ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ସ୍ୱାଭିମାନୀ କଳାକାର ବୃନ୍ଦ

ବଲାଙ୍ଗିର, (କେପିଏନ୍ଏସ୍) : ୫ ମାସରୁ ଊଦ୍ଧ୍ୱର୍ କାଳ ହେଲା କରୋନା ସଂକ୍ରମଣ ଯୋଗୁଁ ସାରା ଦେଶରେ ଜୀବନ ଜୀବିକା ଠପ୍ ହୋଇ ପଡ଼ିଥିବା ବେଳେ ଅନେକ ସ୍ଥାନରେ ସ୍ୱାଭିମାନର ସହ ବଂଚୁଥିବା କଳାକାରମାନଙ୍କ ଜୀବନ ଜୀବିକା ଦୁର୍ବିସହ ହୋଇ ପଡ଼ିଥିବା ଦେଖିବାକୁ ମିଳିଛି । କିଏ ନାଚଗୀତରେ ଜୀବିକା ଅର୍ଜନ କରୁଥିଲେ ତ’ କିଏ ଚିତ୍ର ଆଙ୍କି ପେଟ ପୋଷୁଥିଲେ । ପୁଣି କିଏ କିଏ ଅନ୍ୟ କେଉଁ କଳାକୁ ଆଧାର କରି କୁଟୁମ୍ବ ପୋଷୁଥିଲେ । କିନ୍ତୁ ମହାମାରୀ କରୋନାର କଟକଣାରେ ସବୁ ଯେମିତି ଧ୍ୱସ୍ତ ବିଧ୍ୱସ୍ତ ହୋଇଯାଇଛି । ଯାତ୍ରା ମହୋତ୍ସବ, ସଭା ସମିତି, ନାଚଗୀତ ପ୍ରୋଗ୍ରାମ ସବୁ ବନ୍ଦ ହୋଇ ଯାଇଥିବା ବେଳେ ନିରାଡମ୍ବର ଭାବେ ଅତି କମ୍ ଲୋକ ଭିତରେ ତଥା କୋଭିଡ଼୍ ନିୟମ ପାଳନ ସହ ବାହାଘର ଆଦି ଆୟୋଜନ ହେଉଛି । ତେବେ ଏବେ ଆଉ ବାଜା, ନାଚଗୀତ, ଅର୍କେଷ୍ଟ୍ରାର ଆବଶ୍ୟକତା ପଡ଼ୁନାହିଁ ଏସବୁ କାର୍ଯ୍ୟକ୍ରମରେ । ଅଧିକାଂଶ କଳାକାର ହାତ ବାନ୍ଧି ଘରେ ବସି ରହିଛନ୍ତି । ସ୍ୱାଭିମାନକୁ ଆଧାର କରି ଜୀବନ ବଂଚୁଥିବା କଳାକାରମାନେ ଅନ୍ୟକୁ ସୁଖ ବାଂଟିବାରେ ଆନନ୍ଦ ପାଉଥିବା ବେଳେ ଏବେ ନିଜ ଦୁଃଖ ତାଙ୍କୁ ଅସମ୍ଭାଳ ହୋଇ ପଡ଼ିଛି । ଏଭଳି ସମୟରେ ସରକାରଙ୍କ ପକ୍ଷରୁ କଳାକାରମାନଙ୍କ ପାଇଁ ମଧ୍ୟ ଯଥାଶୀଘ୍ର କିଛି ସ୍ୱତନ୍ତ୍ର ବ୍ୟବସ୍ଥା ହେବା ଏକାନ୍ତ ଆବଶ୍ୟକ ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଉଛି । ବିଜ୍ଞଜନମାନେ କୁହନ୍ତି, ଗୋଟେ ସମାଜରେ କଳା ଓ କଳାକାର ନ ବଂଚିଲେ ଐତିହ୍ୟ, ପରମ୍ପରା, ସଂସ୍କୃତି ତଥା ଜନଜୀବନ ସବୁ ଧୂଳିସାତ୍ ହୋଇଯାଏ । ତେଣୁ କଳାକାର ବଂଚିବା ପାଇଁ ସରକାର ଯଥାଶୀଘ୍ର ଯଥୋଚିତ ପଦକ୍ଷେପ ଗ୍ରହଣ କରିବା ଏକାନ୍ତ ଆବଶ୍ୟକ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

Leave A Reply

Your email address will not be published.