
- କ୍ଷତିପୂରଣ ଦାବିରେ ଥାନା ସମ୍ମୁଖରେ ଧାରଣା
କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସହରର ବଙ୍ଗୋମୁଣ୍ଡା ଫାଟକ ନିକଟରେ ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ଜଣେ ଗୁରୁତର ଆହତ ହୋଇ ଚିକିତ୍ସାଧୀନ ଅଛନ୍ତି । ଘଟଣା ପରେ କ୍ଷତିପୂରଣ ଓ ଗାଡ଼ି ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ପରିବାର ଲୋକେ କଣ୍ଟାବାଞ୍ଜି ଥାନା ସମ୍ମୁଖରେ ଧାରଣାରେ ବସିଥିଲେ । ସୂଚନା ଅନୁସାରେ, ନୂଆପଡ଼ା ଜିଲ୍ଲା କୋମନା ଥାନା ଅନ୍ତର୍ଗତ ଚାନ୍ଦୋପଲା ଗ୍ରାମର ନୂତନ କହରିଆ ଓ ନକୁଳ ବନଛୋର ନିଜ ସମ୍ପର୍କୀୟଙ୍କ ଘରକୁ ଆସିଥିଲେ । ଫେରୁଥିବା ବେଳେ ସେମାନଙ୍କ ମୋଟରସାଇକେଲକୁ ଏକ ସ୍କର୍ପିଓ କାର ଧକ୍କା ଦେଇଥିବା ଅଭିଯୋଗ ହୋଇଛି । ଦୁର୍ଘଟଣାରେ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଦୁର୍ଘଟଣା ପରେ କାର ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି । ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ମୃତକଙ୍କ ପରିବାର ଲୋକେ କ୍ଷତିପୂରଣ ପ୍ରଦାନ, ଗାଡ଼ି ମାଲିକଙ୍କୁ ଗିରଫ ଓ ଦୋଷୀଙ୍କ ବିରୋଧରେ କଠୋର ପଦକ୍ଷେପ ଦାବି କରି ମୃତଦେହକୁ ରାସ୍ତାରେ ରଖି କଣ୍ଟାବାଞ୍ଜି ଥାନା ସମ୍ମୁଖରେ ଧାରଣା ଦେଇଥିଲେ । ଏପଟେ କଣ୍ଟାବାଞ୍ଜି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି ।