jayashree

ଚୋରାଚାଲାଣ ହେଉଥିଲା ଗଞ୍ଜେଇ ଓ ରନ୍ଧା ମଦ, ମାଡି ବସିଲା ପୋଲିସ ୩ ଗିରଫ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଅଧୀନସ୍ଥ ସମ୍ବଲପୁର ସୀମାନ୍ତ ଜଙ୍ଗଲ ଗୁଜା ଗ୍ରାମରେ ଦେଶୀ ରନ୍ଧା ମହୁଲି ମଦ ଓ ଗଞ୍ଜେଇ ପରିବହନ ସମ୍ପର୍କରେ ସୋନପୁର ପୋଲିସକୁ ଗୁଇନ୍ଦା ସୂଚନା ମିଳିଥିଲା । ଗତକାଲି ରାତି ପ୍ରାୟ ୨ଟା ବେଳେ ସୁବର୍ଣ୍ଣପୁର ପୋଲିସ ଅଧୀକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ଉଲୁଣ୍ଡା ଥାନା ଆଇଆଇସି ଓ କର୍ମଚାରୀଙ୍କ ସହିତ ଗୁଜା ଗ୍ରାମରେ ଚଢାଉ କରି ଅଭିଯୁକ୍ତଙ୍କ ଅବୈଧ କବଜାରୁ ଚୋରା ଗଞ୍ଜେଇ ଜବତ କରିଥିଲେ । ଏନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସବିଶେଷ ସୂଚନା ଦେଇଛନ୍ତି ଏସପି ନାରାୟଣ ନାୟକ । ଏହି ମାମଲାରେ ଏନ୍‌ଡିପିଏସ୍‌ ଆଇନର ପ୍ରଚଳିତ ନିୟମ ଅନୁସରଣ କରି, ସାକ୍ଷୀ ଏବଂ କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ତଲାସୀ କରାଯାଇଥିଲା ବେଳେ ମୋଟ ୭ ଗୋଟି ବଡ଼ ବ୍ୟାଗ ଚିହ୍ନଟ ହୋଇଥିଲା । ଉକ୍ତ ୭ ଗୋଟି ବଡ଼ ବ୍ୟାଗ ଖୋଲିବା ପରେ, ପଲିଥିନରେ ଗୁଡ଼ାଯାଇଥିବା ୧୬୦ଟି ଛୋଟ ପ୍ୟାକେଟରୁ ସର୍ବମୋଟ ୧ କ୍ୱିଣ୍ଟାଲ ୫୮ କେଜି ୫୦୦ ଗ୍ରାମ ଗଞ୍ଜେଇ ମିଳିଥିଲା । ସରକାରୀ ମୂଲ୍ୟ ଅନୁଯାୟୀ ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧୫,୮୫,୦୦୦ ଟଙ୍କା । ଏହି ମାମଲାରେ ୨ ଜଣ ଅଭିଯୁକ୍ତ ଗୁଜା ଗ୍ରାମର ଭରଦ୍ୱାଜ କର୍ଣ୍ଣ (୩୬) ଓ ଗୋପବନ୍ଧୁ କର୍ଣ୍ଣ (୩୪)ଙ୍କୁ ଗିରଫ କରାଯିବା ସହ ଉଲୁଣ୍ଡା ଥାନାରେ ଏକ ମାମଲା ୮୦/୨୦୨୬ ଏନ୍‌ଡ଼ିପିଏସ୍‌ ଆକ୍ଟ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଛି ଏବଂ ଗଞ୍ଜେଇର ଉତ୍ସ ଏବଂ ଅପରାଧୀମାନଙ୍କ ବିଷୟରେ ଅଧିକ ତଦନ୍ତ ଜାରି ରହିଛି । ସେଠାରେ ଦେଶୀ ରନ୍ଧା ମହୁଲି ମଦ ପ୍ରସ୍ତୁତି କରୁଥିବା ବେଳେ ଆଇଆଇସି ଉଲୁଣ୍ଡା ଥାନା କର୍ମଚାରୀଙ୍କ ସହିତ ଅବକାରୀ ବିଭାଗର ଉପସ୍ଥିତିରେ ୨୦୦ ଲିଟର ଦେଶୀ ମହୁଲି ରନ୍ଧା ମଦ ଜବତ କରିଥିଲେ ଏବଂ ପ୍ରାୟ ୫୦୦୦ ଲିଟର ମହୁଲି ପୋଚ ନଷ୍ଟ କରିଥିଲେ । ଏହି ମାମଲାରେ ଜଣେ ଅଭିଯୁକ୍ତ ଶଙ୍କର କର୍ଣ୍ଣଙ୍କୁ ଅଟକ ରଖାଯାଇ ଉଲୁଣ୍ଡା ଥାନାରେ ଆଉ ଏକ ମାମଲା ୮୧/୨୦୨୬ ଓଡ଼ିଶା ଅବକାରୀ ଆଇନ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଛି ଏବଂ ତଦନ୍ତ ଚାଲିଛି ।

Leave A Reply

Your email address will not be published.