
ଖପ୍ରାଖୋଲ ବ୍ଲକର ଲଛିମାଲ ଗ୍ରାମରେ ଘଟିଥିବା ଏହି ଅଭାବନୀୟ ଘଟଣା ଅଞ୍ଚଳରେ ଚର୍ଚ୍ଚା ଓ ଭୟର ପରିବେଶ ସୃଷ୍ଟି କରିଛି । ଜଣେ ଯୁବକଙ୍କ ମୃତଦେହ କୁସୁମ ଗଛରେ ଝୁଲୁଥିବା ଅବସ୍ଥାରେ ମିଳିଥିବାରୁ ଘଟଣାଟି ରହସ୍ୟମୟ ରୂପ ନେଇଛି । ସୂଚନା ଅନୁଯାୟୀ, ପାଇକମାଲ ଥାନା ଅନ୍ତର୍ଗତ ଟେମରି ପଞ୍ଚାୟତର ସୋଢା ଗ୍ରାମର ପରୀକ୍ଷିତ ବେହେରାଙ୍କ ପୁଅ ରୋହନ ବେହେରା ହରିଶଙ୍କର ଚତୁର୍ଦ୍ଦଶୀ ମେଳା ଦେଖିବାକୁ ନାନ୍ଦୁପଲାର ତାଙ୍କ ମାମୁଘରକୁ ଆସିଥିଲେ । ଏହି ସମୟରେ ରୋହନଙ୍କ ସାଙ୍ଗ, ଲରମ୍ଭା ଥାନା ଅନ୍ତର୍ଗତ ଦମେଇପାଲି ପଞ୍ଚାୟତର ଲଛିମାଲ ଗ୍ରାମର ନିବେଶ ଦୀପ, କାହାକୁ କିଛି ନ କହି ରୋହନଙ୍କ ବାଇକ ନେଇ ନିଜ ଘରକୁ ଆଣିଥିବା କୁହାଯାଉଛି । ଏନେଇ ଗୁରୁବାର ସନ୍ଧ୍ୟାରେ ରୋହନ ତାଙ୍କ ବାପା ଓ କିଛି ଲୋକଙ୍କ ସହ ଲଛିମାଲ ଗ୍ରାମକୁ ପହଞ୍ଚିଥିଲେ । ନିବେଶର କହିବା ଅନୁଯାୟୀ, ସେମାନେ ତାକୁ ମାଡ଼ ମାରିଥିଲେ । ପରେ ବାଇକଟିକୁ ସ୍ଥାନୀୟ ୱାର୍ଡସଭ୍ୟଙ୍କ ନିକଟରେ ରଖି ସମସ୍ତେ ନାନ୍ଦୁପଲାକୁ ଫେରୁଥିବାବେଳେ, ରୋହନ କୁଆଡେ ଚାଲିଯାଇଥିବା ମୃତକଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଛି । ସକାଳେ ଜଣେ ଚାଷୀ ନିଜ ଜମିକୁ ଯାଇଥିବାବେଳେ କୁସୁମ ଗଛରେ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଦେଖି ଗ୍ରାମବାସୀଙ୍କୁ ସୂଚନା ଦେଇଥିଲେ । ପରେ ଘଟଣା ସ୍ଥଳରେ ପହଞ୍ଚି ମୃତକଙ୍କ ପରିଚୟ ରୋହନ ବେହେରା ବୋଲି ନିଶ୍ଚିତ ହୋଇଥିଲା । ଘଟଣା ସମ୍ପର୍କରେ ମୃତକଙ୍କ ବାପା ଲରମ୍ଭା ଥାନାରେ ଲିଖିତ ଅଭିଯୋଗ କରିଥିବାବେଳେ, ଲରମ୍ଭା ପୋଲିସ ଓ ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ବୋଲି ଥାନାଧିକାରୀ ଭାନୁ ପ୍ରସାଦ ୟାଦବ ସୂଚନା ଦେଇଛନ୍ତି । ଘଟଣାସ୍ଥଳର ପରିସ୍ଥିତିକୁ ଦେଖି ଏହା ସାଧାରଣ ଆତ୍ମହତ୍ୟା ନୁହେଁ, ବରଂ ହତ୍ୟା ହୋଇପାରେ ବୋଲି ସନ୍ଦେହ ଜୋର ଧରିଛି । ସେପଟେ ଗ୍ରାମରେ ନିଶା ଟାବଲେଟ ସମ୍ପର୍କିତ ଆଶଙ୍କା ନେଇ ମଧ୍ୟ ଚର୍ଚ୍ଚା ଚାଲିଛି । ପୋଲିସ ତଦନ୍ତ ପରେ ଘଟଣାର ସତ୍ୟାସତ୍ୟ ପ୍ରକାଶ ପାଇବ ବୋଲି ଆଶା ।