
ଭାରତ ସରକାରଙ୍କ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟର ଯୁଗ୍ମ ସଚିବ ତଥା ସୁନ୍ଦରଗଡ଼ ଜିଲ୍ଲା ପ୍ରଧାନମନ୍ତ୍ରୀ ଧନଧାନ୍ୟ କୃଷି ଯୋଜନାର କେନ୍ଦ୍ରୀୟ ପ୍ରଭାରୀ ଅଧିକାରୀଙ୍କ ଦୁଇ ଦିନିଆ ସୁନ୍ଦରଗଡ଼ ଜିଲ୍ଲା ଗସ୍ତ
- କ୍ଷେତ୍ର ପରିଦର୍ଶନ କରିବା ସହିତ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସହିତ ସମୀକ୍ଷା ବୈଠକ ଅନୁଷ୍ଠିତ
ସୁନ୍ଦରଗଡ଼, (ସସ୍ମିତା ପ୍ରଧାନ) : ଭାରତ ସରକାରଙ୍କ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟର ଯୁଗ୍ମ ସଚିବ ତଥା ସୁନ୍ଦରଗଡ଼ ଜିଲ୍ଲା ପ୍ରଧାନମନ୍ତ୍ରୀ ଧନଧାନ୍ୟ କୃଷି ଯୋଜନାର କେନ୍ଦ୍ରୀୟ ପ୍ରଭାରୀ ଅଧିକାରୀଙ୍କ ଦୁଇ ଦିନିଆ ସୁନ୍ଦରଗଡ଼ ଜିଲ୍ଲା ଗସ୍ତରେ ଆସିଛନ୍ତି । ଏହି ଅବସରରେ କ୍ଷେତ୍ର ପରିଦର୍ଶନ କରିବା ସହିତ ଜିଲ୍ଲାସ୍ତରୀୟ ଅଧିକାରୀ ମାନଙ୍କ ସହିତ ବୈଠକ କରିଥିଲେ । ଏହି ଅବସରରେ ସଦର ବ୍ଲକ ଅନ୍ତର୍ଗତ ସେମିନା ଠାରେ ଛେଳି ପାଳନ ୟୁନିଟ ବୁଲି ଦେଖିଥିଲେ ଏବଂ ହିତାଧିକାରଙ୍କ ସହିତ ଛେଳି ପାଳନ ସମ୍ପର୍କରେ ଆଲୋଚନା କରିଥିଲେ । ସେହିପରି କୋପସିଂଘା ଠାରେ ନିର୍ମାଣଧୀନ ଥିବା ଇନ- ଷ୍ଟ୍ରିମ ସଂରକ୍ଷଣ ପ୍ରକଳ୍ପ ଏବଂ ବିଲେଗଡ ଠାରେ ଥିବା ବୃହତ ଉଠା ଜଳ ସେଚନ ପରିଦର୍ଶନ କରିବା ସହ ବିଭାଗୀୟ ଅଧିକାରୀ ଏବଂ ହିତାଧିକାରୀଙ୍କ ସହ ଆଲୋଚନା କରିଥିଲେ । ଏହା ସହ ସେ ମୃତ୍ତିକା ସଂରକ୍ଷଣ କେନ୍ଦ୍ର ମଧ୍ୟ ବୁଲି ଦେଖିଥିଲେ । ଦ୍ୱିତୀୟ ଦିନରେ ଟାଙ୍ଗରପାଲି ବ୍ଲକର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ପରିଦର୍ଶନ କରିଥିଲେ । ସେ ରଙ୍ଗିଆମୁଣ୍ଡାର ମିଲେଟ୍ ପ୍ରକ୍ରିୟାକରଣ ୟୁନିଟ୍, ଉଜ୍ଜଳପୁରର ମଞ୍ଜି ପ୍ରକ୍ରିୟାକରଣ କେନ୍ଦ୍ର, ଦୁଗ୍ଧ ସମବାୟ ସମିତି ଏବଂ ବଲ୍କ ମିଲ୍କ କୁଲର ୟୁନିଟ୍ ବୁଲି ଦେଖିଥିଲେ । ଏହାପରେ ସେ ଫୁଲଧୁଡ଼ି ଗ୍ରାମର ଛତୁ ଚାଷ ଓ ଭର୍ମି କମ୍ପୋଷ୍ଟ ୟୁନିଟ୍ ସହିତ ଟାଙ୍ଗରପାଲିର ଆର.ଏମ.ସି ଏବଂ ‘ସୁଭଦ୍ରା ଶକ୍ତି’ ରିଟେଲ ମାର୍ଟ ପରିଦର୍ଶନ କରି ଅଧିକାରୀ ଓ ହିତାଧିକାରୀଙ୍କ ସହ ଆଲୋଚନା କରିଥିଲେ । ଗସ୍ତ ଅବସରରେ ସେ ‘ଏକ ପେଡ଼୍ ମା’ କେ ନାମ’ ଅଭିଯାନରେ ଫୁଲଧୁଡ଼ି ଗ୍ରାମରେ ଚାରା ରୋପଣ କରି ବୃକ୍ଷରୋପଣର ବାର୍ତ୍ତା ଦେଇଥିଲେ । ଏହି ଅବସରରେ ଜିଲ୍ଲା ଖଣିଜ ପ୍ରତିଷ୍ଠାନର ସମ୍ମିଳନୀ କକ୍ଷଠାରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ, କୃଷି ଓ କୃଷକ ବିଭାଗ, ଏବଂ ସମସ୍ତ ବିଭାଗୀୟ ଅଧିକାରୀଙ୍କ ସହ ପ୍ରଧାନମନ୍ତ୍ରୀ ଧନଧାନ୍ୟ ଯୋଜନା ସମ୍ପର୍କରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ଯୁଗ୍ମ ସଚିବ ସମେତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣମୂଳକ ଯୋଜନାର ଅଗ୍ରଗତି, କାର୍ଯ୍ୟାନ୍ୱୟନ ଏବଂ ଫଳପ୍ରଦତା ଉପରେ ବିସ୍ତୃତ ସମୀକ୍ଷା କରିଥିଲେ । ଶେଷରେ ଶ୍ରୀ ଭାରଦ୍ୱାଜ ପ୍ରତ୍ୟେକ ଯୋଜନାର ସୁଫଳ ଯେପରି ଯୋଗ୍ୟ ହିତାଧିକାରୀଙ୍କ ପାଖରେ ସମୟୋପଯୋଗୀ ଓ ସୁନିଶ୍ଚିତ ଭାବେ ପହଞ୍ଚିପାରିବ, ସେଥିପାଇଁ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ । କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଡ଼ା. ଶୁଭଙ୍କର ମହାପାତ୍ର, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ସୁରଞ୍ଜନ ସାହୁ , ମୁଖ୍ୟ ନିର୍ବାହୀ ଅଧିକାରୀ, ଜିଲ୍ଲା ଖଣିଜ ପ୍ରତିଷ୍ଠାନ, ସୁଷମା ବିଲୁଙ୍ଗ ଏବଂ ଜିଲ୍ଲାର ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।