ଡ୍ରାଇଭିଂ ଲାଇସେନ୍ସ ପ୍ରକ୍ରିୟା ଆରମ୍ଭ : ଅଧିକାଂଶ ଆବେଦନକାରୀଙ୍କୁ କମ୍ପ୍ୟୁଟର ବିଦ୍ୟା ଜଣାନାହିଁ

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ଖୁସିର କଥା ଯେ ଡ୍ରାଇଭିଂ ଲାଇସେନ୍ସ ପ୍ରଦାନ ପ୍ରକ୍ରିୟା ଆରମ୍ଭ ହୋଇଛି । କିନ୍ତୁ ସବୁଠାରୁ ବଡ଼ କଥା ହେଲା, ଅଧିକାଂଶ ଆବେଦନକାରୀଙ୍କୁ କଂପ୍ୟୁଟର ବିଦ୍ୟା ଜଣାନାହିଁ । ସୂଚନାଯୋଗ୍ୟ ଯେ, କୋଭିଡ୍‌ କଟକଣା ଯୋଗୁଁ ରାଜ୍ୟରେ ୨ ଲକ୍ଷ ଏଲଏଲ ଟେଷ୍ଟ ଆବେଦନ ଆରଟିଓ ପାଖରେ ପଡି ରହିଥିବା ବେଳେ ଏହି ଆବେଦନକାରୀଙ୍କ ପରୀକ୍ଷା ଆରଟିଓ କାର୍ଯ୍ୟାଳୟଗୁଡିକରେ ଆରମ୍ଭ ହୋଇ ଯାଇଛି । ପ୍ରଥମ ପର୍ଯ୍ୟାୟରେ ୨ ହଜାର ୩୦୦ ଆବେଦନକାରୀ ପରୀକ୍ଷା ଦେଇଥିବା ସୂଚନା ମିଳିଛି । ଏଠାରେ ସବୁଠାରୁ ବିଶେଷ କଥା ଯେ, ଅଧିକାଂଶ ଆବେଦନକାରୀ କମ୍ପ୍ୟୁଟର ସମ୍ପର୍କରେ ପୂରାପୂରି ଅନଭିଜ୍ଞ ଅଟନ୍ତି । କିବୋର୍ଡ, ମାଉସ୍‌ ଠିକ୍‌ରେ ଚଳାଇ ପାରୁନଥିବାରୁ ସେମାନେ କମ୍ପ୍ୟୁଟରରେ ପରୀକ୍ଷା ଦେଇ ନପାରି ଫେଲ୍‌ ହୋଇଥିବା ଖବର ରହିଛି । ସୂଚନାଯୋଗ୍ୟ ଯେ, ଏହି ପରୀକ୍ଷାରେ ମୋଟ ୨୦ଟି ପ୍ରଶ୍ନ ଆସୁଥିବା ବେଳେ ଆବେଦନକାରୀ ସର୍ବନିମ୍ନ ୧୨ଟି ପ୍ରଶ୍ନର ଉତ୍ତର ଦେଇପାରିଲେ ପରୀକ୍ଷାରେ ପାସ ହେବାର ନିୟମ ଥିବା ବେଳେ କମ୍ପ୍ୟୁଟର ସମ୍ପର୍କରେ ଅଜ୍ଞ ଥିବାରୁ ଅନେକ ଆବେଦନକାରୀ ଫେଲ୍‌ ହୋଇଛନ୍ତି । ଯେଉଁମାନେ ଫେଲ୍‌ ହୋଇଛନ୍ତି, ସେମାନେ ପରୀକ୍ଷା ତାରିଖରୁ ୭ ଦିନ ପରେ ପୁନଃ ଏଲଏଲ ପରୀକ୍ଷା ପାଇଁ ଆବେଦନ କରିପାରିବେ ବୋଲି ପରିବହନ କମିସନରଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି ।

Leave A Reply

Your email address will not be published.