ସଇଁନ୍ତଲାରେ ୧ କୋଟି ପରେ ଦେଓଗାଁରେ ୨ କୋଟି ଜିଏସଟି ଠକେଇ : ଦୁଇ ଜଣଙ୍କୁ ଥାନାରେ ଅଟକ ରଖି ତଦନ୍ତ କରୁଛି ପୁଲିସ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଘଣ୍ଟମାଲ ଗ୍ରାମର ରବୀନ୍ଦ୍ର ଭୋଇ ନାମକ ଜଣେ ଚାଷୀଙ୍କ ନାଁରେ ମିଛ କମ୍ପାନୀ ଖୋଲି ୧କୋଟି ଟଙ୍କାର କାରବାର ପରେ ଜିଏସଟି ଠକେଇ କରାଯାଇଥିବା ଅଭିଯୋଗ ହୋଇଥିଲା । ତେବେ ଉକ୍ତ ବ୍ୟକ୍ତିଙ୍କ ଘରକୁ ଯାଇ ଜିଏସଟି ବିଭାଗୀୟ ଅଧିକାରୀ ତଦନ୍ତ ମଧ୍ୟ କରିଥିଲେ । ତେବେ ଯୁବକ ଜଣକ ଜାଣିବା ପରେ ଠକେଇ ହୋଇଥିବା ନେଇ ସଇଁନ୍ତଲେ ଥାନାରେ ଅଭିଯୋଗ କରିଥିଲେ । ତେବେ ଏହା ବଲାଙ୍ଗିର ଜିଲ୍ଲାରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ଏହି ଘଟଣା ପଛରେ ମାଷ୍ଟର ମାଇଣ୍ଡ ଭାବେ ଟିକ୍ରାପଡାର ବାସିନ୍ଦା ଗାୟତ୍ରୀ ଜୟସ୍ୱାଲ ଓ ବିରେନ୍ଦ୍ର ଜୟସ୍ୱାଲଙ୍କୁ ଆଜି ବଲାଙ୍ଗିର ଟାଉନ ଥାନା ପୁଲିସ ଅଟକ ରଖି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି । ତେବେ ଏହି ଦୁଇ ଜଣ ମାଷ୍ଟର ମାଇଣ୍ଡ ନା ଆଉ କିଏ କିଏ ଏହି ଜିଏସଟି ଠକେଇ ପଛରେ ଅଛନ୍ତି, ତାହା ସବୁକୁ ତଦନ୍ତ କଲା ପରେ ଘଟଣା ସାମ୍ନାକୁ ଆସିବ ବୋଲି ପୁଲିସ କହିଛି । ଅନ୍ୟପଟେ ଦେଓଗାଁ ବ୍ଳକ ସାରସମାଲ ଗ୍ରାମର ସବିତା ରଣା ନାମକ ଜଣେ ମହିଳାଙ୍କ ସହ ଘରଭଡା ପାଇଁ ସ୍ୱାକ୍ଷର ହୋଇଥିବା ଏକ ଚୁକ୍ତି ପତ୍ର ବିକ୍ରିକର ବିଭାଗ(ସେଲସ ଟ୍ୟାସ୍କ) ପାଖରେ ରହିଛି । ଯେଉଁଥିରେ ସାରସମାଲ ଏକ ‘ପରିବହନ କମ୍ପାନୀ’ର କାର୍ୟ୍ୟଳୟ ଖୋଲା ଯାଇ ସେଠାରୁ ସାମଗ୍ରୀ ପରିବହନ କରାଯାଇଛି ବୋଲି ଜିଏସଟି ଫଂକାଯାଇଥିବା ଜାଣିବାକୁ ମିଳିଛି । କିନ୍ତୁ ପ୍ରକୃତରେ ସାରସମାଲରେ ସଂପୃକ୍ତ ମହିଳା ଜଣକ କୈ।ଣସି କମ୍ପାନୀକୁ ତାଂକ ଘର ଭଡାରେ ଦେଇ ନଥିବା ବେଳେ ସେନେଇ କୈଣସି ଚୁକ୍ତି ସ୍ବାକ୍ଷର କରିନ ଥିବା କହିଛ‌ନ୍ତି । ଓଲଟା ଗତ କିଛି ମାସ ତଳେ ଗୋଷ୍ଠୀ ଋଣ କରାଇ ଦେବାକୁ କହି ଜଣେ ମହିଳାଙ୍କୁ ତାଙ୍କର ସମସ୍ତ କାଗଜପତ୍ର ଦେଇଥିଲେ । ତେଣୁ ସେହି ପ୍ରମାଣ ପତ୍ରରେ ନକଲି କାଗଜପତ୍ର କରି ଏଭଳି କାରବାର କରାଯାଇଥିବା ମହିଳା