ରାଉରକେଲା, (ସସ୍ମିତା ପ୍ରଧାନ) : ମେଘ ପ୍ରେମ ଓ ପ୍ରୀତିର ନିଦର୍ଶନ, ପ୍ରେମିକ ବା ପ୍ରେମିକା ନିଜମନରେ ଥିବା ଅକୁହା କଥାକୁ ମେଘ ମାଧ୍ୟମରେ ପରସ୍ପରକୁ ଜଣାଇଥାନ୍ତି । ମେଘରୁ ସୃଷ୍ଟି ବର୍ଷା ପ୍ରେମୀ ଯୁଗଳଙ୍କ ହୃଦୟରେ ଭରିଦିଏ ସବୁଜିମାର ସଂଜୀବନୀର ସ୍ପର୍ଶ । ଆଷାଢ ଆଣେ ଯୌବନ, ଶ୍ରାବଣ ଭରେ ସ୍ପନ୍ଦନ । ବର୍ଷା ପ୍ରକୃତି ଓ ଆଷାଢର ମେଘ ଘଡଘଡି ତଥା ବିଜୁଳିର ସମ୍ଭାରକୁ ପାଥେୟ କରି ସଂସ୍କୃତ ସାହିତ୍ୟର ମହାକବି କାଳିଦାସଙ୍କ ବର୍ଷା ପ୍ରକୃତି ଓ ବିରହ ବ୍ୟଞ୍ଜନ ମହାକାବ୍ୟ ମେଘଦୂତମ୍ ଠାରୁ ଆରମ୍ଭ କରି ଓଡିଆ ସାହିତ୍ୟର ପ୍ରଥିତଯଶା ଗଙ୍ଗାଧର ମେହେର, ଉପେନ୍ଦ୍ର ଭଞ୍ଜ, ମଧୁସୂଦନ ରାଓ, ମାୟାଧର ମାନସିଂହ ସହ ଆଧୁନିକ ତଥା ଉତ୍ତର ଆଧୁନିକ କବି ମାନଙ୍କର କବିତାରେ ବର୍ଣ୍ଣିତ ବର୍ଷାର ପ୍ରକୃତି ବର୍ଣ୍ଣନା ହିଁ ପ୍ରମାଣ କରିଦିଏ ଯେ, ବର୍ଷା ହିଁ ଜୀବନର ଗୀତ ବୋଲି ଧାମରା ସଂଘ ଦ୍ୱାରା ଆୟୋଜିତ ବର୍ଷା କବିତା ଆସରରେ ଆରେ ମେଘ ଆ ଶୀର୍ଷକରେ ଆଲୋଚନା କରିବାକୁ ଯାଇ ମୁଖ୍ୟବକ୍ତା ଡ. ଅନିଲ କୁମାର ଦାଶ ମତ ରଖିଥିଲେ । ସଂଘର ସଭାପତି ପ୍ରଶାନ୍ତ କୁମାର ବେହେରାଙ୍କ ସଭାପତିତ୍ୱ ସାଂସ୍କୃତିକ ସମ୍ପାଦକ କବି ସୁଶାନ୍ତ କୁମାର ନାୟକଙ୍କ ଆବାହକତ୍ୱରେ ଆୟୋଜିତ ବର୍ଷା କବିତା ଆସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସାହିତ୍ୟ ଏକାଡେମୀର ସଦସ୍ୟ ଇଂ ଅଭୟ ସୂତାର ବର୍ଷା ପ୍ରକୃତି ଓ ପ୍ରେମ ଚେତନାକୁ କେନ୍ଦ୍ର କରି ଉଭୟ ପ୍ରାଚ୍ୟ ଓ ପାଶ୍ଚାତ୍ୟ କବିତା ପ୍ରେମମୟ ଓ ଜୀବନ୍ତ ବୋଲି ମତ ଦେଇଥିଲେ । ରାଉରକେଲା ଭଳି ଏକ ଉପାନ୍ତ ଅଞ୍ଚଳରେ ଧାମରା ସଂଘର ଏଭଳି ସାହିତ୍ୟ କାର୍ଯ୍ୟକ୍ରମକୁ ସେ ଉଚ୍ଚ ପ୍ରଶଂସା କରିଥିଲେ । ଅନ୍ୟତମ ସମ୍ମାନିତ ଅତିଥି ବିଶିଷ୍ଟ କବି ପଞ୍ଚାନନ ସାହୁ ସଂଘର ଏଭଳି ଅନନ୍ୟ ସାରସ୍ଵତ କାର୍ଯ୍ୟକ୍ରମକୁ ଭୂୟସୀ ପ୍ରଶଂସା କରିଥିଲେ । ସାଧାରଣ ସଂପାଦକ ଭଗବାନ ରାଉତ ସଂପାଦକୀୟ ବିବରଣୀ ପାଠ କରିବା ସହ ଆଗକୁ ଏହିଭଳି କବିତା ଆସର ଆହୁରି କିପରି ଆକର୍ଷଣୀୟ ହୋଇ ପାରିବ ତାହା ପ୍ରକାଶ କରିଥିଲେ । ସହ ସାଧାରଣ ସଂପାଦକ ଅକ୍ଷୟ କୁମାର ଦାସ ସ୍ୱାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ । ସାହିତ୍ୟ ସଂପାଦିକା ନିରୁପମା ପତି ମଞ୍ଚ ପରିଚାଳନା କରିଥିଲେ । ପ୍ରାରମ୍ଭରେ ଗୁରୁ ଜ୍ୟୋତିର୍ମୟ ଆଚାର୍ଯ୍ୟ ଓ ସାଥିମାନଙ୍କ ଦ୍ୱାରା ସ୍ୱାଗତ ସଂଗୀତ ପରିବେଷଣ ହୋଇଥିଲା । ଦ୍ୱିତୀୟ ପର୍ଯ୍ୟାୟ କବିତା ପାଠୋତ୍ସବ କାର୍ଯ୍ୟକ୍ରମରେ ସମାଜସେବୀ ଓ ସୁସଂଗଠିକା ଅଞ୍ଜନା ମିଶ୍ରଙ୍କ ସଭାପତିତ୍ୱରେ ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଜାନକୀ ପାଢୀ ସମ୍ମାନିତ ଭାବେ ଯୋଗଦାନ କରିଥିଲେ । ବ୍ୟଙ୍ଗ କବି ବିଜୟଶ୍ରୀ ଗୋକୁଳାନନ୍ଦ ରାଉତ, ସଂଯୁକ୍ତା ବଳ, ମମତାରାଣୀ ଦାଶଙ୍କ ସଂଯୋଜନାରେ କବି ତ୍ରିଲୋଚନ ସ୍ୱାଇଁ, ଉପେନ୍ଦ୍ର ବସ୍ତିଆ, ଅଭୟ କୁମାର ଦାସ, ପ୍ରକାଶ ସେଠୀ, ରେବତୀ ବଲ୍ଲଭ ବେହେରା, ଗୌତମ ଦାସ, ବୈକୁଣ୍ଠ ନାଥ ଓଝା, ମାନସୀ ସୂତାର, କନକଲତା ମିଶ୍ର, ଅର୍ଚ୍ଚନା ପାତ୍ର, ମମତା ଜେନା, ସୁମିତ୍ରା ମିଶ୍ର, ହରିହର ବେହେରା, ଆରତୀ ବେହେରା, ସୁଚିସ୍ମିତା ପଣ୍ଡା, ହରପ୍ରିୟା ପରିଡା, ସୁଶ୍ରୀସଂଗୀତା ଦାଶ, ନିକୁଞ୍ଜ ବିହାରୀ, ବସନ୍ତ ବିଶ୍ୱକର୍ମା, ଦେବେନ୍ଦ୍ର କୁମାର ବଳ, ମୀରା ମଲ୍ଲିକ୍ ପ୍ରମୁଖ ସ୍ୱରଚିତ କବିତା ପାଠ କରିଥିଲେ । ଅନ୍ୟପକ୍ଷରେ ନିରୁପମା ନାୟକ, ବାଳକ୍ରୁଷ୍ଣ ସ୍ୱାଇଁ, ସସ୍ମିତା ପ୍ରଧାନ, ସୂର୍ଯ୍ୟ ପଣ୍ଡା, ବସନ୍ତ ବିଶ୍ଵକର୍ମା, ଗୌତମ ଦାସ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ସାଂସ୍କୃତିକ ସଂପାଦକ ଶ୍ରୀ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।