
- ବାଲିଗୁଡ଼ାରୁ ଆଣି ଖପ୍ରାଖୋଲ-ଲାଠୋରରେ କରୁଥିଲା ଯୋଗାଣ
ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଗଞ୍ଜେଇ ଚାଲାଣ ବିରୋଧରେ ଖପ୍ରାଖୋଲ ପୋଲିସକୁ ବଡ଼ ସଫଳତା ମିଳିଛି । ଶୁକ୍ରବାର ଖପ୍ରାଖୋଲ-ଧଣ୍ଡାମୁଣ୍ଡା ରାସ୍ତାରେ ପେଟ୍ରୋଲିଂ ସମୟରେ ଜଣେ ଯୁବକଙ୍କଠାରୁ ୧୦ କିଲୋ ୯୩୦ ଗ୍ରାମ ଗଞ୍ଜେଇ ଜବତ କରିବା ସହ ଚାଲାଣରେ ବ୍ୟବହୃତ ଏକ ମୋଟରସାଇକେଲ ଜବତ କରିଛି ପୋଲିସ । ପୋଲିସ ସୂଚନା ଅନୁଯାୟୀ, ଏସ୍ଆଇ ଲିଙ୍ଗରାଜ କିଷାନଙ୍କ ନେତୃତ୍ୱରେ ପୋଲିସ ଟିମ୍ ଧଣ୍ଡାମୁଣ୍ଡାରୁ ଗୁଣ୍ଡୁରୁପାଲି ଅଭିମୁଖେ ଦ୍ରୁତଗତିରେ ଆସୁଥିବା ଏକ ବାଇକ୍କୁ ଅଟକାଇଥିଲା । ତଲାସି ବେଳେ ବାଇକ୍ର ଡିକି ଓ ସିଟ୍ ତଳୁ ଗଞ୍ଜେଇ ମିଳିଥିଲା । ଗିରଫ ଅଭିଯୁକ୍ତ କାଲେଶ୍ୱର ଜାଲ (୩୮), ସାନଉଡେନ ବୋଲି ଜଣାପଡ଼ିଛି । ଘଟଣାସ୍ଥଳରେ ଖପ୍ରାଖୋଲ ତହସିଲଦାର ଆଦିତ୍ୟ ସୁନ୍ଦର ରାଉତରାୟ ମାଜିଷ୍ଟ୍ରେଟ୍ ଭାବେ ଉପସ୍ଥିତ ରହି ଆଇନାନୁଯାୟୀ ଜବତ ପ୍ରକ୍ରିୟାର ତଦାରଖ କରିଥିଲେ । ଏନେଇ ଖପ୍ରାଖୋଲ ଥାନାରେ କେସ୍ ନଂ-୧୮୧/୨୦୨୬ରେ ଏନ୍ଡିପିଏସ୍ ଆଇନ ଅନୁଯାୟୀ ମାମଲା ରୁଜୁ ହୋଇଛି । ପୋଲିସର ପଚରାଉଚରାରୁ ଅଭିଯୁକ୍ତ ବାଲିଗୁଡ଼ା ଅଞ୍ଚଳରୁ ଗଞ୍ଜେଇ ଆଣି ଖପ୍ରାଖୋଲ ଓ ଲାଠୋର ଅଞ୍ଚଳରେ ଯୋଗାଣ କରୁଥିବା ଜଣାପଡ଼ିଛି । ଚାଲାଣ ଚକ୍ରରେ ଆଉ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ, ସେନେଇ ତଦନ୍ତ ଜାରି ରହିଛି । ଅଭିଯୁକ୍ତଙ୍କୁ ଶନିବାର କୋର୍ଟ ଚାଲାଣ କରାଯିବ ବୋଲି ଥାନାଧିକାରୀ ନରେନ୍ଦ୍ର ଛତର ସୂଚନା ଦେଇଛନ୍ତି । ତହସିଲଦାର ଆଦିତ୍ୟ ସୁନ୍ଦର ରାଉତରାୟ ଯୁବପିଢ଼ିଙ୍କୁ ନିଶାଦ୍ରବ୍ୟଠାରୁ ଦୂରେଇ ରହି ଶିକ୍ଷା, କ୍ରୀଡ଼ା ଓ ସୃଜନଶୀଳ କାର୍ଯ୍ୟରେ ନିଜକୁ ନିୟୋଜିତ କରିବାକୁ ଆହ୍ୱାନ ଦେଇଛନ୍ତି ।