pakka

ଜିଲ୍ଲାସ୍ତରୀୟ ଆନ୍ତର୍ଜାତିକ ମହିଳା ଦିବସ ପାଳିତ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପୂର୍ବାହ୍ନରେ ସ୍ଥାନୀୟ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟରେ ଜିଲ୍ଲାସ୍ତରୀୟ ଆନ୍ତର୍ଜାତିକ ମହିଳା ଦିବସ ପାଳିତ ହୋଇଯାଇଛି । ମହିଳା ଓ ଶିଶୁ ବିକାଶ ବିଭାଗ ଆନୁକୂଲ୍ୟରେ ଆୟୋଜିତ ଆଜିର କାର୍ଯ୍ୟକ୍ରମ ଅବସରରେ ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାର, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ, ପୌରପରିଷଦ ଅଧ୍ୟକ୍ଷା ଲିକା ସାହୁ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଅମ୍ରିତ ପାଲ କୋର, ସିଡିଏମ୍‌ଓ ଡ଼. କୁବେର ଚନ୍ଦ୍ର ମହନ୍ତ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଲୀଳାବତୀ ନାଗ ଏବଂ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ନରେନ୍ଦ୍ର ମିଶ୍ର ପ୍ରମୁଖ ମଞ୍ଚାସୀନ ଥିଲେ । ଜିଲ୍ଲାପାଳ ଅଧ୍ୟକ୍ଷତା କରି ଆମ ଜୀବନ ପାଇଁ ଆମେ ସବୁବେଳେ ଜଣେ ମହିଳା ଅର୍ଥାତ ଆମ ମା’ଙ୍କ ପାଖରେ ଋଣୀ ବୋଲି କହିଥିଲେ । ମହିଳାମାନଙ୍କ ଉନ୍ନତି ବିନା ଦେଶର ପ୍ରଗତି ସମ୍ଭବ ନୁହେଁ ବୋଲି ସେ ବକ୍ତବ୍ୟ ରଖିଥିଲେ । ସରକାର ମଧ୍ୟ ମହିଳା ସଶକ୍ତିକରଣକୁ ଗୁରୁତ୍ୱ ଦେବା ସହ ଏସ୍‌ଏଚ୍‌ଜିକୁ ଏସ୍‌ଏମ୍‌ଇରେ ପୁନର୍ଗଠନ କରାଯାଉଛି । ମହିଳାମାନେ ଜନସଂଖ୍ୟାର ୫୦ ପ୍ରତିଶତ ହୋଇଥିବା ବେଳେ ସେମାନଙ୍କ ଉନ୍ନତି ବିନା ଦେଶର ପ୍ରଗତି ସମ୍ଭବ ନୁହେଁ ବୋଲି ସେ ଦର୍ଶାଇଥିଲେ । ଜିଲ୍ଲା ପରିଷଦ ଅଧ୍ୟକ୍ଷା ମା’ ଓ ଭଉଣୀମାନଙ୍କ ପାଖରେ ଯେଉଁ ପ୍ରତିଭା, ଦକ୍ଷତା ଓ ସାହସିକତା ରହିଛି ତାହାକୁ ଆଗକୁ ଆଣିବା ଏବଂ ସବୁ କ୍ଷେତ୍ରରେ ସେମାନଙ୍କୁ ପ୍ରୋତ୍ସାହନ ଦେବା ଆମ ସମସ୍ତଙ୍କ ଦାୟିତ୍ୱ ବୋଲି କହିଥିଲେ । ମାତୃଶକ୍ତିକୁ ସମସ୍ତ ଶକ୍ତିର କେନ୍ଦ୍ରସ୍ଥଳୀ ଭାବେ ସେ ବର୍ଣ୍ଣନା କରିଥିଲେ । ମହିଳାମାନଙ୍କର ଯେଉଁ ତ୍ୟାଗ ଓ ସେବା ମନୋଭାବ ରହିଛି ତାହାର ସେ ପ୍ରଶଂସା କରିବା ସହିତ ପରିବାରରେ ଶାନ୍ତି ପ୍ରତିଷ୍ଠା ପାଇଁ ସେମାନଙ୍କ ଭୂମିକା ଅନସ୍ୱୀକାର୍ଯ୍ୟ ବୋଲି କହିଥିଲେ । ଏହି ଅବସରରେ ବଙ୍ଗୋମୁଣ୍ଡାର ମଞ୍ଜୁଳା ଦୀପ, ତୁରେକେଲା ପ୍ରମୋଦା ପାଣିଗ୍ରାହୀ, ଟିଟିଲାଗଡ଼ର କଳାବତୀ ବିଭାର ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଶ୍ରେଷ୍ଠ କ୍ଷେତ୍ର ପରିଦର୍ଶିକା ସମ୍ମାନରେ ସମ୍ମାନିତ କରାଯିବା ସହ ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା । ସେହିପରି ଶ୍ରେଷ୍ଠ କିଶୋରୀ ଭାବେ ବାସନ୍ତୀ ଭୋଇ ଏବଂ ପ୍ରେମଶିଳା ନାଗ, ଶ୍ରେଷ୍ଠ ଅଙ୍ଗନୱାଡି କର୍ମୀ ଭାବେ ସବିତା ହରପାଲ, ଜ୍ୟୋତିର୍ମୟୀ ନାଏକ, ଲୀଳାବତୀ ସାହୁଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ଲୀଳାବତୀ ନାଗ ପ୍ରାରମ୍ଭିକ ଅଭିଭାଷଣ, କାର୍ଯ୍ୟକ୍ରମ ଆୟୋଜନର ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଡିପିସି ମମତା ଶିବାନୀ ଠାକୁର ମଂଚ ପରିଚାଳନା କରିଥିବା ବେଳେ ସଂଧ୍ୟା ପତି ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଓ କର୍ମକର୍ତ୍ତା ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

jay balangir
Leave A Reply

Your email address will not be published.

fifteen − 7 =