ଜଣକ କହିଛନ୍ତି । ଶେଷରେ ବିକ୍ରି କର ବିଭାଗର ନିର୍ଦ୍ଦେଶ କ୍ରମେ ଗତକାଲି ସେ ଦେଓଗାଁ ଥାନାରେ ଅଭିଯୋଗ କରିଛନ୍ତି । ସୂଚନାଯୋଗ୍ୟ ଯେ, ଦେଓଗାଁ ଥାନା ସାରସମାଲ ଗାଁର ଲକ୍ଷିନ୍ଦ୍ର ରଣାଙ୍କ ଘରକୁ ଗତ ବୁଧବାରରେ ବିକ୍ରି କର ବିଭାଗର କେତେକ ବିଭାଗୀୟ ଅଧିକାରୀ ପହଂଚି ତାଙ୍କ ଘରେ କୈ।ଣସି ପରିବହନ କମ୍ପାନୀ ଖୋଲିଥିବା ସମ୍ପର୍କରେ ପଚରା ଉଚରା କରିଥିଲେ । ଏପରିକି କମ୍ପାନୀ କର୍ତ୍ତୃପକ୍ଷଙ୍କ ସହ ଲକ୍ଷିନ୍ଦ୍ରଙ୍କ ସ୍ତ୍ରୀ ସବିତା ରଣା ଚୁକ୍ତି ସ୍ବାକ୍ଷର କରି ଭଡ଼ାରେ ଘର ଦେଇଛନ୍ତି ବୋଲି ଉଲ୍ଲେଖ ଥିବା କାଗଜପତ୍ର ଦେଖାଇ ଥିଲେ । ସୂଚନା ଅନୁଯାୟୀ, ଗତ ଜୁନ ମାସ ୧ ତାରିଖରେ ସ୍ବାକ୍ଷରିତ ଉକ୍ତ ଚୁକ୍ତିପତ୍ରରେ ପ୍ରଥମ ପକ୍ଷ ସବିତା ରଣା ରହିଥିବା ବେଳେ ଦ୍ଵିତୀୟ ପକ୍ଷରେ ଟିକ୍ରାପଡା ବାସିନ୍ଦା ନିର୍ମଳ ଜୟସ୍ୱାଲ ଓ ତାଙ୍କ ପୁଅ ବିରେନ୍ଦ୍ର କୁମାର ଜୟସ୍ୱାଲ ବୋଲି ଉଲ୍ଲେଖ ରହିଛି । ଉକ୍ତ ଚୁକ୍ତି ୨୦୨୨ ମଇ ୩୧ତାରିଖ ପର୍ୟ୍ୟନ୍ତ ବଳବତ୍ତର ରହିବ ବୋଲି କୁହାଯାଇଛି । ଏପରି କି ଘର ପାଇଁ ମାସିକ ୧୦ ହଜାର ଟଙ୍କା ଦିଆଯିବ ଓ ପାଣି ବିଦ୍ୟୁତ ଖର୍ଚ୍ଚ ନିଜେ ନିର୍ମଳ ଜୟସ୍ୱାଲ ପୈଠ କରିବେ ଭଳି ଅନେକ ନିୟମ କାନୁନ ସେଥିରେ ଉଲ୍ଲେଖ କରାଯାଇଛି । ଶେଷରେ ସବିତା ରଣା, ବିରେନ୍ଦ୍ର ଜୟସ୍ୱାଲଙ୍କ ସମେତ ସାକ୍ଷୀ ଭାବରେ ଅଜୟ କୁମାର ବେହେରା ଓ ଶାଶ୍ୱତ ପଧାନ ନାମକ ଦୁଇ ଜଣ‌ଙ୍କ ଦସ୍ତଖତ ମଧ୍ୟ ରହିଛି । ସବୁ ଦେଖିବା ପରେ ସବିତା ସେ ଗୁଡିକ ନକଲି କହିବା ସହ ଏଥିରେ ଜାଲିଆତି କରାଯାଇଥିବା କହିଛନ୍ତି । ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି, ଗତ ମଇ ମାସରେ ସାରସମାଲ ବାସିନ୍ଦା କମଳାକାନ୍ତ ସାହୁ ନାମକ ଜଣେ ବ୍ୟକ୍ତିଙ୍କ ପତ୍ନୀ ମୀନା ସାହୁ ଗୋଷ୍ଠୀ ଋଣ ପ୍ରଦାନ କରାଯିବ କହି ସବିତାଙ୍କ ଠାରୁ ଘରର ବିଭିନ୍ନ କାଗଜ ପତ୍ର ଆଦି ମାଗି ନେଇଥିବା ସବିତା ଅଭିଯୋଗ କରିଛନ୍ତି । ଅନ୍ୟପଟେ ଦୁଇ ଜଣଙ୍କୁ ଅଟକ ରଖି ପୁଲିସ ପଚରାଉଚରା ଜାରି ରଖିଥିବା ସୂଚନାରୁ ପ୍ରକାଶ ।

Leave A Reply

Your email address will not be published.