ଦୁର୍ଘଟଣାରେ ଆହତଙ୍କୁ ଉଦ୍ଧାର କରି ଡାକ୍ତରଖାନା ନେଲେ ଶିକ୍ଷକ ଦିବସ : ପ୍ରଶଂସା କଲେ ପରିବହନ କମିଶନର ଅରୁଣ ବୋଥ୍ରା

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଯୋଖିପାଲି ଗ୍ରାମର ଶିକ୍ଷକ ଦିବସ କୁମାର ସାହୁ ଜଣେ ଦୁର୍ଘଟଣାରେ ଗୁରୁତର ଆହତ ବ୍ୟକ୍ତିଙ୍କୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାରେ ପହଞ୍ଚାଇ ଜଣେ ସୁନାଗରିକର କର୍ତ୍ତବ୍ୟ ପାଳନ କରିଛନ୍ତି । ଏହି କାମକୁ ଓଡ଼ିଶା ରାଜ୍ୟ ପରିବହନ କମିଶନର ଅରୁଣ ବୋଥ୍ରା ପ୍ରଶଂସା କରିବା ସହ ବରଗଡ଼ ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ତିନିଦିନ ମଧ୍ୟରେ ପୁରସ୍କାର ପ୍ରଦାନ କରିବାକୁ ଟ୍ୱିଟ ମାଧ୍ୟମରେ ଜଣେଇଛନ୍ତି । ସୂଚନା ଅନୁଯାୟୀ ଶନିବାର ରାତି ୭ଟା ସମୟରେ ଜଣେ ବ୍ୟକ୍ତି ଦୁର୍ଘଟଣାର ଶିକାର ହୋଇ ରାସ୍ତା କଡ଼ରେ ପଡିରହିଥିଲେ । କିଛି ସ୍ଥାନୀୟ ଯୁବକ ତାଙ୍କୁ ଦେଖିବା ପରେ ଆମ୍ବୁଲାନ୍ସକୁ ଫୋନ କରିବା ପରେ ବିଜେପୁର ପାଖରେ ଥିବା ଆମ୍ବୁଲାନ୍ସ ଅନ୍ୟ ରୋଗୀଙ୍କ ସେବାରେ ବ୍ୟସ୍ତ ଥିବା ଜାଣିଥିଲେ । ସେଠାରେ ଉପସ୍ଥିତ ଥିବା ଅଶ୍ୱିନୀ ଦାସ ନାମକ ଯୁବକ ଶିକ୍ଷକ ଦିବସ କୁମାର ସାହୁଙ୍କୁ ଫୋନ ମାଧ୍ୟମରେ ଯୋଗାଯୋଗ କରିଥିଲେ, ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ଜାଣି ସେ ଶୀଘ୍ର ଘଟଣାସ୍ଥଳକୁ ପହଞ୍ଚିଥିଲେ । ସେଠାରେ ଯାଇ ଦେଖିଲେ ଯେ, ବ୍ୟକ୍ତିଜଣଙ୍କ ମୁହଁରେ ଗଭୀର କ୍ଷତ ହୋଇଥିଲା ଯାହାଫଳରେ ମୁହଁ ଭୟଙ୍କର ଦିଶୁଥିଲା । ଦିବସ ପାଖରେ ଥିବା ଜଣେ ବ୍ୟକ୍ତିଙ୍କ ଅଙ୍ଗବସ୍ତ୍ର ମାଗି ମୁହଁରେ ଭିଡ଼ିଥିଲେ ଏବଂ ବାଇକ ପଛରେ ଆହତ ବ୍ୟକ୍ତିଙ୍କୁ ବସେଇ ପଛରେ ଆଶ୍ୱିନୀଙ୍କୁ ବସିବା ପାଇଁ କହି ବିଜେପୁର ଡାକ୍ତରଖାନାକୁ ନେଇଥିଲେ । ପଚରାଉଚରା କରିବା ପରେ ଜଣାପଡିଲା ଯେ, ବ୍ୟକ୍ତି ଜଣକ ହେଉଛନ୍ତି ବିଜେପୁର ବ୍ଲକ ଲାଉମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ଚେରେଙ୍ଗାମୁଣ୍ଡା ଗ୍ରାମର ଏବଂ ବାଦୀପାଲି ଗାଁଠାରୁ ତାଙ୍କ ଗାଁକୁ ଯାଉଥିଲେ । ଆହତ ବ୍ୟକ୍ତି ଜଣକ ଅତ୍ୟଧିକ ମଦ୍ୟପାନ କରିଥିବାରୁ ତାଙ୍କୁ ଡାକ୍ତରଖାନାକୁ ନେଉଥିବା ଉଭୟ ବ୍ୟକ୍ତିଙ୍କୁ ଅଶାଳୀନ ଭାଷାରେ ଗାଳିଗୁଲଜ ମଧ୍ୟ କରିଥିଲେ କିନ୍ତୁ ବ୍ୟକ୍ତିଙ୍କ ଅତ୍ୟଧିକ ରକ୍ତ କ୍ଷରିତ ହୋଇଯାଇଥିବା ଯୋଗୁଁ ତୁରନ୍ତ ଡାକ୍ତରଖାନାକୁ ନେବା ପାଇଁ ଏସବୁ କଥାକୁ ଶୁଣିନଥିଲେ ଶିକ୍ଷକ ଦିବସ । ପରେ ବିଜେପୁର ଡାକ୍ତରଖାନାରେ ତାଙ୍କର ଡ୍ରେସିଂ କରାଗଲା ଏବଂ ୧୦ଟି ଷ୍ଟିଚ ପଡ଼ିଲା, ଓଠ ମଧ୍ୟରେ ଥିବା ମାଂସ କଟିଯାଇଥିଲା । ନିଶାଯୋଗୁଁ ଏସବୁକୁ ମଧ୍ୟ ସାହିଯାଉଥିଲେ ଆହତ ବ୍ୟକ୍ତି । ଚିକିତ୍ସା ସରିବା ପରେ ଡାକ୍ତରଖାନାରୁ ଘରକୁ ନେବା ପାଇଁ ଡାକ୍ତର ପରାମର୍ଶ ଦେଲେ ଏବଂ ତାଙ୍କ ପରାମର୍ଶ ଅନୁଯାୟୀ ଉଭୟେ ଆହତଙ୍କୁ ତାଙ୍କ ଗାଁ ନେବାକୁ ବାହାରିଲେ । ରାସ୍ତାରେ ଫେରିଲା ବେଳେ ନିଶାସକ୍ତ ବ୍ୟକ୍ତି ଜଣକ ପୁଣି ତାଙ୍କୁ ଗାଳିଗୁଲଜ କରିଥିଲେ ଏବଂ ମୋତେ ବଳୀ ଦେବାପାଇଁ ନେଉଛ ବୋଲି ମୁହଁରେ ଥିବା ବ୍ୟଣ୍ଡେଜ କାଢ଼ିଦେଲେ ଯାହାଫଳରେ ପୁଣିଥରେ ରକ୍ତସ୍ରାବ ହେଲା । ଶିକ୍ଷକ ଦିବସ ତାଙ୍କର ଉପସ୍ଥିତ ବୁଦ୍ଧି ପ୍ରୟୋଗ କରି ମଦ୍ୟପ ଆହତଙ୍କୁ ନେଇ ବିଜେପୁର ଥାନାରେ ଜିମା ଦେଲେ । ବିପରୀତ ପରିସ୍ଥିତିରେ ମଧ୍ୟ ହତୋତ୍ସାହିତ ନହୋଇ ଆହତ ଜଣକୁ ଦୁର୍ଘଟଣାରେ ଆହତଙ୍କ ଜୀବନ ମୃତ୍ୟୁ ମଧ୍ୟରେ ରହୁଥିବା “ଗୋଲ୍ଡେନ ଆହ୍ଵାର” ଭିତରେ ଉଦ୍ଧାର କରି ଶିକ୍ଷକ ଦିବସ କୁମାର ସାହୁଙ୍କ ଏଭଳି କାର୍ଯ୍ୟକୁ ବିଜେପୁର ଥାନାଧିକାରୀ ଉଚ୍ଚ ପ୍ରଶଂସା କରିଥିଲେ ।

Leave A Reply

Your email address will not be published.