pakka

ଉତ୍ତାରାଞ୍ଚଳ ରାଜସ୍ୱ କମିଶନରଙ୍କ ବଲାଙ୍ଗିର ଗସ୍ତ : ନୂତନ ଭୋଟର ପଞ୍ଜିକରଣର ସ୍ଥିତି ଓ ଅଗ୍ରଗତି ସମ୍ପର୍କରେ ସମୀକ୍ଷା

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଉତ୍ତାରାଞ୍ଚଳ ରାଜସ୍ୱ କମିଶନର ତଥା ଇଲେକ୍ଟୋରାଲ ରୋଲ ପର୍ଯ୍ୟବେକ୍ଷକ ଡ଼ ସୁରେଶ ଚନ୍ଦ୍ର ଦଳେଇ ବଲାଙ୍ଗିର ଗସ୍ତରେ ଆସି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାରେ ନୂତନ ଭୋଟର ପଞ୍ଜିକରଣର ସ୍ଥିତି ଓ ଅଗ୍ରଗତି ସମ୍ପର୍କରେ ସବିଶେଷ ସମୀକ୍ଷା କରିଥିଲେ । ଏହି ବୈଠକରେ ଜିଲ୍ଲାପାଳ ଚଞ୍ଚଳ ରାଣା, ଅତିରିକ୍ତ ଜିଲ୍ଲାପାଳ ଲମ୍ବୋଦର ଧରୁଆ, ବଲାଙ୍ଗିର ଉପଜିଲ୍ଲାପାଳ ତଥା ଇଲେକ୍ଟୋରାଲ ରେଜିଷ୍ଟ୍ରେସନ ଅଫିସର କୁମାର ନାଗଭୂଷଣ, ପାଟଣାଗଡ ଉପଜିଲ୍ଲାପାଳ ତଥା ଇଲେକ୍ଟୋରାଲ ରେଜିଷ୍ଟ୍ରେସନ ଅଫିସର ଡ଼ ବିଜୟାନନ୍ଦ ସେଠୀଙ୍କ ସମେତ ସହକାରୀ ଇଲେକ୍ଟୋରାଲ ରେଜିଷ୍ଟ୍ରେସନ ଅଫିସର ଓ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ମାନେ ଉପସ୍ଥିତ ଥିଲେ । ରାଜନୈତିକ ଦଳର ପ୍ରତିନିଧିଙ୍କ ସହ ଜିଲ୍ଲାର ନୂତନ ଭୋଟର ପଞ୍ଜିକରଣର ସ୍ଥିତି ଓ ଅଗ୍ରଗତି ଉପରେ ବିଶେଷ ଆଲୋଚନା କରି ଜିଲ୍ଲାରେ ନୂତନ ଭୋଟର ପଞ୍ଜିକରଣକୁ ଶତ ପ୍ରତିଶତ ସଫଳ କରିବାରେ ସମସ୍ତ ରାଜନୈତିକ ଦଳର ପ୍ରତିନିଧି ଆନ୍ତରିକ ସହଯୋଗ କରିବାକୁ ଅନୁରୋଧ କରିବା ସହ ବୁଥ ଗୁଡିକରେ ବୁଥ ସ୍ତରୀୟ ଏଜେଣ୍ଟ ନିୟୋଜିତ କରିବାକୁ ରାଜନୈତିକ ଦଳର ପ୍ରତିନିଧି ମାନଙ୍କୁ ଅନୁରୋଧ କରିଥିଲେ । ଏହାଦ୍ୱାରା ଏହି ପ୍ରକ୍ରିୟା ଆହୁରି ତ୍ୱରାନ୍ୱିତ ହୋଇପାରିବ ବୋଲି ସେ ପ୍ରକାଶ କରିଥିଲେ । ସମସ୍ତ ଜିଲ୍ଲାରେ ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ, ୨୦୨୩ ( ( Special Summary Revision, 2023), ତାରିଖ ୯/୧୧/ ୨୦୨୨ ରୁ ତାରିଖ ୦୮/୧୨/ ୨୦୨୨ ପର୍ଯ୍ୟନ୍ତ ନିର୍ଦ୍ଧାରିତ ହୋଇଅଛି ଓ ଏହା ବଲାଙ୍ଗିର ଜିଲ୍ଲାରେ ମଧ୍ୟ ଚାଲୁଅଛି । ଯଦି ଜଣେ ନାଗରିକଙ୍କ ବୟସ ୨୦୨୩ ମସିହା ଜାନୁଆରୀ ୧ , ଏପ୍ରିଲ ୧, ଜୁଲାଇ ୧ ଏବଂ ଅକ୍ଟୋବର ୧ ସୁଦ୍ଧା ୧୮ ବର୍ଷ ହେଉଥିବ ତାହେଲେ ଜଣେ ଭୋଟର ଭାବେ ପଞ୍ଜିକରଣ ପାଇଁ ଆଗୁଆ ଆବେଦନ କରିପାରିବେ । ଭୋଟର ପଞ୍ଜିକରଣ ପାଇଁ ଭୋଟର ହେଲ୍ପଲାଇନ ଆପ କିମ୍ବା ସମ୍ପୃକ୍ତ ବୁଥ ସ୍ତରୀୟ ଅଧିକାରୀ କିମ୍ବା ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆବେଦନ କରିପାରିବେ । ପରେ ଉତ୍ତାରାଞ୍ଚଳ ରାଜସ୍ୱ କମିଶନର ତଥା ଇଲେକ୍ଟୋରାଲ ରୋଲ ପର୍ଯ୍ୟବେକ୍ଷକ ଡ଼ ଦଳେଇ ବଲାଙ୍ଗିର ନିର୍ବାଚନ ମଣ୍ଡଳୀ ଅନ୍ତର୍ଭୂକ୍ତ ବୁଥ ନମ୍ବର ୨୪୩ ପି ପି ଏକାଡେମୀ ମତଦାନ କେନ୍ଦ୍ରକୁ ପରିଦର୍ଶନ କରିଥିଲେ । ତା ପରେ ଉପ-ଜ଼ିଲ୍ଲାପାଳ, ବଲାଙ୍ଗିରଙ୍କ କାର୍ଯ୍ୟାଳୟକୁ ଯାଇ ବୁଥ ସ୍ତରୀୟ ଅଧିକାରୀ ଓ ବୁଥସ୍ତରୀୟ ପର୍ଯ୍ୟବେକ୍ଷକଙ୍କ ବୈଠକରେ ଯୋଗଦେଇ ନୂତନ ଭୋଟର ପଞ୍ଜିକରଣର ସ୍ଥିତି ଓ ଅଗ୍ରଗତି ଉପରେ ଆଲୋଚନା କରିବା ସହ ଏକ ସୁସ୍ଥ ଭୋଟର ତାଲିକା ପ୍ରସ୍ତୁତି କରିବା ନିମନ୍ତେ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ ।

Leave A Reply

Your email address will not be published.

three × four =