ପଦ୍ମପୁର ବ୍ଲକ କର୍ମଚାରୀଙ୍କ ଅପାରଗତା ପାଇଁ ନଦୀ ପାଣି ପିଇ ଜୀବନ ବିତାଉଛନ୍ତି ଗଡ଼ଭାଟି ଗ୍ରାମବାସୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ କଂସର ପଞ୍ଚାୟତ ଅନ୍ତର୍ଗତ ଗଡ଼ଭାଟି ଗ୍ରାମରେ ଲାଗି ରହିଛି ପାଣି ସମସ୍ୟା । ସୂଚନା ଅନୁସାରେ ଗାଁରେ ଦୁଇଟି ୱାର୍ଡରେ ଥିବା ୯୦୦ରୁ ଅଧିକ ଲୋକେ ଏଠାରେ ବସବାସ କରନ୍ତି । ଗାଁରେ ଥିବା ନଳକୂପମାନଙ୍କ ମଧ୍ୟରୁ କେବଳ ଦୁଇଟି ନଳକୂପ ଚାଲୁଛି । ଅନ୍ୟ ନଳକୂପ ଅଚଳ ହୋଇ ପଡିଛି କିନ୍ତୁ କୌଣସି ପ୍ରଶାସନିକ ଅଧିକାରୀ ତଥା ସ୍ଥାନୀୟ ଜନପ୍ରତିନିଧି ନିଦାବିଷ୍ଣୁ ସାଜି କୌଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି ବୋଲି ଅଭିଯୋଗ ହେଉଛି । ଏହାଠାରୁ ବଳି ଦୁଃଖର କଥା ହେଲା ଯେ, ଯେଉଁ ନଳକୂପ ଚାଲୁଛି ତାହାର ପାଣି ପିଇବା ଯୋଗ୍ୟ ନୁହେଁ । ବର୍ଷା ୠତୁକୁ ଛାଡି ଜଳକଷ୍ଟ ଦୂର କରିବା ପାଇଁ ବାଧ୍ୟ ହୋଇ ଗ୍ରାମବାସୀ ନଦୀକୁ ଯାଇ ବାଳିକୁଅରୁ ପାଣି ଆଣି ପିଉଛନ୍ତି । ବର୍ଷାମାସ ହେଲେ ନଦୀ ପାଣି ଭର୍ତ୍ତି ହୋଇଗଲେ ବାଧ୍ୟ ହୋଇ ମଇଳା ପାଣି ପିଇ ଥାନ୍ତି ଯାହାଦ୍ୱାରା ଗାଁରେ ଅନେକ ରୋଗ ଦେଖା ଦେଇଥାଏ । ଏଠାରେ ପ୍ରଶ୍ନ ଉଠୁଛି ଯେ, ରାଜ୍ୟ ସରକାର ଗାଁର ବିକାଶ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ତୃଣମୂଳ ସ୍ତରରେ ତାହା ପହଞ୍ଚି ପାରୁନାହିଁ ଯେଉଁଥିରେ ସିଧାସଳଖ ପଦ୍ମପୁର ବ୍ଲକର କର୍ମଚାରୀମାନଙ୍କର ଅପାରଗତା ଉପରେ ଆଙ୍ଗୁଳି ନିର୍ଦେଶ ହେଉଛି ।

Leave A Reply

Your email address will not be published.

17 + 4 =

error: Content is protected !!