jayashree

ରାଉରକେଲାରେ କଂଗ୍ରେସର ଜୋରଦାର ବିକ୍ଷୋଭ, ଶିକ୍ଷାମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ

ରାଉରକେଲା, (ସସ୍ମିତା ପ୍ରଧାନ) : ଦିଲ୍ଲୀର ଜନ୍ତରମନ୍ତରରେ ଛାତ୍ର ଆନ୍ଦୋଳନ ସମୟରେ ପୁଲିସର ଲାଠିଚାର୍ଜ ଓ ଲୁହବୁହା ଗ୍ୟାସ ପ୍ରୟୋଗକୁ ବିରୋଧ କରି ରାଉରକେଲାରେ କଂଗ୍ରେସ ପକ୍ଷରୁ ଜୋରଦାର ପ୍ରତିବାଦ ପ୍ରଦର୍ଶନ କରାଯାଇଛି । ଉଦିତନଗରସ୍ଥିତ ଆମ୍ବେଦକର ଛକରେ ଆୟୋଜିତ ଏହି ବିକ୍ଷୋଭରେ ରାଉରକେଲା ଜିଲ୍ଲା ଯୁବ କଂଗ୍ରେସ ସଭାପତି ମୋତିଲାଲ ଦୀପ ଏବଂ ଏନ୍‌ଏସ୍‌ୟୁଆଇ ସଭାପତି ସୂର୍ଯ୍ୟକାନ୍ତ ବାରିକଙ୍କ ନେତୃତ୍ୱରେ ବହୁ ଛାତ୍ର ଓ କଂଗ୍ରେସ କର୍ମୀ ସାମିଲ ହୋଇଥିଲେ । ପ୍ରତିବାଦକାରୀମାନେ କେନ୍ଦ୍ର ସରକାର ଓ ବିଜେପି ବିରୋଧରେ ସ୍ଲୋଗାନ ଦେବା ସହ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କୁଶପୁତ୍ତଳିକା ଦାହ କରିଥିଲେ । ସେମାନେ ଶିକ୍ଷାମନ୍ତ୍ରୀଙ୍କ ତୁରନ୍ତ ଇସ୍ତଫା ଦାବି କରିବା ସହ ଛାତ୍ରମାନଙ୍କ ଉପରେ ହୋଇଥିବା ପୁଲିସ କାର୍ଯ୍ୟାନୁଷ୍ଠାନକୁ ଗଣତନ୍ତ୍ର ବିରୋଧୀ ବୋଲି ଅଭିହିତ କରିଥିଲେ । ଏହି ଅବସରରେ ଜିଲ୍ଲା କଂଗ୍ରେସ ସଭାପତି ସବିର ହୁସେନ, ପୂର୍ବତନ ସଭାପତି ରବି ରାୟ, ଜ୍ଞାନେନ୍ଦ୍ର ଦାସ, ରଶ୍ମି ରଞ୍ଜନ ପାଢୀ, ପ୍ରବୋଧ ଦାସ, ଶିବୁ ଦୀପଙ୍କ ସମେତ ବହୁ କଂଗ୍ରେସ ନେତା ଓ କର୍ମୀ ଉପସ୍ଥିତ ରହି କେନ୍ଦ୍ର ସରକାରଙ୍କ ନୀତି ବିରୋଧରେ ନିଜର ଅସନ୍ତୋଷ ପ୍ରକାଶ କରିଥିଲେ । କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ, ଛାତ୍ର ଓ ବିରୋଧୀ ସ୍ୱରକୁ ଦମନ କରିବାର ଯେକୌଣସି ପ୍ରୟାସ ବିରୋଧରେ ଆଗାମୀ ଦିନରେ ମଧ୍ୟ ଆନ୍ଦୋଳନ ଜାରି ରହିବ ।

Leave A Reply

Your email address will not be published.