
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ୍ ଭିକାରୀପଲ୍ଲୀ ପଞ୍ଚାୟତର ସାମିଆପଲ୍ଲୀ ଗ୍ରାମର ବିଶିଷ୍ଟ ସମାଜସେବୀ ତଥା ଗ୍ରାମମୁଖିଆ ବିଶ୍ୱନାଥ ପ୍ରଧାନଙ୍କ ୬୫ ବର୍ଷ ବୟସରେ ଇତି ମଧ୍ୟରେ ଦେହାନ୍ତ ହୋଇଯାଇଛି । ମୃତ୍ୟୁ ଖବର ପାଇ ତାହାଙ୍କ ବାସଭବନରେ ବହୁ ଲୋକଙ୍କ ସମାଗମ ହୋଇଥିଲା । ତାଙ୍କର ଗୋଟିଏ ପୁଅ ଓ ଦୁଇଟି ଝିଅ ଅଛନ୍ତି । ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ପତ୍ନୀ, ଦୁଇ ଝିଅ, ନାତି ନାତୁଣୀ ବନ୍ଧୁବର୍ଗ ଉପସ୍ଥିତ ଥିଲେ । ସାମିଆପଲ୍ଲୀ ନିଜ ଗ୍ରାମକୁ ଏକ ଆଦର୍ଶ ଗ୍ରାମ ଅବା ମଡେଲ ଭିଲେଜ୍ ଭାବେ ଗଢ଼ିବା ତାଙ୍କର ବଳିଷ୍ଠ ଅବଦାନ ରହିଛି । ଅଦ୍ୟାବଧି ସେ ଗ୍ରାମର ବହୁବିଧ ଉନ୍ନତି ଆଣିବା ଦିଗରେ ସେ ଅହରହ ସଂଗ୍ରାମ ଜାରି ରହିଥିଲେ । ତାଙ୍କର ବଳିଷ୍ଠ ଉଦ୍ୟମ କୁ ଏବେ ବି ଗ୍ରାମବାସୀ ଝୁରି ହେଉଛନ୍ତି । ଏହି ଉଦ୍ଦେଶ୍ୟରେ ତାଙ୍କର ସ୍ମୁତି ଚାରଣ ଏବଂ ଗ୍ରାମବାସୀ ତାହାଙ୍କ ଆତ୍ମାର ସଦଗତି କାମନା କରି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ପ୍ରକାଶ ଥାଉକି, ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଗ୍ରାମ ବିକାଶ ସଂସ୍ଥାର ସହଯୋଗରେ ଗ୍ରାମର ବହୁତ ଗୁଡ଼ିଏ ଜନହିତକର କାର୍ଯ୍ୟ କରି ସେ ଚିରସ୍ମରଣୀୟ ହୋଇ ରହିଗଲେ । ତାହାଙ୍କ ଅନ୍ତେଷ୍ଟି-କ୍ରିୟା ସମ୍ପନ୍ନ ବେଳେ ଛତ୍ରପୁରର ପୂର୍ବତନ ବିଧାୟକ ଅଶୋକ ଚୌଧୁରୀ, ଭିକାରୀପଲ୍ଲୀ ସରପଞ୍ଚ ମଥୁରା ସୁବୁଦ୍ଧି, ସମାଜସେବୀ ପୂର୍ଣ୍ଣ ଚନ୍ଦ୍ର ବେହେରା, ଗ୍ରାମବିକାଶ ସଂସ୍ଥାର ପୂର୍ବତନ କର୍ମଚାରୀ ସୁରେନ୍ଦ୍ର ନାୟକ ପ୍ରମୁଖ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଯୋଗଦେଇ ସ୍ୱର୍ଗତ ଆତ୍ମାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ତାହାଙ୍କ ବିୟୋଗରେ ଉକ୍ତ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।