jayashree

ଆଜିଠାରୁ ମା’ ରାମାୟଣାମ୍ମା ଠାକୁରାଣୀଙ୍କ ଘଟଯାତ୍ରା ଆରମ୍ଭ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଆଜିଠାରୁ ମା’ ରାମାୟଣାମ୍ମା ଠାକୁରାଣୀଙ୍କ ଘଟଯାତ୍ରା ଆରମ୍ଭ ହୋଇଛି । ଏଥିପାଇଁ କଳସ ସ୍ଥାପନା, ଦଶ ମହାବିଦ୍ୟା ପୂଜା ପାର୍ବଣ ପାଇଁ ପ୍ରସ୍ତୁତି ଚାଲିଛି । ବୁଧବାର ସନ୍ଧ୍ୟାରୁ ଦେବୀ ଦଶଭୂଜା ବେଶରେ ମା’ ରାମାୟଣାମ୍ମା ଠାକୁରାଣୀ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେବେ । ଐତିହ୍ୟ ବିଧିମତେ ଏହି ଯାତ୍ରାର ପୂର୍ବତନ ମୁଖ୍ୟ ପୃଷ୍ଠପୋଷକ ସ୍ୱର୍ଗତ ୱାଇ. କାମରାଜୁ ବାବୁଙ୍କ ଘରକୁ ପ୍ରଥମ ସନ୍ଧ୍ୟାର ଘଟଯାତ୍ରା ଆଗମନ ହୋଇଥାଏ । ଏଥିପାଇଁ ଠାକୁରାଣୀ ଯାତ୍ରା କମିଟିର ଉତ୍ସାହ ଉଦ୍ଦୀପନା ବୃଦ୍ଧି ପାଇଛି । ଆଜି ସନ୍ଧ୍ୟାର ଘଟଯାତ୍ରା ବର୍ଣ୍ଣାଢ୍ୟ ଶୋଭାଯାତ୍ରା ବିରାଟ ପଟୁଆରରେ ବାହାରିବା ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ପ୍ରକାଶ ଥାଉକି, ଐତିହାସିକ ଲୋକପର୍ଵ ଛତ୍ରପୁରର ଆରାଧ୍ୟ ଦେବୀ ମା’ ରାମାୟଣାମ୍ମାଙ୍କ ଠାକୁରାଣୀ ଯାତ୍ରା ଗତ ସୋମବାର ବିଳମ୍ବିତ ରାତ୍ରିରୁ ଆରମ୍ଭ ହୋଇଛି । ଛତ୍ରପୁର ସହରରେ ବିଧିମତେ ପ୍ରଥମେ ବଡ଼ ଭଉଣୀ ମା’ ବ୍ୟାଘ୍ରଦେବୀଙ୍କ ଯାତ୍ରା ଆଦ୍ୟ-ପର୍ବ ଭାବେ ଅୟୋଜନ କରାଯାଇଥାଏ । ମା’ ବ୍ୟାଘ୍ରଦେବୀଙ୍କ ଯାତ୍ରା ସମାହିତ ହେଲା ପରେ ମା’ ରାମାୟଣାମ୍ମା ଠାକୁରାଣୀ ଯାତ୍ରା ଆରମ୍ଭ ହୋଇଥାଏ ବୋଲି ଲୌକିକ ମତ ରହିଛି । ସୋମବାର ବିଳମ୍ବିତ ରାତି ସୁଦ୍ଧା ସନ୍ଧିପୂଜା, ସହରର ଚାରିକୋଣରେ ଦିଗବନ୍ଧନ ନୀତି ସହ ବଳି ଭୋଗ ଅର୍ପଣ, ଚଣ୍ଡୀ-ଚାମୁଣ୍ଡାଙ୍କୁ ପୂଜାର୍ଚ୍ଚନା, ଭୋଗ ଲାଗି ହେବା ପରେ ଗୁପ୍ତ ନୀତି ପୂଜା ପ୍ରେତ ପିଶାଚ ଯୋଗୀନି, ଡାକିନୀଙ୍କ ଉଦ୍ଦେଶ୍ୟରେ ଆହ୍ୱାନ କ୍ରମେ ବଳି ଭୋଗ ଅର୍ପଣ କରାଯାଇ ସଭିଙ୍କ ସନ୍ତୋଷ ବିଧାନ କରାଯାଇଛି । ପରବର୍ତ୍ତୀ ପର୍ଯ୍ୟାୟରେ ମଧ୍ୟରାତ୍ରିରେ ନାନା ମିଷ୍ଟାନ୍ନ ଭୋଗରାଗ, ଯେଝା ପୂଜା ସାମଗ୍ରୀ ଗୁଡ଼ିକ ପୂଜା ଥାଳିରେ ସଜାଇ ମହିଳା ସେବାୟତଙ୍କୁ ସାଙ୍ଗରେ ନେଇ ବର୍ଣ୍ଣାଢ଼୍ୟ ଉତ୍ସବର ନଗର ପରିଭ୍ରମଣ ଆୟୋଜନ ହୋଇଥିଲା । ଯାତ୍ରା କମିଟି ବୃନ୍ଦଙ୍କ ସକ୍ରୀୟ ଉପସ୍ଥିତରେ ସାମୂହିକ ଭାବେ ନାନା ବାଦ୍ୟ ଧ୍ଵନି ସହ ଶୋଭାଯାତ୍ରାରେ ଦେବୀଙ୍କୁ ଆମନ୍ତ୍ରଣ ପାଇଁ ବାହାରିଥିଲେ । ନାନା ବାଦ୍ୟ ଧ୍ଵନି, ଷୋଡ଼ଶ ଉପଚାର ବିଧି ସହ ଦେବୀଙ୍କୁ ଆମନ୍ତ୍ରଣ କରାଯାଇଥିଲା । ଦେବୀ ପ୍ରସନ୍ନ ହୋଇ ଖୁସିବ୍ୟକ୍ତ କରିଥିଲେ । ଦେବୀଙ୍କ ଆଜ୍ଞାମାଳକୁ ନେଇ ସହର ପରିକ୍ରମା କରି ସୋମବାର ରାତ୍ରି ଅବା ମଙ୍ଗଳ ପାହାନ୍ତିରେ ଦେବୀ ଆଗମନ କରିଥିଲେ । ଯାହାର ସ୍ୱରୂପ ଦେବୀଙ୍କ ଆଜ୍ଞାମାଳକୁ ଚାଙ୍ଗୁଡ଼ାରେ ଜଣେ ମହିଳା ମସ୍ତକରେ ଧରି ବର୍ଣ୍ଣାଢ୍ୟ ଶୋଭାଯାତ୍ରାରେ ବାହାରି ଅସ୍ଥାୟୀ ଆଡ଼ପ ମଣ୍ଡପରେ ଦେବୀଙ୍କ ଆସ୍ଥାନ ହୋଇଥିଲା । ସକାଳୁ ସକାଳୁ ଦେବୀଙ୍କ ଆଜ୍ଞାମାଳକୁ ବ୍ରହ୍ମ ସ୍ୱରୂପ ପୂଜାର୍ଚ୍ଚନା କରାଯାଇଛି । ଅସ୍ଥାୟୀ ଆଡ଼ପ ମଣ୍ଡପରେ ମଙ୍ଗଳବାର ଅଗଣିତ ଭକ୍ତଜନଙ୍କ ସମାଗମ ହୋଇଥିଲା । ଭକ୍ତଜନ ଦେବୀଙ୍କ ଦୁର୍ଲ୍ଲଭ ଦର୍ଶନ ଦେଖି ଅତ୍ୟନ୍ତ ସନ୍ତୋଷ ଲାଭ କରି ଭକ୍ତଗଣ ବିମୋହିତ ହୋଇଥିଲେ । ବୁଧବାର ସନ୍ଧ୍ୟା ଠାରୁ ଦେବୀଙ୍କ ଘଟଯାତ୍ରା ଆରମ୍ଭ ହେବ ବୋଲି ଯାତ୍ରା କମିଟି ମୁଖ୍ୟ ପରିଚାଳକ ସି.ଏଚ. ଦୟାନନ୍ଦ ରେଡ୍ଡୀ କହିଛନ୍ତି ।

Leave A Reply

Your email address will not be published.