କଛାରପାଲି ସ୍କୁଲରେ ଶିକ୍ଷକ ନିଯୁକ୍ତି ଦାବୀ ନେଇ ତାଲା ପକାଇ ଧାରଣାରେ ବସିଲେ ଗ୍ରାମବାସୀ

ଦେଓଗାଁ, (ମନୀଷ କୁମାର ସାହୁ) : ବିଦ୍ୟାଳୟରେ ଶିକ୍ଷକ ଅଭାବ ଥିବା ସତ୍ୱେ ପୁଣି ଜଣେ ଶିକ୍ଷକକୁ ବଦଳି କରିବାକୁ ବିରୋଧ କରି ସ୍କୁଲ ଗେଟରେ ତାଲା ଝୁଲାଇ ଦେଇ ଧାରଣାରେ ବସି ଆନ୍ଦୋଳନ କରିଛନ୍ତି ଗାଁ ଲୋକଙ୍କ ସହ ଛାତ୍ରଛାତ୍ରୀ । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ କଛାରପାଲି ଗାଁରେ । ଦେଓଗାଁ ପାଞ୍ଚାୟତ ଅଧୀନରେ ଥିବା କଛାରପାଲି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୧୭୧ଜଣ ଛାତ୍ରଛାତ୍ରୀ ଥିବା ବେଳେ ୮ଟି ଶ୍ରେଣୀକୁ ୪ଜଣ ଶିକ୍ଷକ ରହିଛନ୍ତି । ଏଠାରେ କାର୍ଯ୍ୟ କରୁଥିବା ଦୁଇ ଜଣ ଶିକ୍ଷକ ବିଶୃଙ୍ଖଳା ଆଚରଣ କରିବାରୁ ଗାଁ ଲୋକଙ୍କ ସହ ଶୀତଳ ଯୁଦ୍ଧ ଆରମ୍ଭ ହୋଇଥିଲା । ଫଳରେ ଶିକ୍ଷା ବିଭାଗ ଦୁଇଜଣ ଶିକ୍ଷକ ଅଜିତ ବାରିକ ଓ ମୋହନ ଦଲାଇକୁ ଅନ୍ୟତ୍ର ବଦଳି କରି ଶାନ୍ତି ପରିବେଶ ଆସିଥିଲା । ତେବେ ଗାଁ ଲୋକେ ବାରମ୍ବାର ଶିକ୍ଷକ ଦେବାକୁ ନେଇ ଦାବୀ କରୁଥିଲେ ବି ବ୍ଲକ ପ୍ରଶାସନ କୌଣସି ପଦକ୍ଷେପ ନ ନେବାରୁ ଶୁକ୍ରବାର ୧୦ଟାରୁ ତାଲା ଦେଇ ଧାରଣାରେ ବସିଥିଲେ । ଶିକ୍ଷକ ଅଭାବ ପୂରଣ ନ ହେବା ପର୍ଯ୍ୟନ୍ତ ତାଲା ବନ୍ଦ ଆନ୍ଦୋଳନ ଚାଲୁ ରହିବ ବୋଲି ଆନ୍ଦୋଳନକାରୀମାନେ ସୂଚନା ଦେଇଛନ୍ତି । ଧାରଣାରେ ବସିବା ପରେ ମଧ୍ୟ ଶିକ୍ଷା ବିଭାଗର କୌଣସି ଅଧିକାରୀ ନ ଆସିବାରୁ ଗାଁ ଲୋକେ ତାଲା ବନ୍ଦ ଆନ୍ଦୋଳନ ଜାରି ରଖିଥିବାରୁ ପାଠ ନ ପଢି ଛାତ୍ରଛାତ୍ରୀ ଘରକୁ ଫେରିଯାଇଥିଲେ ।

Leave A Reply

Your email address will not be published.