ, ପାପଡ଼ାହାଣ୍ଡି ଥାନାଧିକାରୀ ରାମେଶ୍ୱର ପ୍ରଧାନ, ଅତିରିକ୍ତ ତହସିଲଦାର ମଧୁସୂଦନ ମାଝି, ସୁପରଭାଇଜର ଦେବେନ୍ଦ୍ର ମାଝି, ଆର୍‌ଆଇ ଦହଣା ପୂଜାରୀ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଦୋକାନ ଖାଲି କରିବା ଲାଗି କହିଥିଲେ ।

କିନ୍ତୁ ଦୋକାନୀ ୨ଜଣ ଏହାର ପ୍ରତିବାଦ କରିଥିଲେ । ପାଟିତୁଣ୍ଡ ସହ ଉତ୍ତେଜନା ଦେଖାଦେଇଥିଲା । କର୍ମଚାରୀଙ୍କ ସହ ଟଣାଓଟରା ମଧ୍ୟ ହୋଇଥିଲା । ପରେ ପୋକ୍‌ଲିନ ସହାୟତାରେ ଦୋକାନ ଭଙ୍ଗାଯାଇଥିଲା । ଏହି ଜବରଦଖଲ ଉଚ୍ଛେଦବେଳେ ମୋକିଆ ସରପଞ୍ଚ, ଯୁଗଳ ବିଷୋୟୀ, ୱାର୍ଡମେମ୍ବର ମାଳତୀ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

sixteen + 12 =