୧୧ କୋଟି ଟଙ୍କାର ଗଞ୍ଜେଇ ସହ ୨୪୦ ବୋତଲ କଫ ସିରଫ ଜବତ : ୯ ଗିରଫ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଓଡ଼ିଶା ପୁଲିସ୍ ପକ୍ଷରୁ ଚାଲିଥିବା “ନିସା ମୁକ୍ତ ଓଡିଶା” ପରିପ୍ରେକ୍ଷୀରେ ସୁବର୍ଣ୍ଣପୁର ପୁଲିସ୍ ବେଆଇନ ନିଶାଦ୍ରବ୍ୟ ଚାଲାଣକାରୀଙ୍କ ବିରୁଦ୍ଧରେ କଡ଼ା ଆଭିମୁଖ୍ୟ ଜାରି ରଖିଛି । ଆଜି ପୁଣି ସୁବର୍ଣ୍ଣପୁର ପୁଲିସକୁ ମିଳିଛି ବଡ଼ ସଫଳତା । ଜିଲ୍ଲାର ବିଭିନ୍ନ ସ୍ଥାନରୁ ସୋମବାର ଭୋରରୁ ବିପୁଳ ପରିମାଣର ୧୦ କ୍ଵିଣ୍ଟାଲ ୯୧ କେଜି ଗଞ୍ଜେଇ, ୨୪୦ ବୋତଲ କଫ ସିରପ, ୧ ଗୋଟି ଟ୍ରକ୍, ୧ ଗୋଟି ଚାରି ଚକିଆ ଗାଡି, ୨ ଗୋଟି ବାଇକ୍ ସହ ୯ ଜଣକୁ ଗିରଫ କରିଛି ସୋନପୁର ପୁଲିସ୍ । ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଏସପି ନାରାୟଣ ନାୟକ । ବେପାରୀମାନଙ୍କ ଦ୍ୱାରା ଗଞ୍ଜେଇ ପରିବହନ ସମ୍ପର୍କରେ ବିଶେଷ ସୂତ୍ରରୁ ସୂଚନା ପାଇ ଗତକାଲି ରାତି ତତ୍ପର ହୋଇ ଉଠିଥିଲା ସୋନପୁର ପୁଲିସ୍ । ଏସପି ନାରାୟଣ ନାୟକଙ୍କ ତତ୍ତ୍ଵାବଧାନରେ ବିଭିନ୍ନ ଥାନା ଅଞ୍ଚଳରେ ସ୍ୱତନ୍ତ୍ର ଦଳ ଗଠନ କରାଯାଇ ଚେକିଂକୁ କଡ଼ାକଡ଼ି କରାଯାଇଥିବା ବେଳେ ସୋନପୁର ସଦର ଥାନା ଆଇଆଇସି ଯାଦବ ବାଗଙ୍କ ନେତୃତ୍ଵରେ ସୋନପୁର ରାସ୍ତାରେ କଡ଼ା ନଜର ରଖାଯାଇଥିଲା । ସକାଳ ଭୋର୍ ସମୟରେ ସୋନପୁର ପୋଲିସ ବୌଦ୍ଧ ଜିଲ୍ଲାରୁ ଆସୁଥିବା ଏକ ଗଞ୍ଜେଇ ବୋଝେଇ ଟ୍ରକକୁ ସନ୍ଦେହ କରି ସ୍ଥାନୀୟ ସୋନପୁର – ସମ୍ବଲପୁର ରାସ୍ତାର ବୁଢ଼ାରଜା ଛକ ଠାରେ ଅଟକାଇଥିଲେ । ୧୪ ଚକିଆ ଗାଡ଼ି ନଂ ଜେଏଚ୧୦ବିପି -୩୪୫୪ ର ଡ୍ରାଇଭର ଏବଂ ଅନ୍ୟ ଜଣେ ଯୁବକକୁ ମଧ୍ୟ ଅଟକ ରଖି ପରେ ଗାଡି ଯାଞ୍ଚ କରାଯିବାରୁ ସେଥିରେ ବିପୁଳ ପରିମାଣର ଗଞ୍ଜେଇ ଚାଲାଣ ହେଉଥିବା ଦେଖିବାକୁ ପାଇଥିଲେ । ପରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଗଞ୍ଜେଇ ବାହାର କରାଯିବାରୁ ସର୍ବମୋଟ ୧୦୬୭ ଟି ପ୍ୟାକେଟରେ ୧୦୫୦ କେଜି ଗଞ୍ଜେଇ ବାହାରିଥିଲା । ଗାଡ଼ିରେ ଥିବା ଦୁଇ ଜଣ ବିହାର ବକ୍ସର ଜିଲ୍ଲାର ଲକ୍ଷ୍ମଣ ଯାଦବ (୨୯), ଲକ୍ଷ୍ମଣ ଯାଦବ (୫୯) କୁ ଗିରଫ କରାଯାଇଛି । ସେହିପରି ବିନିକା ଥାନା ଅନ୍ତର୍ଗତ ଦାନୀପାଲି ଗ୍ରାମ ନିକଟରୁ ୩.୭୨୦ ଗ୍ରାମ ଗଞ୍ଜେଇ ଜବତ କରି ଅଭିମନ୍ୟୁ ବଢେଇକୁ ଗିରଫ କରାଯାଇଥିବା ବେଳେ ଗଣିଆ ଗ୍ରାମ ନିକଟରୁ ୨୪୦ ବୋତଲ କଫ ସିରଫ ଜବତ କରାଯିବା ସହ ମାରୁତି ୮୦୦ କାର ନଂ ଓଆର ୧୫ ଏଫ୍ ୦୦୩୨ ଗାଡିକୁ ଜବତ କରାଯିବା ସହ ୩ ଜଣ ଯୁବକ ନରେନ୍ଦ୍ର ଦାସ (୩୦), ହେମନ୍ତ ବସ୍ତିଆ(୩୧), ଧୀରେନ୍ଦ୍ର ବେହେରା (୨୨)କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ସେହିପରି ବୀରମହାରାଜପୁର ଥାନା ଅନ୍ତର୍ଗତ ବୌଦ୍ଧ ଜିଲ୍ଲାରୁ ବୀରମହାରାଜପୁର ଅଞ୍ଚଳକୁ ବାଇକ୍ ଯୋଗେ ଚୋରା ଚାଲାଣ କରୁଥିବା ୨ ଗୋଟି ବାଇକରୁ ୩୭ କେଜି ୪୫୦ ଗ୍ରାମ ଗଞ୍ଜେଇ ଜବତ କରାଯିବା ସହ ୨ ଗୋଟି ବାଇକ୍ ଜବତ କରାଯାଇ ବୀରମହାରାଜପୁର ଅଞ୍ଚଳର ୩ ଜଣ ଯୁବକ ରାଜେଶ ସେଠୀ (୨୩), ଭେଙ୍କେଟେଶ ମହାକୁଡ(୨୬) ଓ ଜିତେନ୍ଦ୍ର ସେଠୀ (୨୪) କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଏନେଇ ଆଜି ଅନୁଷ୍ଠିତ ସାମ୍ୱାଦିକ ସମ୍ମିଳନୀରେ ଆରକ୍ଷୀ ଅଧିକ୍ଷକ ନାରାୟଣ ନାୟକ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ କେ. କେ. ହରିପ୍ରସାଦ, ଏସଡିପିଓ ଶ୍ରୀ ରଣା ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.