କୃଷି କ୍ଷେତ୍ରରେ ବଢୁଛି ହାତୀ ଉପଦ୍ରବ, ଚିନ୍ତାରେ ଚାଷୀ : ନଷ୍ଟ ହେଉଛି ଏକର ଏକର କପା, ମକା ଓ ଧାନ ଫସଲ

କଳାହାଣ୍ଡି, (କେପିଏନ୍‌ଏସ୍‌) : କଳାହାଣ୍ଡି ଜିଲ୍ଲା ବିଶ୍ୱନାଥପୁର ରେଞ୍ଜ ଅଞ୍ଚଳରେ ହାତୀ ଉପଦ୍ରବ ବଢିବାରେ ଲାଗିଛି । ଆଜିକୁ କିଛି ଦିନ ହେଲା ହାତୀପଲ ଜଙ୍ଗଲରୁ ଜନବସତିମୁହାଁ ହୋଇଥିବା ଜଣାପଡିଛି । ଶୁକ୍ରବାର ରାତିରେ ପୋଖରିବନ୍ଧ ପଞ୍ଚାୟତ ପୋଡାଉମେର ଗାଁ ନିକଟସ୍ଥ ଟୁକଗୁଡାଙ୍ଗ ଜଙ୍ଗଲରୁ ୧୦ରୁ ଅଧିକ ହାତୀପଲ ରାତ୍ରି ୧୧ ଘଣ୍ଟା ସମୟରେ ଆସି ପହଞ୍ଚିଥିଲେ । ସେହି ସମୟରେ ଚାଷୀ ରସିକ ହରପାଲ ମକାବାଡ଼ିର ମଞ୍ଚାରେ ଶୋଇଥିବା ସମୟରେ ହାତୀପଲ ଭୀଷଣ ଗର୍ଜ୍ଜନ କରିଥିଲେ । ଜୀବନ ବିକଳରେ ରସିକ ଘଟଣା ସ୍ଥଳରୁ ପଳାଇ ଯାଇଥିଲେ। ରସିକଙ୍କ ପ୍ରାୟ ୧ ଏକର ଅଧିକ କପା ଓ ମକା ବାଡକୁ ମାଡି ଛକଟି ଦେଇଥିବା ବେଳେ ମୁନି କରୁଆଙ୍କ ମଧ୍ୟ ୭୦ ଡିସମିଲରୁ କପା ଓ ମକା ଚାଷକୁ ନଷ୍ଟ କରିଛନ୍ତି । ସେହିପରି ପୁସ୍ତକ ହରପାଲଙ୍କ ୧ ଏକର ଧାନ ଫସଲକୁ ମଧ୍ୟ ନଷ୍ଟ କରିଦେଇଛନ୍ତି । ଏହାସହ ଅନ୍ୟାନ୍ୟ ଚାଷୀଙ୍କ ଫସଳ ନଷ୍ଟ ହୋଇଥିବା ଜଣା ପଡ଼ିଛି । ଏହି ହାତୀପଲ ପ୍ରାୟ ୪ ଦିନ ହେଲା ନିକଟସ୍ଥ ଟୁକଗୁଡାଙ୍କ ଜଙ୍ଗଲରେ ରହି ରାତିରେ ଆସି ଫସଲ ନଷ୍ଟ କରୁଥିବା ଚାଷୀ ଅଭିଯୋଗ କରିଛନ୍ତି । ଏନେଇ ବିଶ୍ୱନାଥପୁର ରେଞ୍ଜର ଲକ୍ଷ୍ୟ ମହାନନ୍ଦଙ୍କୁ ପଚାରିବାରୁ ବର୍ତ୍ତମାନ ବନ ବିଭାଗ ଖବର ପାଇ ହାତୀପଲ ଫସଲ ନଷ୍ଟ କରିଥିବା ଅଞ୍ଚଳକୁ ଯାଇ କ୍ଷୟକ୍ଷତିର ଆକଳନ କରିଥିବା ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.