
କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : ବଲାଙ୍ଗିର ଜିଲ୍ଲା ତୁରେକେଲା ଥାନା ଅନ୍ତର୍ଗତ ଝରଣୀ ପଞ୍ଚାୟତର ନୂଆପଡା ଗାଁରେ ଏକ ଭାଲୁ ଆକ୍ରମଣ ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ଶୌଚ ପାଇଁ ଘରୁ ବାହାରିଥିବା ଜଣେ ବ୍ୟକ୍ତିଙ୍କୁ ଭାଲୁ ଆକ୍ରମଣ କରି ଗୁରୁତର ଆହତ କରିଥିବା ସୂଚନା ମିଳିଛି । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ସକାଳ ସମୟରେ ପୀଡ଼ିତ ବ୍ୟକ୍ତି ଗାଁ ନିକଟସ୍ଥ ଜଙ୍ଗଲ ଅଞ୍ଚଳକୁ ଶୌଚ ପାଇଁ ଯାଇଥିବା ବେଳେ ହଠାତ୍ ଏକ ଭାଲୁର ସମ୍ମୁଖୀନ ହୋଇଥିଲେ । ଭାଲୁଟି ତୁରନ୍ତ ଆକ୍ରମଣ କରି ତାଙ୍କୁ ଗୁରୁତର ଭାବେ ଆହତ କରିଥିଲା । ଚିତ୍କାର ଶୁଣି ଗ୍ରାମବାସୀ ଘଟଣାସ୍ଥଳକୁ ଧାଇଁ ଆସିଥିଲେ ଏବଂ ଆହତଙ୍କୁ ଉଦ୍ଧାର କରିଥିଲେ । ପରେ ଗୁରୁତର ଆହତ ଅବସ୍ଥାରେ ତାଙ୍କୁ କଣ୍ଟାବାଞ୍ଜି ଚିକିତ୍ସାଳୟକୁ ନିଆଯାଇଥିଲା ଏବଂ ସେଠାରେ ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି । ଏହି ଘଟଣା ପରେ ଗାଁରେ ଭୟର ବାତାବରଣ ସୃଷ୍ଟି ହୋଇଥିବା ସହିତ ଗ୍ରାମବାସୀମାନେ ଜଙ୍ଗଲକୁ ଯିବାପାଇଁ ଭୟ କରୁଛନ୍ତି । ସ୍ଥାନୀୟ ଲୋକମାନେ ବନ ବିଭାଗକୁ ଶୀଘ୍ର ପଦକ୍ଷେପ ନେଇ ଭାଲୁ ଆତଙ୍କ ନିୟନ୍ତ୍ରଣ କରିବାକୁ ଦାବି କରିଛନ୍ତି ।