ଉପଜିଲ୍ଲାପାଳଙ୍କ ଗିରଫ ଦାବୀ କଲା ସଚେତନ ମହିଳା ମଂଚ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସଚେତନ ମହିଳା ମଂଚ ବଲାଙ୍ଗିର ଉପ-ଜିଲ୍ଲାପାଳଙ୍କ ଗିରଫ ଦାବୀ କରି ବଲାଙ୍ଗିର ଜିଲ୍ଲାପାଳଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ସୂଚନାଯୋଗ୍ୟ ଯେ, ଉପଜିଲ୍ଲାପାଳଙ୍କୁ ଅଧସ୍ଥନ କର୍ମଚାରୀଙ୍କୁ ଅସଦାଚାରଣ ଅଭିଯୋଗରେ ରାଜ୍ୟ ମୁଖ୍ୟ ଶାସନ ସଚିବ କାର୍ୟ୍ୟାଳୟ ତରଫରୁ ନିଲମ୍ବିତ କରାଯାଇଛି । ଏହି ଘଟଣାରେ ବିଭାଗୀୟ ତଦନ୍ତ ଜାରି ରହିଛି । ଯଦି ଉପ-ଜିଲ୍ଲାପାଳ ଖୋଲା ରହନ୍ତି, ସେ ଏହି ତଦନ୍ତ ପ୍ରକ୍ରିୟାକୁ ପ୍ରଭାବିତ କରିବାର ଯଥେଷ୍ଟ ଆଶଙ୍କା ରହିଛି । ସେହିପରି ଏହି ଘଟଣାର ତଦନ୍ତ କରିବା ପାଇଁ ଯେଉଁ ବିଭାଗୀୟ କମିଟି କରାଯାଇଛି, ସେହି କମିଟିରେ କେବଳ ବିଭାଗୀୟ କର୍ମଚାରୀ ଓ ପ୍ରଶାସନିକ ଅଧିକାରୀ ରହିଛନ୍ତି । ଯାହା ପୁନଃ ତଦନ୍ତର ନିରପେକ୍ଷତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ତେଣୁ ଏହି କମିଟିରେ ସଚେତନ ମହିଳା ମଂଚ ଭଳି କିଛି ସଦସ୍ୟାଙ୍କୁ ସାମିଲ କରାଗଲେ ତଦନ୍ତର ସ୍ୱଚ୍ଛତା ବଢିବା ସହ ଏଥିରେ ପକ୍ଷପାତିତାର ସମ୍ଭାବନା ରହିବ ନାହିଁ ବୋଲି ମଂଚ ତରଫରୁ କୁହାଯାଇଛି । ଆହୁରି ଉପ-ଜିଲ୍ଲାପାଳଙ୍କ କାର୍ୟ୍ୟାଳୟରେ ଲାଗିଥିବା ସିସିଟିଭ କ୍ୟାମେରା ଏହି ଘଟଣାରେ ନିର୍ଣ୍ଣାୟକ ସାବିତ ହୋଇଥାନ୍ତା । କିନ୍ତୁ ଏହାର ସମସ୍ତ କଣ୍ଟ୍ରୋଲ ଉପଜିଲ୍ଲାପାଳଙ୍କ ପ୍ରକୋଷ୍ଠରେ ରହିଥିବା ବେଳେ ଠିକ ସମୟରେ ଏହା ଅଚଳ ହେବା ଘଟଣାରେ ସନ୍ଦେହକୁ ଆହୁରି ଘନୀଭୂତ କରୁଛି । ଯଦି ଏହି ସିସିଟିଭି ପୁର୍ବରୁ ଅଚଳ ହୋଇ ପଡିଥିଲା, ତେବେ ଏହାକୁ କାହିଁକି ଠିକ କରାଯାଇ ନାହିଁ । ଏହା ଦ୍ୱାରା ଆହୁରି କିଛି ଅନୈତିକ ଘଟଣା ମଧ୍ୟ ଲୋକଲୋଚନକୁ ଆସି ପାରିନାହିଁ । ତେବେ ଏହାକୁ ବିଭିନ୍ନ ବେଆଇନ ଘଟଣାର କୌଣସି ପ୍ରମାଣ ନ ରଖିବାକୁ ଜାଣିଶୁଣି ବନ୍ଦ କରାଯାଇ ନାହିଁ ତ’ ବୋଲି ମଂଚ ପ୍ରଶ୍ନ କରିଛି । ସୂଚନାଯୋଗ୍ୟ ଯେ, ଘଟଣାରେ ପୀଡ଼ିତା ମହିଳା କର୍ମଚାରୀ ପୁଇଁନ୍ତଲା ବ୍ଲକରେ ନିଯୁକ୍ତି ପାଇ କିରାଣୀ ଭାବେ କାମ କରୁଥିଲେ । କିଛି ଦିନ ତଳେ ଏହି ବ୍ଲକ କାର୍ୟ୍ୟାଳୟକୁ ଉପଜିଲ୍ଲାପାଳ ବିଭିନ୍ନ କାମରେ ଦୁଇ ଥର ଯାଇଥିଲେ । ଏହା ପରେ ହଠାତ ପୀଡ଼ିତାଙ୍କ ବଦଳି ଉପଜିଲ୍ଲାପାଳ କାର୍ୟ୍ୟାଳୟକୁ ହୋଥିଲା । ଉପ-ଜିଲ୍ଲାପାଳଙ୍କ କାର୍ୟ୍ୟାଳୟରେ କାମ ଆରମ୍ଭ କରିବା ଦିନଠୁ ବିଭିନ୍ନ କର୍ମଚାରୀ ଉପଜିଲ୍ଲାପାଳଙ୍କ ସହ ସାକ୍ଷାତ କରି ସଂପର୍କ ବଢାଇବା ପାଇଁ ପ୍ରବର୍ତ୍ତାଉ ଥିଲେ । ତେବେ କାର୍ୟ୍ୟାଳୟରେ କାମ ଆରମ୍ଭ କରିବାର ଠିକ ୧୩ ନମ୍ବର ଦିନ ଏହି ଘଟଣା ଘଟିଥିଲା । ଏଥିରୁ ଏହା ସ୍ପଷ୍ଟ ଯେ, ଯୋଜନାବଦ୍ଧ ଭାବେ ପୀଡ଼ିତାଙ୍କ ବଦଳି ଏହି କାର୍ୟ୍ୟାଳୟକୁ କରାଯାଇଥିଲା ବୋଲି ଖୋଦ ପୀଡ଼ିତା ସଂନ୍ଦେହ କରୁଥିବା ମହିଳା ମଂଚର ସଭାପତି ସାଗରିକା ଗୁରୁଙ୍କୁ କହିଥିବା ସେ ପ୍ରକାଶ କରିଛନ୍ତି । ତେବେ ଏଭଳି ଯୋଜନାବଦ୍ଧ ତରିକାରେ ମହିଳାଙ୍କୁ ନିଜ କାର୍ୟ୍ୟାଳୟକୁ ବଦଳିରେ ଆଣି ଏଭଳି କାଣ୍ଡ ଭିଆଁଇଥିବା ସରକାରୀ ବାବୁମାନଙ୍କ ପାଖରେ ସାଧାରଣ ମହିଳା କେତେ ସୁରକ୍ଷିତ ? ଖୋଦ ରକ୍ଷକ ଯେବେ ଭକ୍ଷକ ସାଜେ, ତେବେ ମହିଳାଙ୍କୁ କିଏ ସୁରକ୍ଷା ଯୋଗାଇ ଦେବ ବୋଲି ମଂଚ ଚିନ୍ତା ପ୍ରକଟ କରିଛି । ମଂଚର ସଭାପତି ସାଗରିକା ଗୁରୁଙ୍କ ନେତୃତ୍ୱରେ ଉପ-ସଭାପତି ନିହାରିକା ମିଶ୍ର, ସଞ୍ଜୁକ୍ତା ମିଶ୍ର, ଗୀତାଞ୍ଜଳି ଦାଶ, ପ୍ରମିଳା ମିଶ୍ର, କାରାବୀ ଚାଟାର୍ଜି ପ୍ରମୁଖ ଉପସ୍ଥିତ ଥିଲ ।

Leave A Reply

Your email address will not be published.