csstore

ପଞ୍ଚମ ପଦ୍ମପୁର ଲୋକ ମହୋତ୍ସବ ସାଂସ୍କୃତିକ ପର୍ବ : ଦ୍ଵିତୀୟ ଦିନରେ ବି ଦୁଲୁକିଲା ମଞ୍ଚ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସ୍ଥାନୀୟ ଅଶୋକ ଖେଳପଡିଆ ଠାରେ ଟାଉନ କ୍ଲବ, ପଦ୍ମପୁର ତରଫରୁ ଆୟୋଜିତ ପଞ୍ଚମ ପଦ୍ମପୁର ଲୋକ ମହୋତ୍ସବ ଆଜି ଦ୍ଵିତୀୟ ସନ୍ଧ୍ୟାରେ ପଦ୍ମପୁର ଉପ-ଜିଲ୍ଲାପାଳ ଶ୍ରୀମତୀ ସ୍ନେହା ଅରଗୁଲା, ଉପଖଣ୍ଡ ଆରକ୍ଷୀ ଅଧିକାରୀ ପାଣ୍ଡବ ଶବର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ପଦ୍ମପୁର ଭାରପ୍ରାପ୍ତ ଥାନା ଅଧିକାରୀ ଶ୍ରୀମତୀ ମମତା ନାଏକ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ବିଧିବଦ୍ଧ ଭାବରେ ଲୋକ ମହୋତ୍ସବର ଦ୍ଵିତୀୟ ସନ୍ଧ୍ୟାର ସାଂସ୍କୃତିକ ପର୍ବକୁ ଶୁଭାରମ୍ଭ କରିଛନ୍ତି । ତେବେ କଳା ଓ ସାଂସ୍କୃତିର ଏହି ଅଞ୍ଚଳରେ ସାଂସ୍କୃତିକ କଳାର ଆଦାନ ପ୍ରଦାନ ପାଇଁ ଏପରି ଏକ ମହାକୁମ୍ଭ ଆୟୋଜିତ ହେବା ବହୁତ ସୁନ୍ଦର ପ୍ରୟାସ ବୋଲି ଅତିଥିମାନେ କହିଥିବା ବେଳେ ଆଗକୁ ଏହି ମହୋତ୍ସବ ଆହୁରି ବିକଶିତ ଆଉ ବିଶାଳ ହେଉ ବୋଲି ଶୁଭେଚ୍ଛା ଦେଇଥିଲେ । କ୍ଲବର ସଭାପତି ପ୍ରିତେଶ କୁମାର ବହିଦାର ଅତିଥି ମାନଙ୍କୁ ସ୍ୱାଗତ ଜଣାଇଥିବା ବେଳେ ଆବାହକ ଅଶୋକ ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ । ପ୍ରଥମେ ସମସ୍ତ ଅତିଥି ମା’ ସମଲେଶ୍ଵରୀ ଓ ବାବା ନୃସିଂହନାଥଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ଦୀପ ପ୍ରଜ୍ୱଳନ କରିଥିବା ବେଳେ କଣ୍ଠଶିଳ୍ପୀ ପ୍ରତ୍ୟୁଷ ମିଶ୍ର ଓ ସୁପ୍ରିୟା ଶର୍ମା ପ୍ରଥମେ ଏକ ଲୋକଗୀତରୁ ସନ୍ଧ୍ୟା ଆରମ୍ଭ କରିଥିଲେ । ସୁଶ୍ରୀ ପ୍ରତିକ୍ଷା ଓ ଗଣେଶ ମେହେର ଏବଂ ପ୍ରାଚୀ ପାଣିଗ୍ରାହୀ ଓ ମନୀଷ ରଥ ମଞ୍ଚ ଉଦଘୋଷକ ଦାୟିତ୍ୱ ତୁଳାଇ ଥିବାବେଳେ ପଦ୍ମପୁର ସଙ୍ଗୀତ ସମିତିର କଳାକାର ମାନଙ୍କ ଦ୍ୱାରା ରମେଶ ଗୁର୍ଲ୍ଲାଙ୍କ ତତ୍ୱାବଧାନରେ ସ୍ୱାଗତ ସଙ୍ଗୀତ ଗାନ କରାଯାଇଥିବା ବେଳେ ରାଜେଶ ଗୁର୍ଲ୍ଲାଙ୍କ ସଂଯୋଜନାରେ ସଙ୍ଗୀତ ସମିତିର କଳାକାର ମାନଙ୍କ ଦ୍ୱାରା ବାଦ୍ୟ ସଂଚାଳନ ହୋଇଥିଲା । ଆଜିର ପର୍ବରେ ପଦ୍ମପୁର କନ୍ୟାଶ୍ରାମର ଲୋକ ନୃତ୍ୟ, ୱାଇନର ଶିକ୍ଷାନୁଷ୍ଠାନର କାନ୍ତରା ନୃତ୍ୟ, ନବପ୍ରଭାତ ଆଶ୍ରମର ଲୋକନୃତ୍ୟ, ମହୁଲପାଲିର ଘୁଡକା ନାଚ, ଭେଡେନ ଛୁମକୁଛୁମା କଳା ପରିଷଦର ଲୋକ ନୃତ୍ୟ ପ୍ରଦର୍ଶିତ ହୋଇଥିବା ବେଳେ କୁନି କୁନି ପିଲାଙ୍କୁ ନେଇ ଏକ ସମ୍ବଲପୁରୀ ଫେସନ ସୋ’ କାର୍ଯ୍ୟକ୍ରମ ପରିବେଷଣ ସହ ବଉଲି କଳା ପରିଷଦ ବୌଦ୍ଧ, ପାଇକ ଆଖଡ଼ା, ଖୋର୍ଦ୍ଧା ନିଜର କଳା ମାଧ୍ୟମରେ ଦର୍ଶକଙ୍କୁ ବେଶ ମୁଗ୍ଧ କରିଥିଲା । ତେବେ ଜିତେନ୍ଦ୍ରିୟ ଗୁରୁଙ୍କୁ ସାହିତ୍ୟ ସାଧନାରେ ଅତୁଳନୀୟ ଅବଦାନ ପାଇଁ ମାନପତ୍ର ଓ ଉପଢୌକନ ସହ ସମ୍ମାନିତ କରାଯାଇଥିଲା । ସେହିପରି ମହୋତ୍ସବ କମିଟି ପକ୍ଷରୁ ଆୟୋଜିତ ରଙ୍ଗୋଲି ଓ ଝୋଟି ପ୍ରତିଯୋଗିତା ମାନଙ୍କରେ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ପ୍ରଦାନ ସହ ବିଚାରକ ଦାୟିତ୍ୱ ତୁଳାଇ ଥିବା ମିତାଲି ସିଂ, ଦୁର୍ଗାଶିଷ ପଟ୍ଟନାୟକ ଓ ସରିତା ଦୋରାଙ୍କୁ ସମ୍ମାନିତ କରାଯାଇଥିଲା । ତେବେ ଉପସ୍ଥିତ ସମସ୍ତ ଦର୍ଶକଙ୍କ ସହ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ମାନଙ୍କୁ ମହୋତ୍ସବ ପର୍ବରେ ଯୋଡି ହୋଇଥିବା ପାଇଁ କ୍ଲବର ସମ୍ପାଦକ ଇଂ କୁନାଲ ପାଣିଗ୍ରାହୀ କୃତଜ୍ଞତା ଓ ଧନ୍ୟବାଦ ଜଣାଇ ଆସନ୍ତା ସନ୍ଧ୍ୟାରେ ହେବାକୁ ଥିବା କାର୍ଯ୍ୟକ୍ରମ ପାଇଁ ମଧ୍ୟ ସମସ୍ତଙ୍କୁ ନିମନ୍ତ୍ରିତ କରିଥିଲେ ।

jayashree
Leave A Reply

Your email address will not be published.